ଆସାମରେ ଚୂଡାନ୍ତ ଏନଆରସି ତାଲିକା ପ୍ରକାଶ ବାଦ ପଡିଲେ ୧୯ ଲକ୍ଷରୁ ଅଧିକ


ନୂଆଦିଲ୍ଲୀ ,୩୧/୮: ଶନିବାର ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଆସାମ ସରକାର ନାସନାଲ ରେଜିଷ୍ଟର ଅଫ ସିଟିଜେନସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ଆସାମର ୩କୋଟି ୧୧ଲକ୍ଷ ୨୧ହଜାର ୪ଜଣ ଲୋକଙ୍କ ନାମ ସ୍ଥାନ ପାଇଛି ।ତେବେ ଏହି ତାଲିକାରୁ ୧୯ଲକ୍ଷ ୬ହଜାର ୬୫୭ଜଣଙ୍କ ନାମ ବାଦ ପଡିଛି । ଏଥିନେଇ ଏନଆରସି କର୍ତୃପକ୍ଷଙ୍କ ଏକ ବିବରଣୀ ଜାରି ହୋଇଛି । ଯେଉଁଥିରେ ଦର୍ଶାଯାଇଛି ଯେ,୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏନଆରସି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୯୭୧ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରି ପୂର୍ବରୁ ଯେଉଁମାନେ ଭାରତରେ ରହୁଥିଲେ ସେମାନଙ୍କୁ ଭାରତୀୟ ଭାବେ ପରିଗଣିତ କରାଯାଇଛି । ୨୦୧୫ ମଇ ମାସରୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ଆସାମରେ ଏନଆରସି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ମୋଟ ୬୮ଲକ୍ଷ ୩୭ହଜାର ୬୬୦ଟି ଆବେଦନ ପତ୍ରରେ ୩କୋଟି ୩୦ଲକ୍ଷ ୨୭ହଜାର ୬୬୧ଜଣ ଏନଆରସି ତାଲିକାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଏହାପରେ ୫୨ହଜାର ସରକାରୀ ଅଧିକାରୀଙ୍କୁ ନେଇ ନାଗରିକତ୍ୱ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ ଜୁଲାଇ ୩୦ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏନଆରସି ଚୁଡାନ୍ତ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା । ଏଥିରେ ୨କୋଟି ୮୯ଲକ୍ଷ ୮୩ ୬୭୭ ଜଣଙ୍କ ନାମ ସ୍ଥାନ ପାଇଥିଲା । ୪୦ଲକ୍ଷରୁ ଅଧିକ ଲୋକ ଏହି ତାଲିକାରୁ ବାଦ ପଡିଥିଲେ । ବାଦ ପଡିଥିବା ଲୋକଙ୍କୁ ସେମାନଙ୍କ ଆପତି ଉପରେ ଶୁଣାଣି ପାଇଁ ପୁଣି ସୁଯୋଗ ଦିଆଯାଇଥିଲା । ବ୍ୟକ୍ତିଗତ ଭାବେ ସେମାନଙ୍କ ଆବେଦନ ଗ୍ରହଣ କରାଯାଇ ଶୁଣାଣି ହୋଇଥିଲା । ଏଥିରେ ୩୬ଲକ୍ଷ ୨୬ହଜାର ୬୩୦ଜଣ ଆବେଦନ କରିଥିଲେ । ସମସ୍ତ ଆବେଦନର ସମୀକ୍ଷା ପରେ ମୋଟ ୩କୋଟି ୧୧ଲକ୍ଷ ୨୧ହଜାର ୪ଜଣ ଲୋକ ଏନଆରସିର ଚୁଡାନ୍ତ ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଆସାମରେ ଏନଆରସି ଲାଗୁହେବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଲାଗିରହିଛି । ତେବେ ଏହି ପରିପ୍ରେକ୍ଷୀରେ ବିଜେପି ଏବଂ ଏନଡିଏର ସହଯୋଗୀ ଦଳ ଶିବସେନା, ମୁମ୍ବଇ, ଦିଲ୍ଲୀ ଭଳି ମେଟ୍ରୋ ସହରଗୁଡିକରେ ମଧ୍ୟ ଏନଆରସି ଲାଗୁ କରିବାକୁ ଦାବି କରିଛନ୍ତି । ଦିଲ୍ଲୀ ବି୍େଜପି ସଭାପତି ମନୋଜ ତିୱାରୀ , ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଦିଲ୍ଲୀରେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟା, ବାଂଲାଦେଶୀ , ପାକିସ୍ତାନୀ ଓ ଆଫଗାନ ଲୋକଙ୍କୁ ହଟାଇବାକୁ ନିବେଦନ କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରିବାକୁ ଦାବି କରିଛନ୍ତି । ସେହିପରି ଶିବସେନା ମଧ୍ୟ ମୁମ୍ବଇରେ ଏନଆରସି ଲାଗୁ କରିବାକୁ ଦାବି କରିଛି ।

Comments