ଯାହା ମୋଗଲ ଓ ଇଂରେଜ କରିନଥିଲେ ତାହା ରାହୁଲ ଓ ଟୁକଡେ ଟୁକଡେ ଗ୍ୟାଙ୍ଗ କରୁଛନ୍ତି


ନୂଆଦିଲ୍ଲୀ, ୨୮/୧୨  : ସମଗ୍ର ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କଦର୍ଥ କରି ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଓ ତା’ର ସହଯୋଗୀ ଟିଏମ୍ସି, ଟିଡିପି, ପିଡିପି, ସପା, ବସପା, ଏଆଇଏମ୍ଆଇଏମ୍ ଓ ଡିଏମ୍କେ ଭଳି ଦଳଗୁଡ଼ିକ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ସହ ବିକ୍ଷୋଭ ଆଳରେ ସେମାନଙ୍କୁ ବ୍ୟାପକ ହିଂସା, ପୋଡ଼ାଜଳା କରିବାକୁ ପରୋକ୍ଷରେ ଉସ୍କାଉଛନ୍ତି  । ତେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସୀ ଏବଂ ଟୁକଡେ ଟୁକଡେ ଗ୍ୟାଙ୍ଗ୍କୁ ଏକଦା କଂଗ୍ରେସର ସଂସ୍ଥାପକ ତଥା ଜାତିର ଜନକ ମହାତ୍ମା ଗାନ୍ଧି କହିଥିବା କଥାକୁ ସ୍ମରଣ କରାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ  । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ଯେ, ଆମ ପାଇଁ ଭାରତ ପ୍ରଥମ, ଏହା ପାଇଁ ଆମେ ଯୁଝୁଛୁ ଓ ଯୁଝୁଥିବୁ  । ଦିନେ ମୋଗଲ ଓ ଇଂରେଜ ଯାହା କରିନଥିଲେ ତାହା ରାହୁଲ ଓ ଟୁକଡେ ଟୁକଡେ ଗ୍ୟାଙ୍ଗ କରୁଛନ୍ତି  । ଲୋକଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ଉପଦ୍ରବକାରୀ ବନାଇ ଦେଶରେ ଅରାଜକତା ଓ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି  । କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ, ୧୯୪୭ ଜୁଲାଇ ୧୨ ତାରିଖରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଖୋଦ୍ ମହାତ୍ମା ଗାନ୍ଧି ପାକିସ୍ତାନରୁ ଧର୍ମୀୟ ପ୍ରତାଡ଼ନା ହେତୁ ଭିଟାମାଟି ଛାଡ଼ି ଭାରତକୁ ପଳାଇ ଆସି ଆଶ୍ରୟ ନେଇଥିବା ଲକ୍ଷ ଲକ୍ଷ ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତରେ ଥଇଥାନ କରାଇବାକୁ କହିଥିଲେ  । ସେତେବେଳେ ଗାନ୍ଧି ସେହି ପ୍ରତାଡ଼ିତ ଶରଣାର୍ଥୀମାନଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ, ଏମାନେ ପୂର୍ବରୁ ଭାରତର ନାଗରିକ ଥିଲେ ଏବଂ ଭାରତର ସେବା ଓ ମହିମାଗାନ କରିବାକୁ ଜନ୍ମ ନେଇଥିଲେ  । ତେଣୁ ଯଦି ସେମାନେ ପ୍ରତାଡ଼ିତ ହୋଇ ପାକିସ୍ତାନରୁ ପଳାଇ ଆସୁଛନ୍ତି ତା’ହେଲେ ସେମାନଙ୍କୁ ଏଠାରେ ସମ୍ମାନର ସହିତ ଥଇଥାନ କରିବା ଆମର ଦାୟିତ୍ୱ ଅଟେ  । କିନ୍ତୁ ଏବେ କଂଗ୍ରେସ ଓ ରାହୁଲ ଗାନ୍ଧି କେବଳ ସଂକୀର୍ଣ୍ଣ ରାଜନୈତିକ ଫାଇଦା ଲାଗି ‘ଗାନ୍ଧି’ଙ୍କ ନାମକୁ ଉଚ୍ଚାରଣ କରୁଛନ୍ତି ମାତ୍ର ସେ କହିଯାଇଥିବା କଥାକୁ ବିଲ୍କୁଲ ପାସୋରି ଦେଇଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି  । ଏହି ପରିପ୍ରେକ୍ଷୀରେ ସେ ଆହୁରି କହିଥିଲେ ଯେ, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନୁହେଁ ବରଂ ବିରୋଧୀ କଂଗ୍ରେସ ଡରାଉଛି  । କଂଗ୍ରେସ ନେତା ରାହୁଲ ଗାନ୍ଧି ମିଛର ଚାଷ କରୁଛନ୍ତି  । ପୂରା ଦେଶ ସିଏଏକୁ ସମର୍ଥନ କରୁଥିଲାବେଳେ କଂଗ୍ରେସ ଓ ତା’ର ସହଯୋଗୀ ଦଳଗୁଡ଼ିକ ଲୋକଙ୍କୁ ଭୁଲ୍ କଥା କହି ବିଭ୍ରାନ୍ତ କରୁଛନ୍ତି  । ଏଣୁ ଯେମିତି ଏକଦା ରାଫେଲ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ରାହୁଲ ଅପଦସ୍ତ ହୋଇ ଭୁଲ୍ ମାଗିଥିଲେ ସିଏଏ ପ୍ରସଙ୍ଗରେ ମଧ୍ୟ ସେ ପୁଣି ଥରେ ଅପଦସ୍ତ ହୋଇ ଦେଶବାସୀଙ୍କୁ ଭୁଲ୍ ମାଗିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି  ।

Comments