ଏବି ବି ପାକିସ୍ତାନ ଆତଙ୍କୀଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦେଉଛି : ଆମେରିକା


ୱାଶିଂଟନ, ୩/୧୧  : ପାକିସ୍ତାନ ସବୁବେଳେ ଦୋମୁହାଁ ନୀତି ଆପଣଉଛି  । ଗୋଟିଏ ପଟେ ସେ ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ୱ ସମୁଦାୟ ନିକଟରେ ଦାବି କରୁଥିଲାବେଳେ ଅନ୍ୟପଟେ ଖୋଦ ତା’ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି  । ଯେଉଁ ଆତଙ୍କବାଦୀମାନେ ପାକିସ୍ତାନରେ ନିଜର ଜଡ଼ ଜମାଇ ଭାରତ ଉପରେ ଆତଙ୍କୀ ହମ୍ଲା କରୁଛନ୍ତି ବା କରିବାକୁ ଯୋଜନା କରୁଛନ୍ତି ସେମାନଙ୍କ ବିରୋଧରେ ପାକିସ୍ତାନ କୌଣସି ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ୨୦୧୮ ବର୍ଷ ପାଇଁ ଆତଙ୍କବାଦ ଉପରେ ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି  । ଶୁକ୍ରବାର ୱାଶିଂଟନ ଠାରେ ଦାଖଲ କରାଯାଇଥିବା ଏହି ରିପୋର୍ଟରେ ପାକିସ୍ତାନ ତା’ର ଦେଶରେ ପ୍ରତିବନ୍ଧିତ ଲସ୍କର-ଇତୋୟେବା, ଏବଂ ଜୈସ-ଇ-ମହମ୍ମଦ ଭଳି ଆତଙ୍କୀ ସଂଗଠନ ବିରୁଦ୍ଧରେ କୌଣସି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଦର୍ଶାଯାଇଛି  । ବରଂ ଏହି ଆତଙ୍କୀ ସଂଗଠନଗୁଡ଼ିକ ପାକିସ୍ତାନରେ ନିଜର ଆଡ୍ଡା ବନାଇଥିବାବେଳେ ସେମାନଙ୍କ ପାଇଁ ପ୍ରଶିକ୍ଷଣର ଆୟୋଜନ ସହ ସେମାନଙ୍କୁ ଆର୍ଥିକ ସହାୟତା ପାକିସ୍ତାନ ଯେଗାଇ ଆସୁଛି  । ଫଳତଃ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ହମ୍ଲା କରିଥିବା ଉଭୟ ଲସ୍କର ଓ ଜୈସ ପାକିସ୍ତାନରେ ବସି ଉଭୟ ଭାରତ ଓ ଆଫଗାନିସ୍ତାନରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଆତଙ୍କୀ ହମ୍ଲା କରିବାକୁ ମସୁଧା ଚଳାଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି  । ଏହି ରିପୋର୍ଟରେ ଗତ ବର୍ଷ ଭାରତରେ ହୋଇଥିବା ବଡ଼ ଧରଣର ୫ଟି ଆତଙ୍କୀ ହମ୍ଲା ସମ୍ପର୍କରେ ଉଲ୍ଲେଖ କରାଯାଇଛି  । ଏଥିରେ ଛତିଶଗଡ଼ରେ ପୁଲିସ ଗାଡ଼ି ଉପରେ ନକ୍ସଲି ହମଲା ଏବଂ ଆନ୍ଧ୍ରପ୍ରଦେଶରେ ନକ୍ସଲ ଆକ୍ରମଣରେ ତେଲୁଗୁ ଦେଶମ ପାର୍ଟିର ବିଧାୟକ କେଦାରୀ ସର୍ବେଶ୍ୱ ରାଓଙ୍କ ନିଧନ ହୋଇଥିବା ଦର୍ଶାଯାଇଛି  । ଏତଦ୍ବ୍ୟତୀତ ଆତଙ୍କବାଦୀଙ୍କ ଦ୍ୱାରା ଘାଟିରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଏବଂ ସଞ୍ଜାବନରେ ସେନା ଶିବିର ଉପରେ ହୋଇଥିବା ଆତଙ୍କୀ ହମ୍ଲା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି  ।

Comments