ନୂଆଦିଲ୍ଲୀ: ଚୀନ ଉତ୍ପାଦିତ ବାଣଗୁଡିକ ପରିବେଶ ପାଇଁ କ୍ଷତିକାରକ। ଏଥିରେ ରେଡ ଲେଡ, କପର ଅକ୍ସାଇଡ ଏବଂ ଲିଥିୟମ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିବାରୁ ଏହାକୁ ବିସ୍ଫୋରକ ଆଇନ-୨୦୦୮ ଅଧୀନରେ ନିଷେଧ କରାଯାଇଛି; କିନ୍ତୁ ନିଜର ବାର୍ଷିକ ଅର୍ଥନୈତିକ ଟାର୍ଗେଟ ପୂରଣ ନିମନ୍ତେ ଚୀନ ଡିଲରମାନେ ଭାରତୀୟ ବଜାରକୁ ନିଶାଣ କରିଛନ୍ତି। ଆଗାମୀ ଦୀପାବଳିକୁ ଦୃଷ୍ଟିରେ ରଖି ଚୀନ ବାଣ ବ୍ୟବସାୟୀମାନେ ଭାରତୀୟ ବଜାରକୁ ବିଷାକ୍ତ ବାଣର ଚୋରାଚାଲାଣ କରିଛନ୍ତି। ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରୁଥିବା ଏହି ବାଣଗୁଡିକ ସମ୍ପ୍ରତି ବହୁଳ ପରିମାଣରେ ଭାରତୀୟ ବଜାରରେ ପହଞ୍ଚିସାରିଛି ବୋଲି ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆରଆଇ) ସମସ୍ତ ତଦନ୍ତକାରୀ ତଥା ଗୁଇନ୍ଦା ସଂସ୍ଥାକୁ ସତର୍କ କରାଇଛି। ଡିଆରଆଇର ସୂଚନା ଅନୁସାରେ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ବାଣ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି। ଡିଆରଆଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବୈଦେଶିକ ବାଣିଜ୍ୟ ନିର୍ଦେଶାଳୟ ପକ୍ଷରୁ ଆମଦାନୀ ଲାଇସେନ୍ସ ଜାରି କରାଯିବା ପରେ ହିଁ ଏଭଳି ବାଣ ଆମଦାନୀ କରାଯାଇପାରିବ। ଏଣୁ ଏହି ଲାଇସେନ୍ସ ହାସଲ କରିବା ନିମିତ୍ତ ଅସାଧୁ ବ୍ୟବସାୟୀମାନେ ବେଆଇନ ଉପାୟ ଅବଲମ୍ବନ କରୁଛନ୍ତି। ଏହାକୁ ନେଇ ଏକାଧିକ ସତର୍କସୂଚନା ଜାରି କରାଯାଇଛି। ସୀମାଶୁଳ୍କ ପ୍ରବର୍ତ୍ତନ ଶାଖା ଦ୍ବାରା ଜବତ କରାଯାଇଥିବା ଏଭଳି କ୍ଷତିକାରକ ବାଣ ଏହାର ଚୋରା କାରବାରକୁ ନେଇ ଚିନ୍ତା ବୃଦ୍ଧି କରିଛି। ଏଣୁ ଏଭଳି ବାଣ ଯଥାସମ୍ଭବ ଜବତ କରିବା ତଥା ଏଭଳି କାରବାର ସମ୍ବନ୍ଧରେ ଭବିଷ୍ୟତରେ ସୂଚନା ପ୍ରଦାନ କରିବା ଲାଗି ଏସଆଇଆଇବି ଭଳି ବିଭିନ୍ନ ଗୁଇନ୍ଦା ଓ ତଦନ୍ତକାରୀ ସଂସ୍ଥାଗୁଡିକୁ ସୂଚୀତ କରାଯାଇଛି।
Comments
Post a Comment