ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ‘ଜାମ୍ମୁ-କାଶ୍ମୀର- ରାଷ୍ଟ୍ରୀୟ ଏକାତ୍ମତାର ସଂକଳ୍ପ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ଅରୁଣ କୁମାର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।
ଜାମ୍ମୁ-କାଶ୍ମୀର ବିଷୟ ଉପରେ ଚର୍ଚ୍ଚା କରି ଅରୁଣଜୀ କହିଲେ ଯେ, ଆଜି ଜାମ୍ମୁ-କାଶ୍ମୀର ବିଷୟରେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାର ଶ୍ରେୟ ମହାରାଜ ହରିସିଂହ, ବିଗ୍ରେଡିୟର ରାଜେନ୍ଦ୍ର ସିଂହ, ମକବୁଲ ଶେରବାନୀ, ମାଷ୍ଟର ଅବଦୁଲ ଅଜିଜ, କର୍ଣ୍ଣେଲ ଚୁଆଙ୍ଗ, ପଣ୍ଡିତ ପ୍ରେମନାଥ ଡୋଗରା, ବଲରାଜ ମାଧକ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜିଙ୍କ ପରି ବୀରଙ୍କ ବଳିଦାନକୁ ଯାଉଛି । ସେମାନେ ତାଙ୍କର ଜୀବନକୁ ସମର୍ପିତ କରିଦେଇଛନ୍ତି ଏବଂ ସେମାନଙ୍କର ପ୍ରୟାସ ଯୋଗୁଁ ଆଜି କାଶ୍ମୀରରେ ଏକ ବିଧାନ, ଏକ ପ୍ରଧାନ ଏବଂ ଏକ ନିଶାନର ସଂକଳ୍ପ ପୂର୍ଣ୍ଣ ହୋଇଛି ।

ଅରୁଣ ଜୀ ଧାରା ୩୭୦ ଉପରେ ଡ. ଆମ୍ବେଦକରଙ୍କ ବିଚାର ବିଷୟରେ ଚର୍ଚ୍ଚା କରିବା ସହିତ ସେହି ସମୟରେ ସମକାଳୀନ ନେତା ଏହି ବିଷୟ ଉପରେ ଯେଉଁ ବିଚାର ରଖିଥିଲେ ସେ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ । ଜାମ୍ମୁ-କାଶ୍ମୀରର ମିଶ୍ରଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ଶ୍ରୀ ଗୁରୁଜୀ ଏବଂ ସଂଘର ଭୂମିକା ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଅରୁଣଜୀ କହିଲେ ଯେ, ୭୨ ବର୍ଷ ପରେ ମଧ୍ୟ ଦେଶର ପ୍ରତ୍ୟେକ ଦେଶପ୍ରେମୀ ନାଗରକ, ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଦଳର ନେତାମାନେ ମଧ୍ୟ ୩୭୦ ଧାରାକୁ ହଟାଇବା ପାଇଁ ସହଯୋଗ କରିଥିଲେ ।
ସେ କହିଲେ ଯେ ୩୭୦ ଧାରା ତ ଉଠିଗଲା କିନ୍ତୁ ଅଲଗାବାଦ, ଆତଙ୍କବାଦ ଏବଂ କଟ୍ଟରବାଦଙ୍କ ଠାରୁ ଆମକୁ ଜାମ୍ମୁ-କାଶ୍ମୀରକୁ ମୁକ୍ତ କରିବାକୁ ହେବ । ଯଦି ଏହା କରାନଯାଏ ତେବେ ଜାମ୍ମୁ-କାଶ୍ମୀରର ବିକାଶ ହେବ ନାହିଁ କି ଶାନ୍ତି ଫେରିବ ନାହିଁ ।
ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଠିଯିବା ପରେ ରାଷ୍ଟ୍ରର ଅନ୍ୟ ଲୋକଙ୍କ ଭୂମିକା କଣ, ଏହି ବିଷୟରେ ଆଲୋଚନା କରି ଅରୁଣଜୀ କହିଲେ ଯେ, ଜାମ୍ମୁ-କାଶ୍ମୀର ବାସୀଙ୍କ ମଧ୍ୟରେ ଏକାତ୍ମତା ଭାବ ଜାଗ୍ରତ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏଥିପାଇଁ ଆମକୁ ଏକ ରାଷ୍ଟ୍ରୀୟ ଆନ୍ଦୋଳନ କରିବାକୁ ହେବ । ଜାମ୍ମୁ-କାଶ୍ମୀର ବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ହେବ ଯେ, ଦେଶ ସେମାନଙ୍କୁ ସ୍ୱାଗତ କରୁଛି ଏବଂ ତାଙ୍କର ବିକାଶ ପାଇଁ ଦେଶର ସମସ୍ତ ନାଗରିକ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛନ୍ତି ।
Comments
Post a Comment