ଭାରତର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା


ନୂଆଦିଲ୍ଲୀ,୨୫ା୧୨: ଉତ୍ତର ପ୍ରଦେଶର ମନ୍ଦିର ନଗରୀ ତଥା ଭାରତର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଠାରୁ ଏହି ବିପଦ ରହିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ବୁଧବାର ଉତ୍ତରପ୍ରଦେଶ ପୋଲିସ ପୁରା ସହରରେ ସୁରକ୍ଷା କଡାକଡି କରିଛି । ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଛି । ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍ ପକ୍ଷରୁ ଦିଆଯାଇଥିବା ଖବର ଅନୁଯାୟୀ ଟେଲିଗ୍ରାମ୍ ସୋସିଆଲ ମିଡିଆ ଆପ୍ ଜରିଆରେ ଭାରତ ମାଟିରେ ଏକ ବଡ ଆକାରରେ ଏବଂ ଆଖିଦୃଶିଆ ଆକ୍ରମଣ ପାଇଁ ଆଝାର ଆତଙ୍କବାଦୀମାନଙ୍କୁ ଆହ୍ୱାନ ଦେଇଛି । ଭାରତ-ନେପାଳ ସୀମା ଦେଇ ଗତ ମାସରେ ୭ଜଣ ପାକିସ୍ତାନ ଆତଙ୍କବାଦୀ ଭାରତ ଭିତରକୁ ପଶି ଆସିଥିବା ନେଇ ପୂର୍ବରୁ ଜାରି କରାଯାଇଥିବା ଆଲର୍ଟ ସତ୍ୟତା ମଧ୍ୟ ଆହୁରି ଘନୀଭୂତ ହେବାରେ ଲାଗିଛି । ଏପରିକି ୫ଜଣଙ୍କର ପରିଚୟ ମଧ୍ୟ ମିଳିସାରିଛି । ସେମାନଙ୍କ ନାଁ ଅବୁ ହମ୍‌ଜା, ମହମ୍ମଦ ୟାକୁବ, ନିସାର ଅହମ୍ମଦ, ମହମ୍ମଦ ଶାହବାଜ୍ ଏବଂ ମହମ୍ମଦ କୁଆମୀ ଚୌଧୁରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଏଲ୍‌ଓସି ନିକଟରେ ଏବଂ କାଶ୍ମୀର ଭିତରେ ବ୍ୟାପକ ସେନା ନିୟୋଜିତ ହୋଇଥିବାରୁ ଏହି ମାର୍ଗ ଆତଙ୍କବାଦୀଙ୍କ ପାଇଁ ଅଭେଦ୍ୟ ହୋଇଯାଇଛି । ଫଳରେ ନେପାଳ ସୀମା ଦେଇ ସେମାନେ ଭାରତ ଭିତରକୁ ଆସିବାର ପ୍ରୟାସ କରୁଥିବା କୁହାଯାଉଛି । ଆଇଏଏନ୍‌ଏସ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ସହ ଆସିଥିଲେ ଏବଂ ସେମାନଙ୍କୁ ସ୍ଥାନୀୟ କିଛି ଲୋକ ଲଜିଷ୍ଟିକ୍ ସହାୟତା କରୁଛନ୍ତି । କିନ୍ତୁ ସେମାନଙ୍କ ଆକ୍ରମଣର ଟାର୍ଗେଟ୍ ନେଇ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସୂଚନାଥାଉ କି, କିଛିଦିନ ଆଗରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ, ଅଯୋଧ୍ୟାରେ ସୁଉଚ୍ଚ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆସନ୍ତା ୪ମାସରେ ଆରମ୍ଭ ହେବ । ସୁପ୍ରିମ୍‌କୋର୍ଟ ନଭେମ୍ବର ୯ ତାରିଖରେ ବିବାଦୀୟ ଜମିରେ ରାମ ମନ୍ଦିର ସପକ୍ଷରେ ରାୟ ଦେବା ପରେ ସେ ଏପରି କହିଥିଲେ । କୋର୍ଟ କହିଥିଲେ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଦିଆଯିବ । ଏହାପୂର୍ବରୁ ଗତ ସେପ୍ଟେମ୍ବରରେ ଭାରତ ସରକାର ବେଆଇନ କାର୍ଯ୍ୟକଳାପ ଆଇନରେ ସଂଶୋଧନ ଆଣି ଜୈଶ୍ ମୁଖ୍ୟ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି । ଏଥିସହିତ ଜାତିସଂଘ ମଧ୍ୟ ତା’କୁ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି । ଜାତିସଂଘର ସୁରକ୍ଷା ପରିଷଦ ୧୨୬୭ ରିଜୋଲ୍ୟୁସନ ଅନୁଯାୟୀ ମେ’ ୧ରେ ଏଭଳି ନିଷ୍ପତ୍ତି ନେଇଛି ।

Comments