ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ମୋଦି


ନୂଆଦିଲ୍ଲୀ,୩୦ା୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ଆଗାମୀ ବଜେଟ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ । ୩୧ ଜାନୁଆରୀ ୨୦୨୦ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଉପରେ ଆଗାମୀ ଅଧିବେଶନରେ ଗୁରୁତ୍ୱାରୋପ କରିବା ଲାଗି ଅଧିକାଂଶ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପ୍ରଧାନମନ୍ତ୍ରୀ ତାଙ୍କ ଉଦଯାପନୀ ବକ୍ତବ୍ୟରେ ସ୍ୱାଗତ କରିଥିଲେ । ସେ କହିଥିଲେ, ଅଧିକାଂଶ ସଦସ୍ୟ ଦେଶର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ପରାମର୍ଶ ଦେଇଛନ୍ତି । ମୁଁ ଏହାକୁ ସ୍ୱାଗତ କରୁଛି ଏବଂ ଆପଣ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ଆମେ ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବୁ । ବର୍ତମାନର ବୈଶ୍ୱିକ ପରିସ୍ଥିତିରେ ଦେଶ କିଭଳି ଭାବେ ପ୍ରଗତି ପଥରେ ଆଗେଇ ପାରିବ ସେଥିପ୍ରତି ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ, ବୈଶ୍ୱିକ ପରିସ୍ଥିତିକୁ କିଭଳି ଭାବେ ଭାରତ ସପକ୍ଷରେ ଆଣିପାରିବା ସେଥିପ୍ରତି ଆମେ ଧ୍ୟାନ ଦେବା ଉଚିତ । ଏହି ବଜେଟ ଅଧିବେଶନ ଏବଂ ନୂଆବର୍ଷର ଆରମ୍ଭରୁ ଯଦି ଆମେ ଦେଶର ଅର୍ଥବ୍ୟବସ୍ଥାକୁ ଏକ ଉପଯୁକ୍ତ ମାର୍ଗରେ ନେଇପାରିବା ତା’ହେଲେ ଏହା ଦେଶର ହିତ ପାଇଁ ଶ୍ରେଷ୍ଠ ଯୋଗଦାନ ହେବ, ବୋଲି ସେ କହିଥିଲେ । ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅନ୍ୟ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅନ୍ୟ ପ୍ରସଙ୍ଗରେ ମୁଁ ସହମତ । ମୁଁ ଏଠାରେ କହିବାକୁ ଚାହେଁ ଯେ, ଏ ସମସ୍ତ ପ୍ରସଙ୍ଗ ଉପରେ ଏକ ଖୋଲା ବିତର୍କ ହେବା ଉଚିତ । ସଂସଦ ଅଧିବେଶନକୁ ଅଧିକ ଫଳପ୍ରଦ କରିବା ଲାଗି ଯୋଗଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କହିଥିଲେ । ପୂର୍ବ ଦୁଇଟି ଅଧିବେଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସଂସଦର ବିଗତ ଦୁଇଟି ଅଧିବେଶନ ଅଧିକ ଫଳପ୍ରଦ ଥିଲା ଏବଂ ଏହା ସପକ୍ଷରେ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କ ପ୍ରତିନିଧି ଭାବେ ସମସ୍ତ ପ୍ରସଙ୍ଗରେ ଖୋଲା ମନରେ ଆଲୋଚନା କରି ସଦନକୁ ଅଧିକ ଫଳପ୍ରଦ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି. ମୂରଲୀଧରନଙ୍କ ସମେତ ସବୁଦଳର ସାଂସଦମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

Comments