ବାଂଲାଦେଶ ସରକାରଙ୍କ ଆଗ୍ରହ ନଥିବାରୁ ଅନୁପ୍ରବେଶକାରୀମାନେ ଦେଶକୁ ଫେର ପାରୁନାହାଁନ୍ତି


ବାଲେଶ୍ୱର,୩୦ା୮: ସମ୍ପ୍ରତି ଓଡ଼ିଶାର ଉପକୂଳ ଜିଲ୍ଲାମାନଙ୍କରେ ବେଆଇନ୍ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ମଧ୍ୟ ହେଉଛି । ତେବେ ଯଦି ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୁଅନ୍ତି, ତାହଲେ ସେମାନେ ସ୍ୱଦେଶକୁ ଫେରିପାରିବେ କି ନାହିଁ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଦୁଇଦେଶ ମଧ୍ୟରେ ସମନ୍ୱୟର ଅଭାବ ଓ ବୈଦେଶିକ ନୀତି ଜନକ କଟକଣା ଯୋଗୁଁ ୧୨ ବର୍ଷ ଜେଲ୍ଦଣ୍ଡ ଭୋଗୀ ବାଲେଶ୍ୱର ମୁଖ୍ୟ କାରାଗାରରୁ ମୁକୁଳିଥିବା ୪ ଜଣ ବାଂଲାଦେଶୀ ଅଢ଼େଇ ମାସ ଧରି ଜେଲ୍ ବ୍ୟାରେକ୍ରେ ପଡ଼ି ରହିଛନ୍ତି । ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ସେମାନଙ୍କ ଖାଇବାଠାରୁ ରହିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଖର୍ଚ୍ଚ ହେଉଛି । ବାଂଲଦେଶର ଫରିଦପୁର ଜିଲ୍ଲା ଭାଙ୍ଗାଥାନା ଅନ୍ତର୍ଗତ ହାମିର୍ଦ୍ଧ ଗ୍ରାମରେ ବେକାର ହୋଇ ଜୀବନ ବିତାଉଥିବା ୬ ଜଣ ଯୁବକ ଅରିଫ୍ ଖାନ, ପୌଷା ଖାନ୍, ଶେଖ୍ ଜାହିର, ମହମ୍ମଦ ଆଶାଦୁଲମୁଲ୍ଲା, ବାବୁ ଖାନ୍ ଓ ମହମ୍ମଦ ଆବୁଲ ବସରମୁଲ୍ଲା ୨୦୦୭ ମସିହାରେ ପଶ୍ଚିମବଙ୍ଗ ସୀମାର ନିରାପତା ବାହିନୀଙ୍କୁ ଚକମା ଦେଇ ପ୍ରଥମେ ଅନୁପ୍ରବେଶ କରିଥିଲେ । ପରେ ପଶ୍ଚିମବଙ୍ଗରୁ ଆସି ସେମାନେ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜନୈକ ବ୍ୟକ୍ତି ଘରେ ଆଶ୍ରୟ ନେଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରି ଶେଷରେ ପୁଲିସ ହାତରେ ଧରା ପଡ଼ିଥିଲେ । ବାଲେଶ୍ୱର କୋର୍ଟରେ ସମସ୍ତଙ୍କୁ ୧୪ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ ଦିଆଯାଇଥିଲା । ବାବୁ ଖାନ୍ ଚୌଦ୍ୱାର ଜେଲ ଏବଂ ମହମ୍ମଦ ଆଶାଦୁଲମୁଲ୍ଲାଙ୍କୁ ଢେଙ୍କାନଳ ଜେଲକୁ ପଠାଯାଇଥିଲା । ଅନ୍ୟ ଏହି ୪ ଜଣ ବାଲେଶ୍ୱର ଜିଲ୍ଲା ମୁଖ୍ୟ କାରଗାରରେ ରହିଥିଲେ । ଚରିତ୍ରରେ ପରିବର୍ତନ ସହ ସେମାନଙ୍କ ଉତମ ବ୍ୟବହାର ପାଇଁ ଜେଲ କର୍ତୃପକ୍ଷଙ୍କ ସୁପାରିଶ କ୍ରମେ ୧୨ ବର୍ଷ ପରେ ଏହି ୪ଜଣ ଗତ ଜୁନ୍ମାସ ୮ ତାରିଖରେ ମୁକୁଳିଛନ୍ତି । ତେବେ ମୁକୁଳିବାର ଅଢ଼େଇ ମାସ ପରେ ବି ବୈଦେଶିକ ନୀତିଗତ ଅଙ୍କୁଶ ପାଇଁ ସେମାନେ ନିଜଘରକୁ ବାହୁଡ଼ି ପାରୁ ନାହାନ୍ତି । ଏବେ ଜିଲ୍ଲା ପୁଲିସ ହେପାଜାତରେ ଦିନ କାଟୁଛନ୍ତି । ଜିଲ୍ଲା ପୁଲିସ ସମେତ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କ ଫେରିବା ନେଇ ବହୁବାର ପଦକ୍ଷେପ ନିଆଯାଇଥିଲେ ବି ବାଂଲାଦେଶ ସରକାର ଏନେଇ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି । ସେଠାକାର ସରକାରଙ୍କ ପକ୍ଷରୁ ରେକର୍ଡ଼ପତ୍ର ପ୍ରସ୍ତୁତିରେ ବିଳମ୍ବ ହେବା ଯୋଗୁଁ ଏହି ୪ଜଣ ଏଠାରେ ଦିନ କାଟୁଛନ୍ତି । ତେବେ ଦୀର୍ଘ ୧୨ ବର୍ଷ ଧରି ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସେମାନଙ୍କ ପିତାମାତା । ଏପଟେ ମୁକ୍ତ ଆକାଶର ବିହଙ୍ଗର ମନ ନେଇ ଘରକୁ ଯିବା ପାଇଁ ଆକୁଳ ହେଉଛନ୍ତି ଏହି ଯୁବକମାନେ । ଏପରି ସ୍ଥିତିରେ ପୁଲିସ ପ୍ରଶାସନ କେବଳ ଅଶ୍ୱାସନା ଦେଇଚାଲିଛି । ସବୁଠାରୁ ବଡ଼କଥା ହେଲା ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଅନୁପ୍ରବେଶକାରୀଙ୍କ ସ୍ଥିତିକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଯଦି ସଠିକ୍ ଭାବରେ ଯାଂଚ କରାଯାଏ, ତାହାଲେ ହଜାର ହଜାର ଅନୁପ୍ରବେଶକାରୀ ଚିହ୍ନଟ ହେବେ ଏଥିରେ ସନ୍ଦେହ ନାହିଁ । ଏହି ୪ଜଣଙ୍କୁ ବାଂଲାଦେଶ ପଠାଇବା ପାଇଁ ଅହେତୁକ ବିଳମ୍ବ ହେଉଥିବା ବେଳେ ସେମାନଙ୍କ ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେବେ, ସେନେଇ ଉଠିଛି ପ୍ରଶ୍ନ ।

Comments