ସେବା ସଙ୍ଗମ-୨୦୧୯ ନଭେମ୍ବର ୨୩ରେ


ଭୁବନେଶ୍ୱର,୨୧/୧୧: ସେବା ଭାରତୀ, ଓଡିଶା ପଶ୍ଚିମ,ଓଡିଶା ପୂର୍ବ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା  ସେବା ସଙ୍ଗମ-୨୦୧୯ ରାଉରକେଲା ସ୍ଥିତ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହସେବା ପ୍ରମୁଖ ଶ୍ରୀ ରାଜକୁମାର ମଟାଲେ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଅଶୋକ ଜଲାନ ଆସନ୍ତା ୨୩ ନଭେମ୍ବର ସକାଳ ୧୦.୩୦ ଘଟିକା ସମୟରେ ଉଦ୍ଘାଟନ କରିବେ । ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ସମାରୋପ  ୨୪ ନଭେମ୍ବର ୨୦୧୯  ଅପରାହ୍ନ ୪ ଘଟିକାରେ ଅନୁଷ୍ଠିତ ହେବ । ଏହି ସେବା ସଙ୍ଗମ  କାର୍ଯ୍ୟକ୍ରମରେ ସାରା ଓଡିଶାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା କରାଯାଉଥିବା ସେବା କାର୍ଯ୍ୟର ପ୍ରଦର୍ଶନୀ ଫଟୋ ଓ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ  ହେବ ବୋଲି ସଂଘର କ୍ଷେତ୍ରକାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି  ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରି ଶ୍ରୀ ମହାପାତ୍ର କହିଲେ ଯେ, ସେବା ଭାରତୀ, ଓଡିଶା ଦ୍ୱାରା ପଶ୍ଚିମାଞ୍ଚଳରେ ୧୨୯ଟି ବ୍ଲକ ମଧ୍ୟରୁ ୬୬ଟି ବ୍ଲକର ୪୨୨ ଗ୍ରାମ, ୧୯ଟି ନଗର ଓ ୪୪ଟି ସେବା ବସ୍ତିରେ ନିୟମିତ ସେବାକାର୍ଯ୍ୟ ଚାଲୁଅଛି । ଏଥି ମଧ୍ୟରୁ ୭୨ଟି ସ୍ଥାନରେ ଶିକ୍ଷା ପ୍ରକଳ୍ପ, ୨୩୮ ଟି ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା ତଥା ସେବା, ୧୭୯ଟି ସ୍ୱାବଲମ୍ବନ ସମ୍ବନ୍ଧୀୟ ସେବାକାର୍ଯ୍ୟ ଚାଲୁରହିଛି । ଏତଦ୍ ବ୍ୟତୀତ ୧୫ ହଜାର ଚାରାଗଛ ରୋପଣ କରାଯାଇ ଅଛି । ସେହିପରି ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ୧୩ ପ୍ରକାରର ସେବାକାର୍ଯ୍ୟ ଚାଲୁ ରହିଅଛି । ସେଥି ମଧ୍ୟରୁ ଚଳିତ ବର୍ଷ ଭୁବନେଶ୍ୱର, କଟକ ଓ ଓଲଟପୁର ଠାରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଦ୍ୱାରା ୨୫୦୦ ଜଣ ରୋଗୀଙ୍କୁ ସହାୟତା ଦେବା ସହିତ ୨୮୫ ବୋତଲ ରକ୍ତ ସଂଗ୍ରହ କରାଯାଇ ରୋଗୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ସେବା ପରିସରରେ ଭୌତିକ, ପ୍ରାକୃତିକ ଓ ଯୋଗ ଚିକତ୍ସା ଦ୍ୱାରା ୧୫୫୦୦ ଜଣ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି । ତିନୋଟି ବାଲ୍ମୀକି ଶିକ୍ଷାକେନ୍ଦ୍ରରେ  ୪୪ ଜଣ ଶିଶୁ ଅଧ୍ୟୟନ ରତ । ଦୁଇଟି ଶ୍ରୀଜଗନ୍ନାଥ ନିକେତନରେ ୨୬ ଜଣ ଛାତ୍ରଙ୍କର ଆବାସିକ, ଭୋଜନ ଓ ଶିକ୍ଷାଦାନ କରାଯାଉଛି । ଧନ୍ୱନ୍ତରୀ ଗ୍ରାମୀଣ ସ୍ୱାସ୍ଥ୍ୟ ଅଭିଯାନ ଦ୍ୱାରା ଚଳିତ ବର୍ଷ ୪ଟି ଜିଲ୍ଲାରେ ମୋଟ ୭୬୧୫ ଜଣ ପୁରଷ ଓ ୬୫୧୮ ଜଣ ମହିଳାଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି ।  