୨୦୨୧ରେ ଡିଜିଟାଲ ଜନଗଣନା

ନୂଆଦିଲ୍ଲୀ,୨୩ା୯: ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନା ମୋବାଇଲ ଆପ ଯୋଗେ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଘୋଷଣା କରିଛନ୍ତି । ଏହାସହ ପ୍ରତ୍ୟେକ ନାଗରିକଙ୍କ ପାଇଁ ପାସପୋର୍ଟ, ଆଧାର, ଭୋଟର କାର୍ଡ ସମେତ ଅନ୍ୟ ପରିଚୟପତ୍ରକୁ ମିଶାଇ ଗୋଟିଏ ପରିଚୟପତ୍ର (ଏକକ ପରିଚୟପତ୍ର) ପ୍ରସ୍ତୁତ କରାଯିବ ବୋଲି ଶାହା ସୂଚନା ଦେଇଛନ୍ତି । ସୋମବାର ଅମିତ ଶାହା ଦିଲ୍ଲୀର ଜନଗଣନା ଭବନ ପାଇଁ ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ଅବସରରେ ଅମିତ ଶାହା କହିଥିଲେ ଯେ, ଜନଗଣନାର ପୂରା କୋଠା ସବୁଜ ରଙ୍ଗର ହେବ । ଜନଗଣନା ଦେଶର ଭବିଷ୍ୟତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆଧାର ହୋଇଥାଏ । ଏଥିପାଇଁ ଜନ ଭାଗିଦାରୀ ଆବଶ୍ୟକ । ୧୮୬୫ରେ ପ୍ରଥମ ଜନଗଣନା ହୋଇଥିଲା ଓ ଏବେ ଦେଶର ୧୬ତମ ଜନଗଣନା ହେବାକୁ ଯାଉଛି । କେତେକ ପରିବର୍ତ୍ତନ ଏବଂ ନୂଆ ପଦ୍ଧତି ଅନୁସାରେ ଚଳିତ ଥର ଜନଗଣନା ଡିଜିଟାଲ ହେବ । ୨୦୨୧ରେ ୧୬ତମ ଜନଗଣନା ମୋବାଇଲ ଆପ ମାଧ୍ୟମରେ କରାଯିବ । ଏଥିପାଇଁ ପାଖାପାଖି ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହାସହ ଜନଗଣନାର ଡିଜିଟାଲ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ରହିବ । ଲୋକେ ବିଶ୍ଲେଷଣ ପାଇଁ ଏହାର ବ୍ୟବହାର କରିପାରିବେ ବୋଲି ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଆମ ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଭୋଟ ପରିଚୟ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ରହିଛି । ହେଲେ ଏଥିପାଇଁ ଅଲଗା ଅଲଗା କାର୍ଡ ମିଳୁଛି । ଏଗୁଡିକ ଏକାଠି କାହିଁକି ଗୋଟିଏ କାର୍ଡରେ ଉପଲବ୍ଦ ହୋଇପାରିବ ନାହିଁ? ସବୁ ତଥ୍ୟକୁ ଗୋଟିଏ କାର୍ଡରେ ରଖାଯିବା ଭଳି ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହା ସମ୍ଭବ । କିନ୍ତୁ ଏଥିପାଇଁ ଡିଜିଟାଲ ଜାଗରଣ ହେବା ଉଚିତ୍\

Comments