କେବଳ ଭାରତୀୟମାନେ ନିଜ ଦେଶର ନାମକୁ ଭାରତ ମାତା ବୋଲି କହି ପୂଜନ କରିଥାନ୍ତି: ମହାମହିମ ରାଜ୍ୟପାଳ

କଟକ ଜିଲ୍ଳା ନିଆଳୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଦୁଇ ଦିନିଆ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ୧ମ ଦିବସ ମଙ୍ଗଳବାର କାର୍ଯ୍ୟକ୍ରମରେ ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ନିଆଳୀ ବିଧାୟକ ତଥା କଟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଶିକ୍ଷାବିକାଶ ସମିତିର ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ, ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ସୁର, ସମ୍ପାଦକ ଗୌରବ ନାୟକ, ପ୍ରଧାନ ଆଚାର୍ଯ୍ୟ କୁଳମଣି ପ୍ରଧାନ ଯୋଗ ଦେଇ ଶିଶୁମନ୍ଦିରର ଶିକ୍ଷାପ୍ରଣାଳୀ କାର୍ଯ୍ୟଧାରା ଓ ଚିନ୍ତନ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟପାଳ ଶିଶୁମାନେ ଅମୃତର ସନ୍ତାନ ଏହା ଅଭିଭାବକ ମାନେ ତାଙ୍କୁ ଜଣାଇବା ଉଚିତ । କେବଳ ଭାରତୀୟମାନେ ନିଜ ଦେଶର ନାମକୁ ଭାରତ ମାତା ବୋଲି କହି ପୂଜନ କରିଥାନ୍ତି । ଶିକ୍ଷା ଚେତନାର ବିକାଶ ଘଟାଇଥାଏ ବୋଲି ନିଜ ଅଭିଭାଷଣରେ କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସମାଜସେବୀ, ଶିକ୍ଷାବିତ୍, ପ୍ରକୃତି ବନ୍ଧୁ ପାବନୀ ବସ୍ତିଆଙ୍କୁ ଆଦର୍ଶ ଶିକ୍ଷକ, ରବିନାରାୟଣ ରାୟଙ୍କୁ ବଶିଷ୍ଟ କବି, ବିଶିଷ୍ଟ ସମାଜସେବୀ ଇଂ ନିତ୍ୟାନନ୍ଦପାଢୀଙ୍କ ଅନୁପସ୍ଥିତିରେ ସହଧର୍ମିଣୀ ନିର୍ମଳା ପାଢୀ, ସେହିପରି ଡାକ୍ତର ଅଧିରାଜ କୁମାର ପରିଡା,ଡାକ୍ତର ଚିତ୍ତରଞନ ମିଶ୍ରଙ୍କ ଅନୁପସ୍ଥିତିରେ ପୁତ୍ର ସୌମ୍ୟରଞନ ମିଶ୍ର, ପ୍ରକୃତି ପ୍ରେମୀ ତ୍ରିଲୋଚନ ରାଜ, ଅବସରପ୍ରାପ୍ତ ଆଇଜି ବଟକୃଷ୍ଣ ତ୍ରିପାଠୀ, ସହିଦ ମଜୋଜ ବେହେରାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଷାଧ୍ୟକ୍ଷ ଆଲୋକ ନାୟକ ମଞ୍ଚ ପରିଚାଳନା କରିଥିଲେ । ପ୍ରଭାତରେ ପ୍ରଚୀନଦୀରୁ ୧୦୮ କଳସ ଶୋଭାଯାତ୍ରାରେ ଆଣି ସ୍ଥାପନ କରିବା ପରେ ଗାୟତ୍ରୀ ଯଜ୍ଞ କରାଯାଇଥିଲା । ଏହାପରେ ପୂର୍ବାହ୍ନରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ପ୍ରବଚନ ଦେଇଥିଲେ । ପରେ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ସଂନ୍ଧ୍ୟାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକାଙ୍କିକା, ନାଟକ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ଅଭିଭାବକ ଓ ଦର୍ଶକ ମନଭରି ଉପଭୋଗ କରିଥିଲେ । ଦିର୍ଘ ୪୫ ବର୍ଷ ପରେ ପୁଣି ନିଆଳୀରେ ରାଜ୍ୟପାଳଙ୍କୁ ପାଇ ନିଆଳୀ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Comments