ଏହି ସେବାରେ ୧୧୪ ଜଣ ଅଭିଜ୍ଞ ଡାକ୍ତର ନିୟୋଜିତ ଥିଲେ । ତିତିଲି ଓ ଫଣି ପରି ବାତ୍ୟାରେ ଗଜପତି ଓ ପୁରୀ ଆଦି ଜିଲ୍ଲାରେ ମୋଟ ୧୬ ଗୋଟି ଆମ୍ବୁଲାନ୍ସ ଦ୍ୱାରା ଗ୍ରାମାଞ୍ଚଳରେ ୨୦ ହଜାରରୁ ଉଦ୍ଧ୍ୱର୍ ପୁରୁଷ ଓ ୨୧ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୮ ଜଣ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଔଷଧ ବଣ୍ଟନ କରାଯାଇଅଛି ।  ଫଣି ପ୍ରଭାବିତ ଅଞ୍ଚଳମାନଙ୍କରେ ୨୦ଟି ସେବା କେନ୍ଦ୍ର ଦ୍ୱାରା ଦୀର୍ଘ ୭ ଦିନ ରନ୍ଧାଖାଦ୍ୟ ଓ ଚୁଡା, ଗୁଡ, ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା ।  ଭାଙ୍ଗିଯାଇଥିବା ଘର ପାଇଁ ୧,୦୮୦୨୫, ତାର୍ପୋଲିନ, ୩୨୦୦୦ କାଣ୍ଡେଲ, ୩୩୩୭୦ ସୋଲାର ଲ୍ୟାମ୍ପ୍, ୧୪୦୦୦ର ମଶାରୀ, ୧୫୯୫୦ ଶାଢୀ, ୯୫୫୦ ଲୁଗା, ୭୬୫୦ ଗାମୁଛା, ୨୩୦୦ ବାସନକୁସନ ସେଟ୍, ୪୦୦୦୦ ନଡିଆଚାରା  ତଥା ଅନ୍ୟାନ୍ୟ ଘରକରଣା ଜିନିଷ ବିତରଣ ସହ ଗଛ କଟାଯାଇ ଯାନବାହାନ ଚଳଚଳ ପାଇଁ ସୁବିଧା କରାଯାଇଥିଲା ।  ରଥଯାତ୍ରା ସମୟରେ ସମିତି ତରଫର ୮ ପ୍ରକାର ସେବା କାର୍ଯ୍ୟ କରାଯାଇଥିଲା । ବିଶେଷ କରି ଆମ୍ବୁଲାନ୍ସ କରିଡର ଯୋଗୁଁ ରଥଯାତ୍ରା ସମୟରେ ଆହତ ଓ ପିଡିତମାନଙ୍କୁ ସୁବିଧାରେ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସାର ବ୍ୟବସ୍ଥା କରଯାଇଥିଲା, ଯାହା ଦେଶ ବିଦେଶ ଗଣମାଧ୍ୟମରେ ଚର୍ଚ୍ଚାର ବିନ୍ଦୁ ପାଲଟି ଥିଲା ଓ ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମିତିର ଉତ୍ତମ ସେବା ପାଇଁ ଭୁୟସୀ ପ୍ରଶଂସା କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ପାଳନ ଅବସରରେ ମୋଟ ୧୦୪ ବୋତଲ ରକ୍ତ ସଂଗ୍ରହ କରାଯାଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।
ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ଏହି ସେବାସଙ୍ଗମରେ ସର୍ବସାଧାରଣ ଉପସ୍ଥିତ ରହି ଚାଲୁଥିବା ସେବାକାର୍ଯ୍ୟ ସଂପର୍କରେ ଅବଗତ ହେବା ସହିତ  ନିଜକୁ ସମାଜସେବାରେ ସମର୍ପିତ କରିବା ପାଇଁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଉକ୍ରଳ ବିପନ୍ନ ସହାୟତା ସମିତିର ସଭାପତି ଇଂ ଅଭୟ ସାମନ୍ତରାୟ ଓ ରାଷ୍ଟ୍ରୀୟ ସେବାଭାରତୀ ଓଡିଶା ପୂର୍ବର ସଂଯୋଜକ ଶ୍ରୀ ସୀମାଞ୍ଚଳ ଖଟୁଆ ଉପସ୍ଥିତ ଥିଲେ ।

Comments