ନୂଆଦିଲ୍ଲୀ, ୨୬/୯ : ବହୁ ଚର୍ଚ୍ଚିତ ରାମଜନ୍ମ ଭୂମି-ଅଯୋଧ୍ୟା ମାମଲାର ଦୈନିକ ଶୁଣାଣି କରୁଥିବା ସୁପ୍ରିମ୍କୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତା ଅକ୍ଟୋବର ୧୮ତାରିଖ ପରେ ଆଉ ଏହାର କୌଣସି ଶୁଣାଣି କରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି । ଏଥିସହିତ ଆସନ୍ତା ନଭେମ୍ବର ୧୭ ତାରିଖ ସୁଦ୍ଧା ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକଶ ପାଇବ ବୋଲି ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି । ଏହି ଖବର ପ୍ରକାଶିତ ହେବା ପରେ ଶହ ଶହ ବର୍ଷ ଧରି ବିବାଦୀୟ ସ୍ଥାନରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଚାହିଁ ବସିଥିବା ସାଧୁସନ୍ଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗୁରୁବାର ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ସୁନ୍ନି ମୁସଲିମ ପକ୍ଷ ଏହାର ଯୁକ୍ତି ସମାପ୍ତ କରିଥିଲା । ଏହା ପରେ ନିର୍ମୋହୀ ଆଖଡ଼ାର ମାଲିକାନା ସତ୍ୱ ଉପରେ ସାନି ଯୁକ୍ତି ଉପସ୍ଥାପନ ପାଇଁ ଗୋଟିଏ ପକ୍ଷ ଦାବି କରିବାରୁ ପ୍ରଧାନବିଚାରପତି ଜଷ୍ଟିସ ଗୋଗୋଇ ବିରକ୍ତି ପ୍ରକାଶ କରି କହିଥିଲେ ଯେ, ଆପଣମାନେ କ’ଣ ଚାହୁଁଛନ୍ତି ଏହି ମାମଲା ଏହିଭଳି ଭାବେ ଲମ୍ବି ଚାଲିଥିବ ? ଆମେମାନେ ଦୈନିକ ଏହାର ଶୁଣାଣି କରୁଥିବୁ ? କ’ଣ ଆପଣମାନେ ଚାହୁଁଛନ୍ତି ଯେ ମୋର କାର୍ଯ୍ୟର ଅନ୍ତିମ ଦିବସ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଚାଲିଥାଉ ?
Comments
Post a Comment