ଏବିଭିପି ପକ୍ଷରୁ ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର,୨୪ ।୧୨: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକତ୍ୱ ସଂଶୋଧନ ଆଇନ୍ (ସିଏଏ)ର ସମର୍ଥନ ତଥା ରାଜ୍ୟରେ ଏନଆରସି ଲାଗୁ ଦାବିରେ ଏକ ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଏବିଭିପିର ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ ଓ ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ରଙ୍କ ନେତୃତ୍ୱରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳ ନିକଟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ପୁଣି ସେଇଠାରେ ପହଞ୍ଚିଥିଲା । ଛାତ୍ର ସଂଗଠନର ସଦସ୍ୟ ସଦସ୍ୟାମାନେ ଶହେ ଫୁଟରୁ ଅଧିକ ଲମ୍ବର ଜାତୀୟ ପତାକା ସହ ସିଏଏ ଓ ଏନଆରସି ସପକ୍ଷରେ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଛାତ୍ରନେତାମାନେ ସିଏଏ ଏବଂ ଏନଆରସିର ଦ୍ୱାରା ରାଷ୍ଟ୍ରର ହିତ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ପଡ଼ୋଶୀ ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ଅତ୍ୟାଚାରିତ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ମାନବାଧିକାର ଉଲ୍ଲଂଘନରୁ ସୁରକ୍ଷା ଦେବା ସହ ଭାରତରେ ନାଗରିକତ୍ୱ ପ୍ରଦାନ ଏହି ଆଇନ୍ର ମୂଳଲକ୍ଷ୍ୟ ହୋଇଥିବା ବେଳେ ଏହା ଦ୍ୱାରା ଅନୈତିକ ଅନୁପ୍ରବେଶ ଉପରେ ରୋକ ଲଗାଯାଇ ପାରିବ ବୋଲି ସେମାନେ କହିଥିଲେ ।ଏହି ଆଇନ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଦେଶବାସୀ ସମର୍ଥନ କରିବାକୁ ଛାତ୍ରନେତାମାନେ ସମସ୍ତଙ୍କୁ ନିବେଦନ କରିଥିଲେ । ସଂଗଠନର ବାଲେଶ୍ୱର ଜିଲ୍ଲା ବ୍ଲକ ସଂଯୋଜକ ସାଇପ୍ରୀତମ ସେନାପତି, ନଗର ସମ୍ପାଦକ ରୋହିତ କୁମାର ପାଢ଼ୀଙ୍କ ସମେତ ବହୁ ଛାତ୍ରନେତା ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Comments