ଦଙ୍ଗାକାରୀଙ୍କୁ ୮୨ ଲକ୍ଷ ଟଙ୍କା ଭରଣା ପାଇଁ ନୋଟିସ


ଲକ୍ଷେ୍ନø, ୨୬/୧୨ : ଗତ ଗୁରୁବାର ଓ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ନାଗରିକତା ଆନ୍ଦୋଳନକୁ ବିରୋଧ କରିବାକୁ ଯାଇ ଯେଉଁ ଦଙ୍ଗାକାରୀମାନେ ସରକାରୀ ଓ ଜନସାଧାରଣଙ୍କ ସମ୍ପତ୍ତିକୁ ପୋଡିଜାଳି ଦେଇଥିଲେ ସେମାନଙ୍କ ଠାରୁ ୮୨ ଲକ୍ଷ ଟଙ୍କା ଭରଣା କରିବା ପାଇଁ ବିଭିନ୍ନ ସହରରେ ଚିହ୍ନଟ ହୋଇଥିବା ଉପଦ୍ରବକାରୀମାନଙ୍କ ଉପରେ ନୋଟିସ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଦଙ୍ଗାକାରୀମାନେ ଉତ୍ତରପ୍ରଦେଶର ଲକ୍ଷେ୍ନø, ରାମପୁର, ସମ୍ଭଲ, କାନପୁର, ଗୋରଖପୁର, ବିଜନୋର, ବହରାଇଜ, ବୁଲନ୍ଦସହର, ମେରଠ ପ୍ରଭୃତି ସହରରେ ପୋଲିସ ଉପରେ ଆକ୍ରମଣ କରିବା ସହ ଅନେକ ଥାନା ପୋଡି ଦେବା, ସରକାରୀ ବସରେ ନିଆଁ ଲଗାଇବା, ପୋଲିସର ଚାରି ଚକିଆ ଓ ଦୁଇ ଚକିଆ ଯାନକୁ ପୋଡି ଦେବା, ଜନସାଧାରଣଙ୍କ ଗାଡିଘୋଡାକୁ ଭଙ୍ଗାରୁଜା କରିବା, ଦୋକାନ ବଜାରକୁ ଭଙ୍ଗାରୁଜା କରି ଦଙ୍ଗା କରିବା ପରି ପରିସ୍ଥିତି ସୃଷ୍ଟି କରିଥିଲେ । ଏଥିରେ କେବଳ ଉତ୍ତରପ୍ରଦେଶରେ ୧୫ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଶତାଧିକ ପୋଲିସକର୍ମୀ ଓ ଜନସାଧାରଣ ଆହତ ହୋଇଥିଲେ । ଏହି ଦଙ୍ଗାକରୀମାନେ ସୁନିୟୋଜିତ ଢଙ୍ଗରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଯେ, ଅନେକ କ୍ଷେତ୍ରରେ ପୋଲିସକୁ ମଧ୍ୟ ଆତ୍ମରକ୍ଷା ପାଇଁ ପଛଘୁଞ୍ଚା ଦେବାକୁ ପଡିଥିଲା । କେତେକ ସ୍ଥାନରେ ଦଙ୍ଗାକାରୀମାନେ ପୋଲିସ ଉପରକୁ ଗୁଳି ଚଳାଇବାର ଦୃଶ୍ୟ ମଧ୍ୟ ଭାଇରାଲ ହୋଇଛି । ଏହାପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜରୁ ଦଙ୍ଗାକରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ପ୍ରାୟ ୫୦୦୦ ଲୋକଙ୍କୁ ଅଟକ ରଖିଥିବାବେଳେ ୯୨୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୨୦୦ରୁ ଅଧିକ ଏତଲା ଦିଆଯାଇଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ଦଙ୍ଗାକାରୀମାନଙ୍କୁ ପ୍ରାୟ ୮୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଭରଣା କରିବା ପାଇଁ ନୋଟିସ ଦିଆଯାଇଛି । ଏପର୍ଯ୍ୟନ୍ତ ଯେଉଁମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ ସେମାନଙ୍କ ଫଟୋ ସାରା ରାଜ୍ୟର ବିଭିନ୍ନ ସହରରେ ଲଗାଯାଇଛି । ଏମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କଲେ ପୁରସ୍କାର ଦେବା ପାଇଁ ମଧ୍ୟ କୁହାଯାଇଛି । ଅଭିଯୁକ୍ତମାନଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ସମ୍ପତ୍ତିର ଆକଳନ ମଧ୍ୟ ଶେଷ ହୋଇନାହିଁ । ତେବେ ଏହି ଦଙ୍ଗାକାରୀମାନଙ୍କୁ ନୋଟିସ ଦିଆଯାଇ ୭ ଦିନ ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇବାକୁ ବା କ୍ଷତିଗ୍ରସ୍ତ ସମ୍ପତ୍ତିର ମୂଲ୍ୟ ଭରଣା କରିବାକୁ କୁହାଯାଇଛି । ଇତି ମଧ୍ୟରେ ଦଙ୍ଗା ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ସରକାର ଏସଆଇଟି ସରକାର ଗଠନ କରିଛନ୍ତି । ତେବେ ବିନା ପ୍ରମାଣରେ କାହାରିକୁ ଗିରଫ ନକରିବା ପାଇଁ ପୋଲିସକୁ ଶକ୍ତ ନିଷ୍ପତ୍ତି ଦିଆଯାଇଛି ।

Comments