ସିଏଏ ବିରୋଧ ପାଇଁ ତୁର୍କୀ ଓ ଦୁବାଇରୁ ମିଳିଥିଲା ଟଙ୍କା


ନୂଆଦିଲ୍ଲୀ  : ଗତ ଡିସେମ୍ବର ମାସରେ ନାଗରିକତା ସଂଶୋଧନ ବିଲ୍ (କ୍ୟାବ୍)କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକୃତି ପ୍ରଦାନ କରିବା ପରେ ଏହା ଏବେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)ରେ ପରିବର୍ତ୍ତିତ ହୋଇସାରିଛି  । ୧୯୭୧ରୁ ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଡ଼ୋଶୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଧର୍ମୀୟ ପ୍ରତାଡ଼ନା ପାଇ ସେଠାରେ ଥିବା ନିଜର ଭିଟାମାଟି ଛାଡ଼ି ଭାରତରେ ଶରଣାର୍ଥୀ ସାଜି ଅତି ଦୟନୀୟ ଭାବେ ଜୀବନ ଅତିବାହିତ କରୁଥିବା ଲକ୍ଷ ଲକ୍ଷ ଅଣମୁସଲିମ୍ ଯଥା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟ ଧର୍ମର ଲୋକଙ୍କୁ ଦେଶର ସ୍ଥାୟୀ ନାଗରିକତା ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରର ମୋଦି ସରକାର ସିଏଏ ପ୍ରସ୍ତୁତ କରିଛନ୍ତି  । ହେଲେ ବିରୋଧୀ କଂଗ୍ରେସ, ଟିଏମ୍ସି, ଟିଡିପି, ପିଡିପି, ସପା, ଡିଏମ୍କେ ଓ ଏଆଇଏମ୍ଆଇଏମ୍ ଭଳି ବିରୋଧୀ ଦଳଗୁଡ଼ିକ ସିଏଏକୁ କଦର୍ଥ କରି ଏହା କେବଳ ଦେଶରେ ଥିବା କୋଟି କୋଟି ମୁସଲମାନଙ୍କ ଠାରୁ ସେମାନଙ୍କ ନାଗରିକତ୍ୱକୁ ଛଡ଼ାଇ ନେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ବୋଲି କହି ଦେଶରେ ବିଭାଜନର ରାଜନୀତି ଚଳାଇଛନ୍ତି  । ସେମାନଙ୍କ ଗୁଜବକୁ ବିଶ୍ୱାସ କରି ଗତ ଡିସେମ୍ବର ମାସରୁ ଦେଶର ରାଜଧାନୀ ଦଲ୍ଲୀ ସମେତ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ତ୍ରିପୁରା ଓ ବିହାର ଆଦି ରାଜ୍ୟର ନିୟମିତ ସମୟ ବ୍ୟବଧାନରେ ଲୋକେ ଉଗ୍ର ପ୍ରଦର୍ଶନ କରିବା ସହ ପୁଲିସ ଉପରକୁ ପ୍ରବଳ ଟେକାପଥର ମାଡ଼, ଏସିଡ ବୋତଲ ଓ ପେଟ୍ରୋଲ ବୋମା ଆଦି ଫିଙ୍ଗ ବ୍ୟାପକ ହିଂସାକାଣ୍ଡ ଭିଆଇ କୋଟି କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତିକୁ ଭସ୍ମୀଭୂତ କରିଦେଇଥିଲେ  । ତେବେ ସିଏଏକୁ ବିରୋଧ କରି ଦେଶରେ ବ୍ୟାପକ ହିଂସାକାଣ୍ଡ ଓ ଅରାଜକତା ଭିଆଇବା ଲାଗି କେରଳର କେତେକ ଜେହାଦୀ ସଂଗଠନକୁ ତୁର୍କୀ ଓ ସାଉଦିଆରବ ଭଳି ମଧ୍ୟପ୍ରାଚ୍ୟ ମୁସଲିମ ରାଷ୍ଟ୍ରରୁ ପ୍ରଚୁର ଟଙ୍କା ଫଣ୍ଡିଂ କରାଯାଇଥିବା ଏବେ ପଦାକୁ ଆସିଛି  । ଆହୁରି ମଧ୍ୟ କେରଳର ଏହି ଜେହାଦୀ ସଂଗଠନର ଜଣେ ସଦସ୍ୟ ଗତ ଅକ୍ଟୋବର ମାସରେ ଦୁବାଇ ଯାଇଥିଲେ ଏବଂ ଏହି ସମୟରେ ସେ ଭାରତରେ ସିଏଏକୁ ବିରୋଧ କରି ଉଗ୍ର ପ୍ରଦର୍ଶନ ଓ ଜଳାପୋଡ଼ା ପାଇଁ ମଧ୍ୟପ୍ରାଚ୍ୟର କେତେକ ସଂଗଠନକୁ ୪୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମାଗିଥିଲେ  । ସେହିପରି ସେ କାତାର ଠାରେ ତୁର୍କୀର କେତେକ ଧନାର୍ଢ଼୍ୟ ଲୋକଙ୍କୁ ଭେଟି ଭାରତରେ ବିକ୍ଷୋଭ ପାଇଁ ଆର୍ଥିକ ସହାୟତା ମାଗିଥିଲେ  ।

Comments