ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ତଳେ ଦେଶରୁ ପ୍ଲାଷ୍ଟିକ ବ୍ୟାଗ୍ର ବ୍ୟବହାର ବନ୍ଦ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ଏୟାର ଇଣ୍ଡିଆ ଆସନ୍ତା ଅକ୍ଟୋବର ୨ ତାରିଖରୁ ପ୍ଲାଷ୍ଟିକ ମୁଣିର ବ୍ୟବହାରକୁ ନିଷିଦ୍ଧ କରିଛି । ଏ ସଂକ୍ରାନ୍ତରେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ୱିନୀ ଲୌହାନୀ ସୂଚନା ଦେଇ କହିଛନ୍ତି ଯେ, ଏୟାର ଇଣ୍ଡିଆ ନିଜର ବିମାନ ସେବାରୁ ପ୍ଲାଷ୍ଟିକ ମୁଣିକୁ ହଟାଇବାକୁ ନିଷ୍ପିତି ନେଇଛି । ଏହି ମର୍ମରେ ଏୟାର ଇଣ୍ଡିଆ ତା’ର ସମସ୍ତ କ୍ୟାଟରିଙ୍ଗ ସର୍ଭିସ ପ୍ରୋଭାଇଡର, ଇନ୍-ଫ୍ଲାଇଟ୍ ସର୍ଭିସ, ଏମ୍ଏମ୍ଡି ଏବଂ ସମସ୍ତ ବିମାନ ବନ୍ଦରରେ ପ୍ଲାଷ୍ଟିକ ମୁଣିର ବ୍ୟବହାରକୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଶ୍ରୀ ଲୌହାନୀ ଆହୁରି କହିଛନ୍ତି ଯେ, ଏବେ ଯାତ୍ରୀମାନଙ୍କୁ ୨୦୦ ମିଲିଲିଟର ପାଣିବୋତଲ ଦେଉଥିବାବେଳେ ଗୁରୁବାର ଠାରୁ ଯାତ୍ରୀମାନଙ୍କୁ ୧୫୦୦ମିଲିଲିଟରର ପାଣିବୋତଲ ମିଳିବ । ଯାତ୍ରୀମାନଙ୍କୁ ଜଳଖିଆ ବାବଦକୁ କଦଳୀ ଚିପ୍ସ ଓ ସାଣ୍ଡୱିଚକୁ ପୂର୍ବରୁ ପ୍ଲାଷ୍ଟିକ ପାଉଚରେ ଦିଆଯାଉଥିବାବେଳ ଆଗକୁ ଏହାକୁ ୱାଟର ପେପର ପାଉଚରେ ଯୋଗାଇ ଦିଆଯିବ । ସେହିଭଳି ପୂର୍ବରୁ କେକ୍କୁ ପ୍ଲାଷ୍ଟିକ ସ୍ନାକ୍ସ ବକ୍ସରେ ଦିଆଯାଉଥିବାବେଳେ ଆଗକୁ ଏଗୁଡ଼ିକୁ କାଗଜ ର୍ୟାପରେ ଦିଆଯିବ ବୋଲି ଶ୍ରୀ ଲୌହାନୀ କହିଛନ୍ତି । ସେହିପରି ଯାତ୍ରୀମାନଙ୍କୁ ଏଣିକି ପ୍ଲାଷ୍ଟିକ ଜାର ବଦଳରେ କାଗଜର ଜଗ୍ ଏବଂ ପ୍ଲାଷ୍ଟିକ୍ କପ୍ ବଦଳରେ ମଜବୁତ କାଗଜ କପରେ ଯାତ୍ରୀମାନଙ୍କୁ ଚା’ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ (କ)କୁ ଉଚ୍ଛେଦ କରାଯିବା ପରେ ଏହାକୁ ବିରୋଧ କରି ଭାରତୀୟ ବିମାନ ପାଇଁ ପାକିସ୍ତାନ ଦ୍ୱିତୀୟ ଥର ତା’ର ବାୟୁସୀମାକୁ ବନ୍ଦ କରିଦେବାରୁ ଏୟାର ଇଣ୍ଡିଆକୁ ଦୈନିକ ୪ କୋଟି ଟଙ୍କା କ୍ଷତି ହେଉଛି ବୋଲି ଶ୍ରୀ ଲୌହାନୀ କହିଛନ୍ତି ।
Comments
Post a Comment