ଶ୍ରବଣ ଶକ୍ତିଜନିତ ସମସ୍ୟା ଓ ଏହାର ସମାଧାନ


ନାରାୟଣ ଚନ୍ଦ୍ର ବିଶ୍ୱାଳ
ବିଭିନ୍ନ ଶବ୍ଦକୁ ଶୁଣିବା ପାଇଁ ଆମର ଶ୍ରବଣ ଶକ୍ତି ଥାଏ  । ଯଦି ଦୈବାତ୍ ଆମର ଶ୍ରବଣ ଶକ୍ତି ନଷ୍ଟ ହୋଇଯାଏ ତେବେ ଆମକୁ ପୃଥିବୀ ସ୍ତବ୍ଧ ହୋଇଗଲା ପରି ଲାଗେ  । ଆମେ ଆଉ ଶୁଣିପାରୁନା ଶୃତି ମଧୁର ସଂଗୀତ, ନିଜ ଲୋକ ମାନଙ୍କର ଆଳାପ ଆଲୋଚନା ତଥା ଏହିପରି କେତେ କ\'ଣ  । ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତି ହୋଇ ମାନବ ସମାଜ ଠାରୁ ଭିନ୍ନ, ସେ ଆଉ ଜଣେ ସାଧାରଣ ମଣିଷ ହୋଇ ରହେନାହିଁ, ହୋଇଯାଏ ଶରୀରିକ ବିକଳାଙ୍ଗ  । ତେବେ କାହିଁକି ହୁଏ ଏହି ଶ୍ରବଣ ଶକ୍ତି ନଷ୍ଟ ଏବଂ ଏହାର କାରଣ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ତଥ୍ୟ  । ଶ୍ରବଣ ଶକ୍ତି ହ୍ରାସର ଲକ୍ଷଣ : ଶ୍ରବଣ ଶକ୍ତି ନଷ୍ଟ ହେବାର ଲକ୍ଷଣ ମାନଙ୍କ ମଧ୍ୟରେ ଉଭୟ କାନ କିମ୍ବା ଗୋଟିଏ କାନରେ ଯନ୍ତ୍ରଣା ଅନୁଭୂତ ହେବା  । କାନ ବଧିରା ଲାଗିବା, କାନରେ ରିଂ ରିଂ ଶବ୍ଦ ହେବା  । ଉଭୟ କାନ କିମ୍ବା ଗୋଟିଏ କାନରେ ଚାପ ଅନୁଭୂତ ହେବା କିମ୍ବା କାନ ଭର୍ତ୍ତି ହୋଇଯିବା ଭଳି ଲାଗିବା  । ଉପରୋକ୍ତ ଲକ୍ଷଣ ମାନ ଦେଖାଦେଲେ ଜଣାଯାଏ ଯେ କାନର ଶ୍ରବଣ ଶକ୍ତି ନଷ୍ଟ ହୋଇଛି  । ଶ୍ରବଣ ଶକ୍ତି ନଷ୍ଟ ହେବାଦ୍ୱାରା ଆପଣ ନିଜ ପରିବାର ଏବଂ ସମାଜ ଠାରୁ ଏକ ପ୍ରକାର ଦୂରେଇ ଯାଆନ୍ତି  । କାରଣ ଆପଣଙ୍କୁ କିଛି ନଶୁଭିବା ଯୋଗୁଁ ଆପଣଙ୍କ ସହିତ କେହି ବେଶୀ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ  । କେବଳ ଠାର ମାଧ୍ୟମରେ ଯାହା କିଛି ଭାବର ଆଦାନ ପ୍ରଦାନ କରାଯାଇଥାଏ  । ଶ୍ରବଣ ଶକ୍ତି ହ୍ରାସ ଦ୍ୱାରା ମଧ୍ୟ ମଣିଷର ମନୋବଳ ଦୁର୍ବଳ ହୋଇଯାଇଥାଏ ଏବଂ ସେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥାଏ, କାରଣ କୌଣସି ବିଷୟରେ ଶୁଣିବା ଏବଂ କିଛି ମତାମତ ଦେବାରେ ଭୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ  । ଚିକିତ୍ସା : ଶ୍ରବଣ ଶକ୍ତି ନଷ୍ଟ ହେବାର ସମ୍ଭାବନା ଦେଖାଦେଲେ ଡାକ୍ତର ଏକ ଅଡ଼ିଓଗ୍ରାମ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଥାନ୍ତି  । ଏହାଦ୍ୱାରା ଡାକ୍ତର ଶ୍ରବଣଶକ୍ତିର ଡେସିବଲ (ଶ୍ରବଣ ଶକ୍ତି ମାପର ଏକକ) ଡିଗ୍ରୀ ଅନୁସାରେ ଚିକିତ୍ସା କରିଥାନ୍ତି  । ଶ୍ରବଣଶକ୍ତି ହ୍ରାସ ହୋଇଥିବା ବ୍ୟକ୍ତିମାନେ କେବଳ ଉଚ୍ଚତର ଶବ୍ଦ ତରଙ୍ଗକୁ ଶୁଣି ପାରିଥାନ୍ତି କିନ୍ତୁ ସାଧାରଣ ଶବ୍ଦକୁ ଶୁଣି ପାରିନଥାନ୍ତି  । ସାଧାରଣ ମଣିଷ ୦-୨୦ ଡେସିବଲ ଡିଗ୍ରୀର ଶବ୍ଦ ତରଙ୍ଗ ଶୁଣିପାରିଥାନ୍ତି  । ମଣିଷର ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ୧୦ ଡେସିବଲ ହୋଇଥାଏ  । ଏହାଠାରୁ ଆହୁରି କ୍ଷୀଣ ଶବ୍ଦ ମଧ୍ୟ ଶୁଣିପାରେ  । କିନ୍ତୁ ଶ୍ରବଣଶକ୍ତି ହରାଉଥିବା ବ୍ୟକ୍ତିମାନେ ଅତିକମ୍ରେ ୪୧-୫୫ ଡେସିବଲ ଡିଗ୍ରୀର ଶବ୍ଦ ତରଙ୍ଗକୁ ଶୁଣିବାରେ ସକ୍ଷମ ହୁଅନ୍ତି ଏହା ଠାରୁ କମ୍ ଡେସିବଲ ଶବ୍ଦ ସେମାନେ ଶୁଣି ପାରନ୍ତି ନାହିଁ  । ସେହିପରି ଅତ୍ୟଧିକ ଶ୍ରବଣଶକ୍ତି ହ୍ରାସ ହୋଇଥିବା ବ୍ୟକ୍ତିମାନେ ୭୧-୯୦ ଡେସିବଲ ଶବ୍ଦ ଶୁଣିପାରନ୍ତି ଯାହାକି ଏକ ସାଧାରଣ ମଣିଷ ପାଇଁ ଶୃତିକଟୂ ହୋଇଥାଏ  । ଶ୍ରବଣ ହୀନତାର ଶ୍ରେଣୀ ବିଭାଗ : ଶ୍ରବଣ ହୀନତାକୁ ବିଶେଷ କରି ତିନି ଭାଗରେ ବିଭକ୍ତ କରାଯାଇଥାଏ  । କଣ୍ଡକ୍ଟିଭ ହିୟରିଂ ଲସ୍ : କର୍ଣ୍ଣ ନଳୀରେ କୌଣସି ଅସୁବିଧା ଦେଖାଦେଲେ ଏହି ପ୍ରକାରର ଶ୍ରବଣ ହୀନତା ସୃଷ୍ଟି ହୋଇଥାଏ  । ଏହା ବ୍ୟତୀତ କର୍ଣ୍ଣ, ପଟହ, କିମ୍ବା ମଧ୍ୟ କର୍ଣ୍ଣରେ କୌଣସି ଅସୁବିଧା ଥିଲେ ଏହି ଧରଣର ଅସୁବିଧା ଦେଖାଯାଏ  । ଯଦି କାନରେ ସଂକ୍ରମଣ ହୋଇଥାଏ, ଟ୍ୟୁମର ହୋଇଥାଏ କିମ୍ବା କାନରେ କୌଣସି ପ୍ରକାର ତରଳ ପଦାର୍ଥ ଯେପରିକି ତେଲ କିମ୍ବା କାନରେ ମଇଳା ଅଧିକ ହୋଇଯାଇଥିଲେ ଏହି ପ୍ରକାରର ଶ୍ରବଣ ହୀନତା ଦେଖାଦେଇଥାଏ  । ତେବେ ଏହି ପ୍ରକାରର ଶ୍ରବଣ ହୀନତା ସେତେ ବେଶୀ ଗୁରୁତର ନୁହେଁ  । ସାମାନ୍ୟ ଚିକିତ୍ସା ମାଧ୍ୟମରେ ଆପଣ ପୁଣି ପୂର୍ବ ଭଳି ଆପଣଙ୍କ ଶ୍ରବଣ ଶକ୍ତି ଫେରିପାଇବେ  । ସେନ୍ସରୀନ୍ୟୁରାଲ ହିୟରିଂ ଲସ୍ : ଅନ୍ତକର୍ଣ୍ଣରେ ଥିବା କୋଷ ଗୁଡ଼ିକ ନଷ୍ଟ ହେବା ଫଳରେ ଏହି ପ୍ରକାରର ଶ୍ରବଣ ହୀନତା ଦେଖାଦେଇଥାଏ  । ଏହା ବ୍ୟତୀତ ଅଷ୍ଟମ ସ୍ନାୟୁ ଯଦି କ୍ଷତିଗ୍ରସ୍ତ ହୁଏ ତେବେ ଏହି ପ୍ରକାରର ଶ୍ରବଣ ହାନୀ ଘଟିଥାଏ  । ସାଧାରଣତଃ ବୟସ ବଢ଼ିବା ସମୟରେ ନର୍ଭ ସିଷ୍ଟମର ପରିବର୍ତ୍ତନ ଯୋଗୁଁ ଏପରି ଅସୁବିଧା ଦେଖାଦେଇଥାଏ । ମିକ୍ସଡ଼୍ ହିୟରିଂ ଲସ୍ : ପୂର୍ବୋକ୍ତ ଦୁଇଟି କାରଣକୁ ନେଇ ଏହି ଧରଣର ଶ୍ରବଣ ହୀନତା ସୃଷ୍ଟି ହୋଇଥାଏ  । ଏହା ଅର୍ଥ କର୍ଣ୍ଣର ବର୍ହିପାଶ୍ୱର୍, ମଧ୍ୟ କର୍ଣ୍ଣ, ଅନ୍ତକର୍ଣ୍ଣରେ କିମ୍ବା ଅଡ଼ିଟରୀ ନର୍ଭରେ କୌଣସି ଅସୁବିଧା ଦେଖାଦେଲେ ଏହି ଧରଣର ଶ୍ରବଣ ହୀନତା ସୃଷ୍ଟି ହୋଇଥାଏ  । ଗୋଟିଏ କାନ କିମ୍ବା ଦୁଇଟି ଯାକ କାନରେ ଶ୍ରବଣ ହୀନତା ଦେଖାଯାଇପାରେ  । ଏହା ହଠାତ୍ ଆରମ୍ଭ ହୋଇଥାଏ ଏବଂ ଧୀରେ ଧୀରେ ବଢ଼ିବାରେ ଲାଗେ  । ଯଦି ଏପରି ହୁଏ ତେବେ ଆପଣ ତୁରନ୍ତ ଜଣେ ଇଏନ୍ଟି ଡକ୍ଟରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ  । ବାକ୍ଶ୍ରବଣ ବିଶେଷଜ୍ଞ, \"ଧ୍ୱନୀ\' କାଠଗୋଲା ରୋଡ଼, କଟକ,

Comments