ଜମ୍ମୁର ୫ଟି ଜିଲ୍ଲାରେ ମୋବାଇଲ୍‌ ସେବା ଆରମ୍ଭ

ଶ୍ରୀନଗର :ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୨୫ ଦିନ ପରେ ମଧ୍ୟ ଏବେ ଜମ୍ମୁ କଶ୍ମୀରରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ଆଜି ଜମ୍ମୁର ୫ଟି ଜିଲ୍ଲାରେ ମୋବାଇଲ୍‌ ସେବା ଆରମ୍ଭ ହୋଇଛି। ଜମ୍ମୁର ଦୋଦା, କିସ୍ତୱାଡ଼, ରମ୍ବନ, ରାଜୌରି ଏବଂ ପୁଞ୍ଚରେ ମୋବାଇଲ୍‌ ସେବା ଆରମ୍ଭ ହୋଇଛି। ଗତ ୧୭ ତାରିଖ ଦିନ ଜମ୍ମୁର ଅନ୍ୟ ୫ଟି ଜିଲ୍ଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା। ଖୁବ୍‌ ଶୀଘ୍ର ଅନ୍ୟ ସମସ୍ତ ଅଂଚଳରେ ପର୍ଯ୍ୟାୟକ୍ରମେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ଆରମ୍ଭ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସର୍ବାଧିକ ସମ୍ବେଦନଶୀଳ ଦକ୍ଷିଣ କଶ୍ମୀରରେ ମଧ୍ୟ କଟକଣା ଦିନରେ କୋହଳ କରାଯାଇଛି। ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବନ୍ଦ ସତ୍ତ୍ବେ ଜମ୍ମୁ କଶ୍ମୀର ଏବଂ ଲଦାଖ୍‌ରେ ସମୁଦାୟ ୮,୪୦୦ ମାମଲାର ଫଏସଲ‌ା କରିଛନ୍ତି ହାଇ କୋର୍ଟ ଏବଂ ନିମ୍ନ ଅଦାଲତ। କେବଳ ଜମ୍ମୁରେ ୭୦୫୫ ମାମଲା ଫଏସଲା ହୋଇଥିବା ବେଳେ କଶ୍ମୀରରେ ୯୮୧ ମାମଲା ଫଏସଲା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀନଗର ଜିଲ୍ଲାରେ ୪୧୯ ମାମଲା ଫଏସଲା ହୋଇଥିବା ବେଳେ ଅନନ୍ତନାଗରେ ୧୮୮, ବାରମୁଳାରେ ୧୭୯, ବାନ୍ଦିପୁରାରେ ୫୦, ପୁଲୱାମାରେ ୪୯, ଗନ୍ଦେରବଲ୍‌ରେ ୪୫, କୁଲଗାମ୍‌ରେ ୪୨ ଏବଂ ସୋପିଆନ୍‌‌ରେ ୯ଟି ମାମଲାର ଫଏସଲା ହୋଇଛି।

Comments