ପଂଚଭୂତରେ ମିଶିଲେ ଅରୁଣ


ନୂଆଦିଲ୍ଲୀ, ୨୫ା୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ରବିବାର ଅପରାହ୍ଣ ୩ଟା ୧୭ରେ ପଂଟଭୂତରେ ବିଲୀନ ହୋଇଛନ୍ତି । ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି । ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ ନେତା-ଜନତା ଅଶ୍ରୁଳ ବିଦାୟ ଦେଇଛନ୍ତି । ଜେଟଲୀଙ୍କ ପାର୍ଥିବ ଶରୀରରେ ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି । ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବା ପୂର୍ବରୁ ପାର୍ଥିବ ଶରୀରକୁ କୈଳାଶ କଲୋନିସ୍ଥିତ ତାଙ୍କ ନିବାସରୁ ପୂର୍ବାହ୍ଣ ୧୦ଟା ୩୦ରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା । ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଂଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତା, ପ୍ରଶଂସକ ତଥା ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ଅନେକ ନେତା, ମନ୍ତ୍ରୀ, କର୍ମକର୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସୱାନ, ଜେପି ନ‡ା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବିଜେପିର ସଙ୍କଟମୋଚକ କୁହାଯାଉଥିବା ଅରୁଣ ଜେଟଲୀ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରୁ ଏମ୍ସରେ ଭର୍ତି କରାଯାଇଥିଲା । ଜେଟଲୀ ୬୬ ବର୍ଷ ବୟସରେ ଶନିବାର ମଧ୍ୟାହ୍ଣ ୧୨ଟା ୭ରେ ଶେଷ ନିଃଶ୍ୱାସ ନେଇଥିଲେ ।

Comments