ସିଏଏ ଲାଗୁ ପରେ ଦେଶଛାଡ଼ି ପଳାଉଥିବା ବାଂଲାଦେଶୀ ଗିରଫ


କୋଲକତା  : ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇସାରିଛି । ଏଥିଯୋଗୁଁ ଦେଶରେ ଅବୈଧ ରୂପେ ବସବାସ କରୁଥିବା ଶରଣାର୍ଥୀମାନଙ୍କ ମନରେ ଛନକା ପଶିଛି । ବିଶେଷ କରି ସିଏଏକୁ ପଶ୍ଚିମବଙ୍ଗ ଓ କେରଳ ସର୍ବାଧିକ ବିରୋଧ କରାଯାଉଥିଲାବେଳେ ଏହି ୨ ରାଜ୍ୟରେ ସର୍ବାଧିକ ଅବୈଧ ଶରଣାର୍ଥୀ ବସବାସ କରୁଛନ୍ତି । ତେବେ ସିଏଏ ଲାଗୁ ହେବା ପରେ ଧରାପଡ଼ିଯିବା ଭୟରେ ଏବେ ଏହି ବେଆଇନ ଶରଣାର୍ଥୀମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏଣୁ ସେମାନେ ଦେଶ ଛାଡ଼ି ପଳାଇବାକୁ ଆରମ୍ଭ କରିଦେଲେଣି । ଏହି ମର୍ମରେ କେତେକ ବାଂଲାଦେଶୀ ଅନୁପ୍ରବେଶକାରୀ ଗୁପ୍ତ ରାସ୍ତା ଦେଇ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରୁ ବାଂଲାଦେଶକୁ ପଳାୟନ କରୁଥିଲାବେଳେ ଗତ ୩ ଦିନ ମଧ୍ୟରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଅବୈଧ ବାଂଲା ଅନୁପ୍ରବେଶକାରୀମାନଙ୍କୁ ବିଏସ୍‌ଏଫ୍ ଗିରଫ କରିଛି । ଗତ ୩ ମାସ ମଧ୍ୟରେ ସିଏଏକୁ ମହାମହିମ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ୧୦ରୁ ୧୨ ହଜାର ବାଂଲା ଅନୁପ୍ରବେଶକାରୀ ଭାରତ ଛାଡ଼ି ଗୁପ୍ତ ରାସ୍ତା ଦେଇ ବାଂଲାଦେଶ ପଳାୟନ କରିଥିବା ଜଣାପଡ଼ିଛି । ସେମାନେ ପେଟ୍ରୋପୋଲ, ବଶୀରହାଟ, ଭୁଜାଡାଙ୍ଗା ଏବଂ ଅଙ୍ଗ୍ରେଲ ବର୍ଡର ଦେଇ ବାଂଲାଦେଶକୁ ଖସି ପଳାଉଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଆହୁରି ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ କଦାପି ଲାଗୁ କରିବେ ନାହିଁ ବୋଲି ଘୋଷଣା କରିବା ପରେ କେରଳ, ବେଙ୍ଗାଲୁର, ଦିଲ୍ଲୀ, ମହାରାଷ୍ଟ୍ର ଏବଂଉତ୍ତର ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ଶଣଣାର୍ଥୀମାନେ ଏବେ ପଶ୍ଚିମବଙ୍ଗକୁ ସେମାନଙ୍କ ପାଇଁ ସବୁଠାରୁ ନିରାପଦ ସ୍ଥାନ ବୋଲି ବିବେଚନା କରି ଏଠାକୁ ଆସି ରହିବା ସହ ଏଠାରୁ ସହଜରେ ବାଂଲାଦେଶକୁ ପଳାୟନ କରୁଛନ୍ତି ।

Comments