ଧାର୍ମିକ ବ୍ୟବସ୍ଥା ଲୋପ ପାଇଁ ଚାଲିଛି ଷଡଯନ୍ତ୍ର

ପୁରୀ, ୩୧/୮: ଶ୍ରୀକ୍ଷେତ୍ରକୁ ବିଶ୍ୱଏøତିହ୍ୟ ନଗରୀ କରିବା ପାଇଁ ଆଶ୍ୱାସନା ଦେଇ ସରକାର ସହରରେ ଥିବା ସମସ୍ତ ମଠ ଓ ମନ୍ଦିରକୁ ଭାଙ୍ଗିବା ଘଟଣାକୁ ନେଇ ଶନିବାର ଗୋବର୍ଦ୍ଧନ ପୀଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୁଢ଼ ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ  । ସେ କହିଛନ୍ତି ଯେ, ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଆଳରେ ଧାର୍ମିକ ପୀଠ ଗୁଡିକ ଭାଙ୍ଗୁ ଥିବାରୁ ଏହାର ଫଳ ଭବିଷ୍ୟତରେ ସରକାର ଭୋଗିବେ । ଶ୍ରୀମନ୍ଦିରରେ ଧାର୍ମିକ ବିଧିବ୍ୟବସ୍ଥା ପ୍ରଚଳନ ନ ହୋଇ ପ୍ରଶାସନିକ ଢାଂଚାରେ ଏହା ପରିଚାଳିତ ହେଉଛି । ଶ୍ରୀମନ୍ଦିରର ବାହାର ସଫା କରିଦେଲେ ଧାର୍ମକ ବ୍ୟବସ୍ଥା ସଜାଡି ହେବ ନାହିଁ । ଶ୍ରୀମନ୍ଦିର ପରିସରରେ ଥିବା ବ୍ୟବସ୍ଥାକୁ ସଜାଡିବା ପାଇଁ ସରକାର ଚେଷ୍ଟା କରିବା ଆବଶ୍ୟକ । ସରକାର ମଠଗୁଡିକ ଭାଙ୍ଗିବା ପାଇଁ ବହୁ ପୂର୍ବରୁ ଯୋଜନା କରିଥିଲେ । ନିର୍ବାଚନ ଶେଷ ହେଲା ପରେ ଯୋଜନାକୁ ଫଳବତୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପୂର୍ବରୁ ମଠଗୁଡିକ ସ୍ୱତନ୍ତ୍ର ଧାର୍ମିକ ବିଧି ବ୍ୟବସ୍ଥାରେ ପରିଚାଳିତ ହେଉଥିଲା । ଏବେ ଦେବୋତର ଆଇନ ଅଧିନରେ ପରିଚାଳିତ ହେଉଥିବାରୁ ସରକାର ମନଇଚ୍ଛା ମଠ ଗୁଡିକ ଭାଙ୍ଗୁଛନ୍ତି । ଇଂରେଜ ଶାସନ ଅମଳରେ ମଠ ଓ ମନ୍ଦିର ମଧ୍ୟ ସେମାନଙ୍କ ଅଧିନରେ ନଥିଲା । ସେତେବେଳେ ଇଂରେଜମାନେ ମଠ ଓ ମନ୍ଦିର ପରିଚାଳନାରେ ହସ୍ତକ୍ଷେପ କରୁନଥିଲେ ।ବର୍ତମାନ ସରକାର ମଠ ଓ ମନ୍ଦିର ସ୍ଥିତି ଲୋପ କରି ଭିଭିଆଇପିଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ତତ୍ ସହିତ ଧର୍ମ ନିରପେକ୍ଷ ଶାସନତନ୍ତ୍ରରେ ଧର୍ମଗୁରୁଙ୍କ ଠାରୁ କୌଣସି ପରାମର୍ଶ ନିଆଯାଉନାହିଁ । ରଥଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ରଥ ଉପରେ ଚଢିପାରିବେ ନାହିଁ ବୋଲି ଏକ ବିଧିବଦ୍ଧ ଚିଠି ପଠାଇବାକୁ ପରିଚାଳନା କମିଟି କିପରି ସାହସ କଲା । ଧର୍ମଗୁରୁ ଦଲାଇଲାମା ଓ ପୋପଙ୍କ ବିରୁଦ୍ଧରେ ଏଭଳି ଚିଠି ଦେଇଥିଲେ କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଥିଲେ । ରଥ ଉପରକୁ ଚଢିବା ସଂପର୍କରେ ସେ ବିଭିନ୍ନ ଅନୁଷ୍ଠାନ, ଆଇନଜୀବୀ ଓ ପଣ୍ଡିତଙ୍କ ପରାମର୍ଶ ନେଇଥିଲେ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ଥାପନ କରିଥିଲେ । ପୁରୁଷୋତମ ଧାମ ସହ ଗୋବର୍ଦ୍ଧନ ପୀଠର ସଂପର୍କ ରହିଛି । ପୀଠର ପ୍ରଭୁ ଶ୍ରୀଜଗନ୍ନାଥ ଓ ମା ବିମଳା । ଧର୍ମଗୁରୁଙ୍କ ପାଖରେ ୧ଇଂଚ ଜମି ନାହିଁ । ରାଜ୍ୟ ସରକାର ଜଗନ୍ନାଥଙ୍କର କହି ଦାନ ଦେଉଛନ୍ତି । ରାତିରେ ରଥଟଣା ନଯିବା ସ୍କନ୍ଦ ପୁରାଣରେ ରହିଛି । କିନ୍ତୁ ବର୍ତମାନ ଶାସନତନ୍ତ୍ରରେ ଧର୍ମ ବ୍ୟବସ୍ଥାକୁ ନମାନି ଲାଇଟ ଲଗାଇ ରଥ ଟାଣିବା ଠିକ୍ ନୁହେଁ । ଏହା ଧାର୍ମିକ ବ୍ୟବସ୍ଥାକୁ କୁଠାରଘାତ କରୁଛି । ବିଶ୍ୱ କଲ୍ୟାଣ ପାଇଁ ସମସ୍ତେ ଚିନ୍ତା କରିବା ଦରକାର । ଏହି ଅବସରରେ ସେ ଜଷ୍ଟିସ ବିପି ଦାସ କମିଶନ , ପୂର୍ବତନ ପ୍ରଶାସକ ସୁରେଶ ମହାପାତ୍ର ଏପରିକିୀ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କୁ ମଧ୍ୟ ସମାଲୋଚନା କରି କହିଥିଲେ ଯେ, ସେମାନେ ତାଙ୍କ ସହ ବିନା ପରାମର୍ଶରେ କାଯ୍ୟ କରିଛନ୍ତି ।

Comments