ଜାମ୍ମୁ-କାଶ୍ମୀରରେ ହିଂସା ଓ ଆତଙ୍କର ପରିବେଶକୁ ତେଜିୟାନ ରଖିବା ପାଇଁ କୋଟି କୋଟି ଟଙ୍କାର ସୁପାରି

\nନୂଆଦିଲ୍ଲୀ,୩୦ା୯ : ଜାମ୍ମୁ-କାଶ୍ମୀରରେ ହିଂସା ଓ ଆତଙ୍କର ପରିବେଶକୁ ତେଜିୟାନରଖିବା ସହ ଏହାକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଆକର୍ଷଣ କରିବା ପାଇଁ ଏହି ବିଚ୍ଛିନ୍ନତାବାଦୀ ନେତାମାନେ ଆତଙ୍କବାଦୀ ହାଫିଜ୍ ସୟିଦ୍ ଠାରୁ କୋଟି କୋଟି ଟଙ୍କାର ସୁପାରି ଗ୍ରହଣ କରିଛନ୍ତି । ବିଭିନ୍ନ ବେନାମୀ ବିଦେଶୀ ଆକାଉଣ୍ଟରୁ ଏହି ବିଚ୍ଛିନ୍ନତାବାଦୀ ନେତାମାନଙ୍କ ବ୍ୟାଙ୍କ ଖାତାକୁ ଭିନ୍ନ ଭିନ୍ନ ସମୟରେ ପାଖାପାଖି ୫୮ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି । ସେହିପରି କାଶ୍ମୀରରେ ଥିବା କେତେକ ବ୍ୟବସାୟୀ ମଧ୍ୟ ଏହି ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ବିଭିନ୍ନସମୟରେ କୋଟି କୋଟି ଟଙ୍କା ଚାନ୍ଦା ପାଇଁ ଦେଇଛନ୍ତି । ଏହି ତାଲିକାରେ ଅଛନ୍ତି ମୀରୱାଜ ଉମର ଫାରୁକ, ୟାସିନ୍ ମଲ୍ଲିକ ଓ ସୟଦ ଅଲ୍ଲୀ ଶାହା ଗିଲାନୀ । ଏମାନେ ଏବେ ଜେଲ୍ରେ ଅଛନ୍ତି । ତେବେ ଏହି ବିଚ୍ଛିନ୍ନତାବାଦୀ ନେତା ଓ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବ୍ୟକ୍ତିଙ୍କୁ ହାତ କରି ହାଫିଜ୍ ସୟିଦ୍ ଆଇଏସ୍ଆଇ ଓ ପାକିସ୍ତାନ ସେନା ଜାମ୍ମୁକାଶ୍ମୀରରେ ହିଂସାକୁ ବିସ୍ତାର କରିବା ସହ ଧାର୍ମିକ ଆଳରେ ସାମାଜିକ ବିଷ ମଞ୍ଜି ବୁଣିବା ପାଇଁ ମଧ୍ୟ ଉଦ୍ୟମ କରି ଅନେକ ସଫଳ ହୋଇଥିବା କୁହାଯାଉଛି । ହାଫିଜ୍ ଓ ପାକିସ୍ତାନ ଠାରୁ ମୋଟା ଅଙ୍କର ସୁପାରି ନେଇ ଏହି ବିଚ୍ଛିନ୍ନତାବାଦୀ ନେତାମାନେ ବେଶ୍ ବିଳାସବ୍ୟସନ ଜୀବନ ଜିଇଁବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଦେଇ ଥଇଥାନ କରିଛନ୍ତି । ମାତ୍ର ସୁପାରି ନେଇଥିବା ଟଙ୍କା ମଧ୍ୟରୁ ମାତ୍ର ଅଳ୍ପ କିଛି ଉପଯୋଗ କରି କାଶ୍ମୀରର ନିରୀହ ଯୁବଗୋଷ୍ଠୀଙ୍କ ହାତରେ ପଥର ଓ ପିସ୍ତଲ ଦେଇ ଜିହାଦ୍ ନାମରେ ଭାରତର ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଏମାନେ ପ୍ରବର୍ତ୍ତାଇ ଆସୁଥିଲେ । ତେବେ କାଶ୍ମୀରରେ ଶାନ୍ତ ପରିବେଶକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ ଏବଂ ଏଠାରେ ଥିବା ଆତଙ୍କବାଦୀ ସଂଗଠନ ଗୁଡିକ କିଭଳି ସମସ୍ତ ଶକ୍ତି ଅନେକ ବର୍ଷ ଧରି ଖଟାଇ ଆସୁଥିଲେ ଏହାର ଖୁଲାସା କରିଛି ଜାତୀୟତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ମନିଲଣ୍ଡ୍ରିଂ ସହ ବେଆଇନ ଚାନ୍ଦା ଠୁଳ କରିବା ମାମଲାରେ ଗିରଫ ହୋଇଥିବା ଜାମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଏନ୍ଆଇଏ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି । \nଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଆଡକୁ ଗତି କରୁଛି । ସଠିକ୍ ରଣନୀତି ଯୋଗୁଁ ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ହିଂସା ଘାଟି ଅଂଚଳରେ ଘଟିନାହିଁ । ଅପରପଟେ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ଲଗାମ ଦିଆଯାଇଛି ଏବଂ ଏହି ସମୟ ମଧ୍ୟରେ ୧୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ମାତ୍ର ଜଣେ ସୁରକ୍ଷାକର୍ମୀ ସହିଦ୍ ହୋଇଛନ୍ତି । ସେହପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କୌଣସି\nସାଧାରଣ ନାଗରିକ ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଆତଙ୍କୀ ହମଲାର ଶିକାର ହୋଇନାହାନ୍ତି । 

Comments