ମାନସିଂ ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ



ବାଲେଶ୍ୱର,୨୩/୮: ମାନସିଂ ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ଆରମ୍ଭରେ କୃଷ୍ଣଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହିତ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହିତ ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କର ଜନ୍ମବୃତାନ୍ତ ସହିତ ବାଲ୍ୟକାଳରୁ ଆରମ୍ଭ କରି କୃଷ୍ଣଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଅଲୌକିକ ଘଟଣାର ଅବତାରଣା କରିଥିଲେ । ସମ୍ମାନୀତ ଅତିଥି ଭାବେ ବଇଁଚା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଧର ପ୍ରଧାନ ଯୋଗଦେଇ ବିଦ୍ୟାଳୟମାନଙ୍କରେ ପାଳନ କରାଯାଉଥିବା ଜନ୍ମାଷ୍ଟମୀ ଉତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ଜେନା ପ୍ରାରମ୍ଭିକ ସୂଚନା ଦେଇ ଆଜିର ଦିବସରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ଦ୍ୱାରା କୃଷ୍ଣ ଓ ରାଧା ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଦୁଇ ଅତିଥି ବିଚାରକ ଭାବେ ରହି ପ୍ରତିଯୋଗୀଙ୍କ ଅଭିନୟକୁ ବିଚାର କରିଥିଲେ । ଏଥିରେ ଗୁରୁମା ଆରତୀ ପାତ୍ର, ଗୁରୁମା କାବେରୀ ରାଣୀ ବାରିକ, ଗୁରୁଜୀ ରବିନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେବୀକା ଜ୍ୟୋସ୍ନା ପାଢୀ ବିଶେଷ ସହଯୋଗ କରିଥିଲେ । ଏହାପରେ ପିଲାମାନଙ୍କୁ କ୍ଷୀରି, ମିଠା ଓ ପିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ପ୍ରସାଦ ସେବନ କରିଥିଲେ ।

Comments