ରାମମନ୍ଦିର ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ


ନୂଆଦିଲ୍ଲୀ,୧୧ ।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗତ ୯ ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଚର୍ଚ୍ଚିତ ୨.୭୭ଏକର ଜମି ରାମଲାଲାଙ୍କର ବୋଲି ଦର୍ଶାଇ ମନ୍ଦିର ନିର୍ମାଣ ନିମନ୍ତେ ତିନିମାସ ମଧ୍ୟରେ କେନ୍ଦ୍ର ସରକାର ଏକ ବୋର୍ଡ ଅଫ ଟ୍ରଷ୍ଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଆଟର୍ଣ୍ଣି ଜେନେରାଲ ଏବଂ ବିଧି ମନ୍ତ୍ରାଳୟ ଠାରୁ ପରାମର୍ଶ ଗ୍ରହଣ କରି ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହା ସୁପ୍ରିମକୋର୍ଟଙ୍କ ରାୟର ବୈଷୟିକ ଦିଗ ସମ୍ପର୍କରେ ଅନୁଧ୍ୟାନ କରିବ । ଅଯୋଧ୍ୟା ଆଇନ ୧୯୯୩ ଧାରା ୬ ଓ ୭ ଅନ୍ତର୍ଗତ କେନ୍ଦ୍ର ସରକାର ଚର୍ଚ୍ଚିତ ୨.୭୭ ଏକର ଜମି ସମେତ ଶ୍ରୀରାମ ଜନ୍ମଭୂମି ନ୍ୟାସର ପ୍ରାୟ ୬୭.୭୦୩ଏକର ଜମିକୁ ନିଜ ଅଧିନରେ ରଖିଛନ୍ତି । ଏହି ଜମି କିଭଳି ପ୍ରସ୍ତାବିତ ଟ୍ରଷ୍ଟକୁ ହସ୍ତାନ୍ତରଣ କରାଯିବ ସେଥିନେଇ ସରକାର ଆଇନଗତ ଦିଗ ତର୍ଜମା କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଯୋଧ୍ୟା ଆଇନ ୧୯୯୩ ଧାରା ୬ ଅନ୍ତର୍ଗତ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବେ ଏବଂ ଏହି ଟ୍ରଷ୍ଟକୁ ଜମି ହସ୍ତାନ୍ତରଣ କରାଯିବ ସହିତ ମନ୍ଦିର ନିର୍ମାଣ ଓ ପରିଚାଳନା ଦାୟିତ୍ୱ ଦିଆଯିବ । ଟ୍ରଷ୍ଟର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଅଧିନରେ ରହିବ । ଏବେ କେନ୍ଦ୍ର ସରକାର ନିକଟରେ ଥିବା ଶ୍ରୀରାମ ଜନ୍ମଭୂମି ନ୍ୟାସର ୬୭.୭୦୩ଏକର ଜମି ପ୍ରସ୍ତାବିତ ଟ୍ରଷ୍ଟକୁ ଦେବା ବା ନଦେବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ବୋଲି କୋର୍ଟ କହିଛନ୍ତି । ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଯୋଧ୍ୟାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ବାଧାବିଘ୍ନ ଦୂର କରି ଆଇନଗତ ପ୍ରକ୍ରିୟାରେ ଟ୍ରଷ୍ଟ ଗଠନ କରି ତିନିମାସ ମଧ୍ୟରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

Comments