ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବେ ଏହି ମାମଲାରେ ତାଙ୍କୁ ମୁଣ୍ଡ ନ ଖେଳାଇବା ପାଇଁ କହିଛନ୍ତି । କେବଳ କାଶ୍ମୀର ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ ଏବଂ ଏଥିରେ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟରେ ବୈଠକ ହୋଇଛି । ଟ୍ରମ୍ପ୍ଙ୍କୁ ମୋଦି ସଫା ସଫା କହିଛନ୍ତି ଯେ ପାକିସ୍ତାନ ସହିତ କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ଅଟେ । ଏଥିପାଇଁ ଆମକଅନ୍ୟ ଦେଶର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଭାରତ- ପାକିସ୍ତାନ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ଅଟେ । ଦୁଇ ଦେଶ ନିଜ ନିଜ ମଧ୍ୟରେ ଆଲୋଚନା କରି ସମାଧାନ କରିପାରିବେ । ଦୁଇ ନେତାଙ୍କ ମଧ୍ୟରେ ସୋମବାର ଦିନ ପ୍ରାୟ ୪୦ ମିନିଟ୍ ଧରି ନିଭୃତ ଆଲୋଚନା ହୋଇଥିଲା । ଆଲୋଚନା ଫଳପ୍ରଦ ହୋଇଛି ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଅନେକ ମତପାର୍ଥକ୍ୟ ଦୂର ହୋଇଛି ବୋଲି ମୋଦି କହିଛନ୍ତି ।
Comments
Post a Comment