ଶ୍ରୀମାନ ଭାଗବତ ଜୀ କହିଛନ୍ତି ଯେ ସଙ୍ଘକୁ ବୁଝିବାକୁ ହେଲେ ସଙ୍ଘକୁ ଆସିବାକୁ ପଡିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ ଛୋଟ ବଡ ପଦବୀ କିଛି ନାହିଁ । ସମସ୍ତ ସ୍ୱୟଂସେବକ ସମାନ । କେବଳ ଦାୟୀତ୍ୱ ଆଧାରରେ ହିଁ ସଙ୍ଘରେ କିଏ କେଉଁ ସ୍ଥାନରେ ଥାଇପାରେ । ହେଲେ ସମସ୍ତଙ୍କର ଲକ୍ଷ୍ୟ ଏକ, ଉଦ୍ଦେଶ୍ୟ ସମାନ ଓ କାର୍ଯ୍ୟପଦ୍ଧତି ବି ଏକା । ଏହା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ।

ଦେଶର ଭାଗ୍ୟ ବଦଳିବା ପାଇଁ କେଉଁ ସରକାର, କେଉଁ ନେତା, କେଉଁ ମହାପୁରୁଷ ଯଥେଷ୍ଟ ନୁହନ୍ତିି । କେବଳ ସମାଜ ହିଁ ସେହି ରାଷ୍ଟ୍ରର ଭାଗ୍ୟ ବଦଳାଇ ପାରିବ । ସାଧାରଣ ଲୋକ ଯେତେବେଳେ ନିଜର ସ୍ୱାର୍ଥକୁ ଭୁଲିଯିବେ ଯେତେବେଳେ ସମାଜର ବୃହତର ସ୍ୱାର୍ଥ ସାଧନ ହେବ । ସମାଜର ଶ୍ରେଷ୍ଠତ୍ୱ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି । ପ୍ରତି ଗାଁ, ପ୍ରତି ସମାଜ, ପ୍ରତି ଗଳିରେ ଏପରି ବ୍ୟକ୍ତିତ୍ୱ ନିର୍ମାଣ ହେବା ଜରୁରୀ, ଯେଉଁମାନେ ସମାଜର ନେତୃତ୍ୱ ନେଇପାରିବେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଶାଖା ଦ୍ୱାରା ଏପରି ବ୍ୟକ୍ତି ନିର୍ମାଣ ହୁଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶାଖାରେ କେବଳ ରାଷ୍ଟ୍ର ଭାବନା ଜାଗ୍ରତ ହୁଏ, ତାହା ନୁହେଁ ଏହାସହ ପ୍ରତିଦିନ ସମାଜ ଭୋଗୁଥିବା ସାମାଜିକ ଅସୁବିଧାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ମଧ୍ୟ ହୋଇଥାଏ ବୋଲି ମୋହନଜୀ କହିଛନ୍ତି ।

ଭାରତରେ ବିବିଧତା ମଧ୍ୟରେ ଏକତା ନୁହେଁ ବରଂ ଏକତା ଭିତରେ ଭିନ୍ନତା ଅଛି । ଆଉ ଏହା ହିଁ ଭାରତବର୍ଷର ସବୁଠାରୁ ସୁନ୍ଦର କଥା । ଆମର ଭାଷା ଅଲଗା, ଖାଦ୍ୟ ଅଲଗା, ବେଶ ପୋଷାକ ଅଲଗା । ତଥାପି ବି ଆମେ ଯୁଗ ଯୁଗରୁ ଏକ ସଂସ୍କୃତି ଓ ଏକ ରାଷ୍ଟ୍ରଭାବରେ ବାନ୍ଧି ହୋଇଆସିଛେ । ହିନ୍ଦୁ ଏକ ସଂସ୍କୃତିର ନାମ । ବିଶ୍ୱରେ ଶରଣାର୍ଥୀ ସାଜିଥିବା ଇହୁଦି, ପାର୍ସୀମାନଙ୍କୁ ଭାରତହିଁ ଆଶ୍ରୟ ଦେଇଛି । ବିଶ୍ୱର ସର୍ବାଧିକ ସୁଖୀ ମୁସଲମାନ ସମାଜ ଭାରତରେ ହିଁ ରହନ୍ତିି । ବିଶ୍ୱର ଅନ୍ୟ ଦେଶମାନେ ଯେପରିକି ଆମେରିକାକୁ ବ୍ୟବସାୟ, ଆରବକୁ ଇସଲାମ, ଗ୍ରେଟ ବ୍ରିଟେନକୁ ଇଂରାଜୀ ଭାଷା ଗୋଟିଏ ରାଷ୍ଟ୍ର ଭାବରେ ବାନ୍ଧି ରଖିଛି । ହେଲେ ଭାରତ ଯୁଗ ଯୁଗରୁ ଏକ ସାଂସ୍କୃତିକ ରାଷ୍ଟ୍ର ଭାବେ ରହିଆସିଛି । ଭାରତର ବିଚାର ହେଉଛି ଦୁନିଆର ସର୍ବଶ୍ରେଷ୍ଠ ବିଚାର । ଭାରତରେ କିଏ ସବୁଠାରୁ ଅଧିକ ଧନୀ ତାର ତାଲିକା କେବେ ହୁଏ ନାହିଁ । ଆମ ଦେଶରେ ଜ୍ଞାନ, ତ୍ୟାଗ, ତପସ୍ୟା ଆଧାରରେ ହିଁ ବ୍ୟକ୍ତିର ମୂଲ୍ୟାଙ୍କନ ହୁଏ । ବିଶ୍ୱର ସମସ୍ତ ସଙ୍କଟର ସମାଧାନ ପାଇଁ ସେ ଭାରତ ଆଡକୁ ଚାହିଁଛି । ବିଶ୍ୱ କଲ୍ୟାଣ ପାଇଁ ଏକ ସଙ୍ଗଠିତ ହିନ୍ଦୁସମାଜକୁ ଆମସମସ୍ତଙ୍କୁ ମିଳିମିଶି ଠିଆ କରିବା ପାଇଁ ପଡିବ ବୋଲି ମୋହନ ଜୀ କହିଛନ୍ତି । \nଆଜିର ଏହି ବିଶିଷ୍ଟ ନାଗରିକ ସମ୍ମିଳନିର ମଂଚରେ ପ୍ରାନ୍ତ ସଙ୍ଘଚାଳକ ମାନନୀୟ ସମୀର କୁମାର ମହାନ୍ତି, ବିଭାଗ ସଙ୍ଘଚାଳକ ମାନନୀୟ ବୈକୁଣ୍ଠନାଥ ସାହୁ ଓ ମହାନଗର ସଙ୍ଘଚାଳକ ମାନନୀୟ ବସନ୍ତ କୁମାର ପତି ଉପସ୍ଥିତ ଥିଲେ । ମହାନଗର ସଂପର୍କ ପ୍ରମୁଖ ଶ୍ରୀଯୁକ୍ତ ଜୟକୃଷ୍ଣ ପୃଷ୍ଟି କାର୍ଯ୍ୟକ୍ରମର ସଂଯୋଜନା କରୁଥିଲେ ।
Comments
Post a Comment