କଟକ, ତା ୨୬ା୧୦- ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ପ୍ରଥମ ପ୍ରାନ୍ତ ପ୍ରଚାରକ ସ୍ୱର୍ଗତ ବାବୁରାଓ ପାଲଧିକରଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ କଲେଜଛକସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଭାରତୀୟ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଡକ୍ଟର ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ‘ଶ୍ରୁତି’ର ସମ୍ପାଦକ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥି ଓ ଆର୍ଏସ୍ଏସ୍ର ବରିଷ୍ଠ ପ୍ରଚାରକ ସୁନୀଲପଦ ଗୋସ୍ୱାମୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ । ସମିତର ସମ୍ପାଦକ ନୃସିଂହ ଚରଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବା ପରେ ମାନଗୋବିନ୍ଦ ସାହୁ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଭାରତୀୟ କିଶାନ ସଂଘର ଜାତୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ଆର୍ଏସ୍ଏସ୍ର କଟକ ବିଭାଗ ସହକାର୍ଯ୍ୟବାହ କୁମର ସାହୁ, କଟକ ନଗର ସଂଘଚାଳକ ବିପିନ ବିହାରୀ ରାଉତ, ଆଡ଼ଭୋକେଟ ଅନୁପ କୁମାର ବୋଷ ଓ ରାଧେଶ୍ୟାମ ଚିମନକା, ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅଶୋକ କୁମାର ସାହୁ, ସମାଜସେବୀ ତୁଷାର ସିଂହ ଓ ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ସ୍ୱର୍ଗତ ପାଲଧିକରଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଲେ ଯେ, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରି ସେଠାରେ ଶିକ୍ଷାଲାଭ କରିଥିବା ସ୍ୱର୍ଗତ ପାଲଧିକର ଓଡ଼ିଶାକୁ ତାଙ୍କର କର୍ମଭୂମି ରୂପେ ବାଛିନେଇଥିଲେ । ସେ ୧୯୪୯ ମସିହାରେ କଟକ ଆସି ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଶାରେ ଆର୍ଏସ୍ଏସ୍ କାର୍ଯ୍ୟର ବିସ୍ତାର ଦିଗରେ ଲାଗିଥିଲେ । ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ ଆଜି ଆର୍ଏସ୍ଏସ୍ର ମୂଳଦୁଆ ଦୃଢ଼ ହୋଇପାରିଛି ।
ପ୍ରାରମ୍ଭରେ ଭାରତୀୟ ସଂସ୍କୃତି ପ୍ରଚାର ସମିତିର କୋଷାଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ପରିଚାଳନା ସମିତି ସଦସ୍ୟା ଅଧ୍ୟାପିକା କୃଷ୍ଣପ୍ରିୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ‘ରାଷ୍ଟ୍ରଦୀପ’ର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର, ରୋଟାରିଆନ ଏ.ବି. ମହାପାତ୍ର, ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର, ଆଡ଼ଭୋକେଟ ସର୍ବେଶ୍ୱର ବେହେରା, ସମାଜସେବୀ ବ୍ରଜେନ୍ଦ୍ର ରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
Comments
Post a Comment