ପ୍ରକୃତି ସଂରକ୍ଷଣ ସଭିଁଙ୍କ ଧ୍ୟେୟ ହେଉ


ନ୍ୟୁୟର୍କ,୨୩ା୯ : ୭ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମ୍ମିଳିତ ଓ ନିଷ୍ଠାପର ଉଦ୍ୟମ ଜରୁରୀ । କେବଳ କଥାରେ ନୁହେଁ କାମରେ କରି ପ୍ରମାଣିତ କରିବା ପାଇଁ ପଡିବ ଯେ, ଆମେ ପରିବେଶର ସୁରକ୍ଷା ପାଇଁ କେତେ ଯତ୍ନବାନ । ସମଗ୍ର ବିଶ୍ୱ ପାଇଁ ଏବେ ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ବିପଦ ରୂପେ ଉଭା ହୋଇଛି । ଏହାର ପ୍ରଭାବରେ ପ୍ରକୃତିର କରାଳ ରୂପ ବିଭିନ୍ନ ରାଷ୍ଟ୍ରକୁ ଭିନ୍ନ ଭିନ୍ନ ସମୟରେ କବଳିତ କରୁଛି । ବର୍ଷା ସମୟରେ ମୁଣ୍ଡଫଟା ଖରା, ଶୀତ ସମୟରେ ଲଗାଣ ବର୍ଷା, ଖରା ସମୟରେ ବିପରୀତ ପାଗ ଜନଜୀବନକୁ ପ୍ରଭାବିତ କରିବା ସହ ବିଭିନ୍ନ ରାଷ୍ଟ୍ରର ସାମାଜିକ, ଅର୍ଥନୈତିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଉଛି । ସେହିପରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଜୀବଜଗତର ସଂରଚନାକୁ ମଧ୍ୟ ଚ୍ୟାଲେଞ୍ଜ ଦେଉଛି । ଏହି ଅବସର ମୋଦି କହିଥିଲେ ଯେ, ପ୍ରକୃତି ସଂରକ୍ଷଣ ଓ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନକୁ ଏକ ନୂଆ ରୂପ ଦେବା ପାଇଁ ସମଗ୍ର ବିଶ୍ୱ ଏକ ଜନଆନ୍ଦୋଳନ ସୃଷ୍ଟି କରିବା ଆବଶ୍ୟକ । ଭାରତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଆସିଛି । ଅକ୍ଟୋବର ୨ରୁ ସମଗ୍ର ଦେଶରେ ଗୋଟିଏ ଥର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ନିଷିଧ ହେବ । ସେହିପରି ଭାରତରେ ମିଶନ ଜଳଜୀବନ ଆରମ୍ଭ ହୋଇଛି । ପାରମ୍ପାରିକ ଶକ୍ତି କ୍ଷେତ୍ରକୁ ବାଦ୍ ଦେଇ ଅଣ ପାରମ୍ପରିକ ଶକ୍ତି କ୍ଷେତ୍ରର ଉତ୍ସ ପାଇଁ ଭାରତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛି । ମୋଦିଙ୍କ ଏହି ଉଦ୍ବୋଧନକୁ ସମ୍ମିଳନୀରେ ଉପସ୍ଥିତ ଥିବା ଆମେରିକା, ଋଷ, ଚୀନ, ଜାପାନ, ଜର୍ମାନ, ଫ୍ରାନ୍ସ, ବ୍ରିଟେନ୍ ସମେତ ଅନେକ ରାଷ୍ଟ୍ର ମୁଖ୍ୟ ଭୂୟସୀ ପ୍ରଶଂସା କରିଥିବା ଲକ୍ଷ୍ୟ କରାଯାଇଥିଲା । 

Comments