ଭାରତରେ ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ


ଶ୍ରୀନଗର, ୨୭/୯ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫(କ)ର ଉଚ୍ଛେଦ ପରେ ଏଥିରୁ ଦୀର୍ଘ ୭୦ ବର୍ଷ ଧରି ଲାଭାନ୍ୱିତ ହୋଇଆସୁଥିବା ପାକିସ୍ତାନର ସ୍ୱାର୍ଥହାନୀ ଘଟିଛି  । ଏଣୁ ସେ ରାଗରେ ପାଗଳ ପ୍ରାୟ ହୋଇ ଭାରତରେ ନରସଂହାର ଚଳାଇବାକୁ ଯୋଜନା କରୁଛି  । କିନ୍ତୁ ୪ ଚାରି ଥର ସମ୍ମୁଖ ଯୁଦ୍ଧରେ ପରାସ୍ତ ହୋଇସାରିଥିବା ପାକିସ୍ତାନ ପୁଣି ଥରେ ସମ୍ମୁଖ ଯୁଦ୍ଧ କରିବାକୁ ସାହାସ ଜୁଟାଇ ପାରୁନି  । ଏଣୁ ସେ ଛାୟାଯୁଦ୍ଧ ବା ଭାରତୀୟ ସୀମା ମଧ୍ୟକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇ ଜମ୍ମୁ-କାଶ୍ମୀର ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ନରସଂହାର ଚଳାଇବାକୁ ଷଡ଼ଯନ୍ତ୍ର କରୁଛି  । ଏହି ମର୍ମରେ ଏଲ୍ଓସି ବା ନିୟନ୍ତ୍ରଣ ରେଖା ସେପଟେ ୩ରୁ ୪ ହଜାର ଯୁବକଙ୍କୁ ଜେହାଦ ନାମରେ ଠୁଳ କରାଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇ ସେମାନଙ୍କୁ ଭରାତ ମଧ୍ୟକୁ ଅନୁପ୍ରବେଶ କରାଇ ଏକ ବଡ଼ ଧରଣର ଆତଙ୍କୀ ହମ୍ଲ କରିବାକୁ ଯୋଜନା ଚଳାଇଥିବା ଜଣାପଡ଼ିଛି  । ଏହି ଯୁବକଙ୍କ ସହିତ ପାକ୍ ସେନା ବ୍ୟାଟ୍ କମାଣ୍ଡୋଙ୍କୁ ମଧ୍ୟ ପଠାଇବାକୁ ମସୁଧା ଚଳାଇଛି  । ଗୁଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସୀମାରେ ସୁରକ୍ଷାକର୍ମୀମାନେ ଅଧିକ ଜାଗତିଆର ହୋଇ ପହରାକୁ କଡ଼ାକଡ଼ି କରିଦେଇଛନ୍ତି  । ଅନ୍ୟପଟେ ବାରମ୍ବାର ଅନୁପ୍ରବେଶ କରିବାକୁ ଚେଷ୍ଟା କରି ଭାରତୀୟ ଜୱାନଙ୍କ ଗୁଳିମାଡ଼ରେ ପ୍ରାଣ ହରାଉଛନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କୀ  । ଏହି ସଂକ୍ରାନ୍ତୀୟ କେତେକ ଭିଡିଓକୁ ସେନା ପକ୍ଷରୁ ଅପଲୋଡ କରାଯାଇଛି  । ଏଥିରେ ଗତ ଜୁଲାଇ ୩୦ ତାରିଖରେ ଏଲ୍ଓସି ନିକଟସ୍ଥ କୁପୱାଡା ସେକ୍ଟରରେ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲାବେଳେ ଭାରତୀୟ ଜୱାନମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ  । ଫଳରେ ଆତଙ୍କବାଦୀମାନେ ଆଉ ଆଗକୁ ନ ବଢ଼ି ବାଧ୍ୟ ହୋଇ ପଛଘୁଞ୍ଚା ଦେଇ ପଛକୁ ଫେରିଯାଇଥିଲେ  । ସେହିଭଳି ଗତ ୧୨ ଓ ୧୩ ସେପ୍ଟେମ୍ବର ମଧ୍ୟରାତ୍ରିରେ ପାକିସ୍ତାନ ପଟୁ ଏଲ୍ଓସି ଅତିକ୍ରମ କରିବାକୁ ପ୍ରୟାସ କରାଯାଇଥିଲା  । ଏହାକୁ ମଧ୍ୟ ଭାରତୀୟ ସେନା ବିଫଳ କରିଦେଇଥିଲା ଏବଂ ଭାରତୀୟ ଜୱାନଙ୍କ ଗୁଳିମାଡ଼ରେ ପାକିସ୍ତାନର ଜଣେ ବ୍ୟାଟ୍ କମାଣ୍ଡୋ ପ୍ରାଣ ହରାଇଥିଲା  । ଉକ୍ତ ବ୍ୟାଟ୍ କମାଣ୍ଡୋର ଶବ ବହୁଦିନ ପର୍ଯ୍ୟନ୍ତ ଏଲ୍ଓସି ନିକଟରେ ପଡ଼ିଥିଲେ ହେଁ ପାକିସ୍ତାନୀ ସେନା ତାକୁ ନେବାକୁ ଆସିନଥିଲା  ।

Comments