ଗୌହାଟୀରେ ରାହୁଲଙ୍କ ସଂଘ ପ୍ରତି ଶସ୍ତା ଓ କୁତ୍ସିତ ମନ୍ତବ୍ୟ


ଗୌହାଟୀ, ୨୮/୧୨  : ରାଜନୀତି କରୁକରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧି ବୋଧେ କେଉଁଠି କାହାକୁ କ’ଣ କୁହାଯାଏ ଏବଂ ସାମାନ୍ୟତମ ଶାଳୀନତା ଭୁଲିଗଲେଣି  । କେନ୍ଦ୍ରର ମୋଦି ସରକାରଙ୍କୁ ସବୁକଥାରେ ବିରୋଧ କରିଆସୁଥିବା ରାହୁଲ ଏବେ ଆଉ ଏକ ପାଦ ଆଗେଇ ଯାଇ ଶୃଙ୍ଖଳିତ ଆଚରଣ ଓ ନୈତିକତା ପାଇଁ ବେଶ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)କୁ ମଧ୍ୟ ଆକ୍ଷେପ କରି କହିବା ଆରମ୍ଭ କରିଦେଇଛନ୍ତି  । ବିଶେଷ କରି କେନ୍ଦ୍ରର ମୋଦି ସରକାର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନ୍ଆର୍ସି)କୁ ଲାଗୁ କରାଯିବ ବୋଲି ଘୋଷଣା କରିବା ପରେ ସର୍ବଦା ସଂଖ୍ୟାଲଘୁଙ୍କୁ ନେଇ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ବିଶ୍ୱାସ ରଖୁଥିବା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲଙ୍କ ମୁଣ୍ଡ ବିଗିଡ଼ିଯାଇଛି  । ଏଣୁ ସେ ର‌୍ୟାଲି ଭଳି ସର୍ବସାଧାରଣ କାର୍ଯ୍ୟକ୍ରମରେ ନିଜର ତୁଣ୍ଡ ଉପରେ ଲଗାମ ନଦେଇ ଅତି ନିମ୍ନ ଓ ଅଶାଳୀନ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି  । ଏହି ମର୍ମରେ ଶନିବାର ଆସାମର ଗୌହାଟୀରେ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ଏକ ର‌୍ୟାଲିକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସ୍ଏସ୍କୁ ଟାର୍ଗେଟ କରି ‘ଆସାମକୁ ଆର୍ଏସ୍ଏସ୍ର ହାଫପ୍ୟାଣ୍ଟ ପିନ୍ଧା ଚଳାଇବେ ନାହିଁ, ବରଂ ଆସାମବାସୀ ଚଳାଇବେ’ ବୋଲି କହିଛନ୍ତି  । ସେ ଏହି ଅବସରରେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପି ଦେଶରେ ବିଭାଜନର ରାଜନୀତି କରିବା ସହ ଆମର ସଂସ୍କୃତି ଓ ଇତିହାସ ଉପରେ ଆକ୍ରମଣ କରୁଛି  । ଏଥିସହ ଆସାମରେ ଏନ୍ଆର୍ସି ଲାଗୁ କରି ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧି କରିଯାଇଥିବା ଆସାମ ଚୁକ୍ତିନାମାକୁ ମଧ୍ୟ କେନ୍ଦ୍ରର ମୋଦି ସରକାର ଉଲ୍ଲଂଘନ କରୁଛନ୍ତି ବୋଲି ରାହୁଲ କହିଥିଲେ  ।

Comments