ଏବେ ଔଷଧ ରାଗରେ ଖାଲି ତାଟିଆ କାମୁଡ଼ୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ


ନୂଆଦିଲ୍ଲୀ, ୨୭/୮  : ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟ ନିକଟର ଫେରାଦ ହୋଇ ବିଫଳ ଓ ଅପମାନିତ ହେବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଔଷଧ ରାଗରେ ଖାଲି ତାଟିଆ କାମୁଡ଼ୁଛନ୍ତି  । ଏଣୁ ଅନ୍ୟୋନପାୟ ହୋଇ ସେ ଗତ ସୋମବାର ଆବଶ୍ୟକ ହେଲେ ଭାରତ ଉପରେ ପାକିସ୍ତାନ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଥିଲେ  । ମାତ୍ର ତାଙ୍କର ଏହି ଧମକକୁ ପରୱା ନକରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ ପାଲଟା ଜବାବ ଦେଇଛନ୍ତି  । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଆଉ ପରମାଣୁ ଆକ୍ରମଣର ଫାଙ୍କା ଧମକ ଆମକୁ ନ ଦିଅନ୍ତୁ ବୋଲି ସେ କହିଛନ୍ତି  । ପ୍ରଥମେ ନିଜ ଦେଶରେ ଖାଇବାକୁ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ ସମସ୍ୟା ବୁଝିସାରନ୍ତୁ ତା’ପରେ ଭାରତ ବା କାଶ୍ମୀର ଉପରେ ପରମାଣୁ ଆକ୍ରମଣ କରିବା କଥା ଚିନ୍ତା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ନକଭୀ କହିଛନ୍ତି  । ସେ ଆହୁରି କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ଆତଙ୍କବାଦକୁ ନିନ୍ଦା କରିବା ସହ ଆତଙ୍କୀଙ୍କ ବିରୋଧରେ ଲଢ଼େଇ କରୁଛି  । ମାତ୍ର ପାକିସ୍ତାନ ତା’ର ମାଟିରେ ଆତଙ୍କବାଦୀଙ୍କୁ ଶରଣ, ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ଯୋଗାଣ କରି ସମଗ୍ର ବିଶ୍ୱ ଠାରୁ ଏକଘରକରିଆ ହୋଇଯାଇଛି  । ସେହିଭଳି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହେବା ସହ ଏହି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାବେଳେ ପାକିସ୍ତାନ ଏଥିରେ ମୁଣ୍ଡ ଖେଳାଇବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ସେ କହିଛନ୍ତି  ।

Comments