ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରମ୍ବନ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ବନ୍ଧକ ରଖିଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଅପରେସନ୍ ପରେ ସେନା ପକ୍ଷରୁ ଉଦ୍ଧାର କରାଯାଇଛି । ଏହା ସହିତ ଉକ୍ତ ଘରେ ଳୁଚିଥିବା ଥିବା ୩ ଆତଙ୍କବାଦୀ ସେନା ଗୁଳିରେ ମୃତ୍ୟୁବରଣ କରିଛନ୍ତି ।
ଜଣେ ସ୍ଥାନୀୟ ଅଧିବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ଲୋକଙ୍କ ବେଶରେ ଆସିଥିବା ୩ ଜଣ ସଶସ୍ତ୍ର ଆତଙ୍କବାଦୀ ରମ୍ବନ ଜିଲ୍ଲାର ବାଟୋଟେ ଅଞ୍ଚଳରେ ଏକ ଘରେ ପଶିଯାଇଥିଲେ । ସେମାନରେ ପରିବାରର ଅନ୍ୟ ସଦସ୍ୟଙ୍କୁ ବାହାର କରିଦେଇ ଘରମାଲିକ ବିଜୟ କୁମାରଙ୍କୁ ବନ୍ଧକ ରଖିଥିଲେ । ଖବର ପାଇ ସେନା ସଂପୃକ୍ତ ଅଞ୍ଚଳରେ ପହଞ୍ଚିବା ସହ ଉକ୍ତ ବନ୍ଧକ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବା ପରେ ତାହାର ଜବାବ ଦିଆଯାଇଥିଲା । ଏହି ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏହି ଘଟଣାରେ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ।
ଜମ୍ମୁ-କାଶ୍ମୀରର ବନ୍ଧକ ଥିବା ବରିଷ୍ଠ ନାଗରିକଙ୍କୁ ମୁକୁଳାଇବା ସହ ଶନିବାର ତିନିଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ଭାରତୀୟ ସେନାର ଯବାନମାନେ ଖୁସି ମନାଇଛନ୍ତି। ଏହି ସମୟର ଭିଡିଓ ଗଣମାଧ୍ୟମକୁ ଆସିଛି। ଦୀର୍ଘ ସମୟର ଗୁଳି ବିନିମୟ ପରେ ଯବାନମାନେ ଆତଙ୍କବାଦୀଙ୍କୁ ସଫା କରିବାରେ ସମର୍ଥ ହୋଇଥିଲେ। ଏହି ଅପରେସନର ସଫଳତା ପରେ ଖୁସୀ ମନାଇଛନ୍ତି ଯବାନ । ପାକିସ୍ତାନ ମୁର୍ଦ୍ଦାବାଦ୍ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦ୍ ନାରା ଦେଇ ଝୁମୁଛନ୍ତି । ଏଏନଆଇ ପକ୍ଷରୁ ଯବାନଙ୍କ ଏହି ସମୟର ଏକ ଭିଡିଓ ସେୟାର୍ କରାଯାଇଛି । ଏହି ଭିଡିଓରେ କିଛି ସ୍ଥାନୀୟ ଅଧିବାସୀ ପଛରେ ଠିଆ ହୋଇଥିବା ନଜର ଆସୁଛନ୍ତି । ସକାଳୁ ଚାଲିଥିବା ଅପରେସନକୁ ସଫଳତା ପୂର୍ବକ ସମାପ୍ତ କରି ସେନାର ଯବାନ ଉତ୍ସବ ପାଳନ କରିଥିଲେ ।
Comments
Post a Comment