ଜଳ ପଥରେ ଆକ୍ରମଣ କଲେ ସମସ୍ତଙ୍କୁ ଜଳ ସମାଧି ଦିଆଯିବ


ନୂଆଦିଲ୍ଲୀ, ୨୭/୮  : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫(କ)ର ଉଚ୍ଛେଦକୁ ନେଇ ସ୍ୱୟଂ କାଶ୍ମୀରବାସୀ ଅସହିଷ୍ଣୁ ହେଉନଥିଲାବେଳେ ପଡ଼ୋଶୀ ପାକିସ୍ତାନର ଆଖିରୁ ନିଦ ହଜିଯାଇଛି  । ଫଳରେ ଦୀର୍ଘ ୭୦ ବର୍ଷ ଧରି ଜମ୍ମୁ-କାଶ୍ମୀରକୁ ନେଇ କୂଟନୀତି ଖେଳି ଘାଟିରେ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଆସୁଥିବା ପାକିସ୍ତାର ଖେଳ ସରିଯାଇଛି  । ଏଣୁ ଏହାରା ପ୍ରତିଶୋଧ ନେବା ଲାଗି ପାକ୍ ସେନା, ଏହାର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ କଳେ ବଳେ କୌଶଳେ ଭାରତର ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି  । ମାତ୍ର ଘାଟିରେ ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ଅଲ୍ଆଉଟ୍’ କରାଯାଇ ଆତଙ୍କୀବାଦୀଙ୍କୁ ନିପାତ କରାଯାଉଥିବାବେଳେ ସୀମାରେ ଭାରତୀୟ ସେନାର ସତର୍କ ପହରା ହେତୁ ସୀମା ଆରପଟୁ ଅନୁପ୍ରବେଶ ମଧ୍ୟ ଆଉ ସମ୍ଭବପର ହୋଇପାରୁ ନାହିଁ  । ଏଣେ ପାକିସ୍ତାନରେ ସାଧାରଣ ଜନଜୀବନ କ୍ରମେ ସ୍ୱାଭାବିକ ହେବାରେ ଲାଗିଛି  । ସେଠାରେ ସ୍କୁଲ, କଲେଜ, ବଜାର ହାଟ ଖୋଲିବା ସହ କାଶ୍ମୀର ସଚିବାଳୟରେ ଏବେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଫରଫର ହୋଇଉଡୁଛି  । ଏଣୁ ଏହାକୁ ଆଉ ସହିନପାରି ପାକ୍ ସମର୍ଥିତ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ସମୁଦ୍ର ପଥ ଦେଇ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ମସୁଧା ଚଳାଇଛି  । ଅନ୍ୟପଟେ ଯଦି ଜୈସ-ଇ-ମହମ୍ମଦ ଏଭଳି କୌଣସି ଅଣ୍ଡରୱାଟର ଆଟାକ କରେ ତା’ହେଲେ ତାକୁ ବିଫଳ କରିବା ସହ ଆକମ୍ରଣକାରୀ ଆତଙ୍କବାଦୀଙ୍କୁ ସମୁଦ୍ରରେ ହିଁ ବୁଡ଼ାଇ ମାରିଦେବୁ ବୋଲି ଭାରତୀୟ ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ ଚେତାବନୀ ଦେଇଛନ୍ତି  । ସେ ଆହୁରି କହିଥିଲେ ଯେ, ଭାରତୀୟ ନୌସେନା ଏଭଳି ଯେ କୌଣସି ଆକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି  । ଯଦି ସମୁଦ୍ରପଥରେ ପାକିସ୍ତାନ କୌଣସି ହରକତ କରେ ତେବେ ତାକୁ ବିଫଳ କରିଦିଆଯିବ  । ଆହୁରି ମଧ୍ୟ ଲେହରେ ସୀମା ଆରପଟେ ପାକିସ୍ତାନ ଓ ଚୀନର ଯୁଦ୍ଧବିମାନ ଗୁଡ଼ିକ ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି  । ତେବେ ସେମାନଙ୍କ ଗତିବିଧି ଉପରେ ଉଭୟ ଭାରତୀୟ ବାୟୁ ଓ ନୌସେନା କଡ଼ା ନଜର ରଖିବା ସହ ଯେ କୌଣସି ପ୍ରତିକୂଳାତ୍ମକ ପରିସ୍ଥିତି ର ମୁକାବିଲା ଲାଗି ପ୍ରସ୍ତୁତ ଅଛି ବୋଲି ଆଡମିରାଲ୍ ଶ୍ରୀ ସିଂହ କହିଛନ୍ତି  । ଉଲ୍ଲେଖଥାଉ କି, ୨୦୦୮ରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଭାରତ ତାର ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିସାରିଛି  । ଏଣୁ ଆଉ ଜଳପଥ ଦେଇ କୌଣସି ଅନୁପ୍ରବେଶ କରିବାକୁ ଯଦି କେହି ବି ଚେଷ୍ଟା କରନ୍ତି ତା’ହେଲେ ତାକୁ ନୌସେନା ବିଫଳ କରିଦେବ  । ଏଥିସହିତ ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ଉପରେ ମଧ୍ୟ ଭାରତୀୟ ନୌସେନା ତୀକ୍ଷ୍ମ ନଜର ରଖିଥିବା ଆଡମିରାଲ ଶ୍ରୀ ସିଂହ କହିଛନ୍ତି  ।

Comments