ଆସ୍ଥା ବାହାନାରେ ଆତଙ୍କୀ ଷଡଯନ୍ତ୍ର

ନୂଆଦିଲ୍ଲୀ, ୪/୧୧  : ଆସନ୍ତା ନଭେମ୍ବର ୯ ତାରିଖରେ ଶିଖଧର୍ମର ସଂସ୍ଥାପକ ଗୁରୁ ନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ପାଳନ ଅବସରରେ ପାକିସ୍ତାନରେ ଅବସ୍ଥିତ କରତାରପୁର କରିଡର ସାହିବ ଗୁରୁଦ୍ୱାରାରେ ଏକ ବଡ଼ ଧରଣର ଉତ୍ସବ ପାଳନ ଲାଗି ପାକ୍ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା କରତାରପୁର କରିଡ଼ରର ଉଦ୍ଘାଟନ ମଧ୍ୟ ହେବ  । ମାତ୍ର କରତାରପୁର କରିଡରର ଉଦ୍ଘାଟନ ହେବା ପୂର୍ବରୁ ଏହା ପଛରେ ପାକିସ୍ତାନର ଭୟଙ୍କର ଷଡ଼ଯନ୍ତ୍ର ଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି  । ଗୁଇନ୍ଦା ବିଭାଗର ସର୍ତକ ସୂଚନାନୁଯାୟୀ, ପାକିସ୍ତାନର ନରୋୱାଲ ଜିଲ୍ଲାରେ କେତେକ ସନ୍ଦେହାସ୍ପଦ ଗତିବିଧି ଦେଖିବାକୁ ମିଳିଛି  । ସେଠାରେ ଏବେ କେତେକେ ସନ୍ଦିଗ୍ଧ ମହିଳା ଓ ପୁରୁଷ ଚଳପ୍ରଚଳ କରୁଥିବା ଜଣାପଡ଼ିଛି  । ତେବେ ପାକ୍ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସେଠାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ନୂତନ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ମସୁଧା ଚଳାଇଥିବା ଗୁଇନ୍ଦା ବିଭାଗ ଜାଣିପାରିଛି  । ଯଦି ଏଭଳି ହୁଏ ତେବେ ପଞ୍ଜାବ ସୀମା ଦେଇ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଛି  । ସେହିଭଳି କରତାରପୁର କରିଡରକୁ ଯାତ୍ରା କରୁଥିବା ଭାରତୀୟ ଶିଖ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଆଇଏସ୍ଆଇ ଓ ଖଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧରେ ଉସ୍କାଇ ପାରନ୍ତି ବୋଲି ଗୁନ୍ଦା ବିଭାଗ ଆଶଙ୍କା କରୁଛି  । ତେଣେ କରତାରପୁର କରିଡର ଯୋଗେ ଭାରତ ମଧ୍ୟକୁ ଜେହାଦୀମାନଙ୍କୁ ପ୍ରବେଶ କରାଇବାକୁ ପାକିସ୍ତାନ ପ୍ରୟାସ କରିବ ବୋଲି କିଛି ଦିନ ତଳେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଅସଲମ ବେଗ କହିସାରିଥିବାରୁ ଗୁଇନ୍ଦା ବିଭାଗର ଏହି ରିପୋର୍ଟକୁ ପଞ୍ଜାବ ପୁଲିସ ଗୁରୁତର ସହିତ ନେଇ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି  ।

Comments