ସିଏଏ ବିରୋଧକୁ ଯୋଗଗୁରୁ ବାବା ରାମଦେବଙ୍କ ନାପସନ୍ଦ


ନୂଆଦିଲ୍ଲୀ,  : ଦେଶର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ରୋକାନଗଲେ ବା ସମୟ ଥାଉ ଥାଉ ନିୟନ୍ତ୍ରଣ କରାନଗଲେ ଦେଶର ବିକାଶ ଅସମ୍ଭବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଯୋଗଗୁରୁ ରାମଦେବ ଚିନ୍ତା ପ୍ରକଟଠକରିଛନ୍ତି । ଏଥିସହ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କେତେକ ବିରୋଧୀ ଦଳ କଦର୍ଥ କରି ଯେଭଳି ଭାବେ ଲୋକଙ୍କୁ ଏହା ବିରୋଧରେ ଉଗ୍ର ପ୍ରଦର୍ଶନ ଲାଗି ଉସ୍‌କାଉଛନ୍ତି ତାହାକୁ ମଧ୍ୟ ବାବା ରାମଦେବ ନାପସନ୍ଦ କରିଛନ୍ତି । ଏହି ମର୍ମରେ ବାବା ରାମଦେବ କହୁଛନ୍ତି ଯେ, ଏବେ ଦେଶରେ କେତେକ ସ୍ୱାର୍ଥନ୍ୱେଷୀ ରାଜନୈତିକ ଦଳ ସରକାର ନେଉଥିବା ବିଭିନ୍ନ ନିଷ୍ପତ୍ତିକୁ କଦର୍ଥ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସେମାନଙ୍କ ବିଭ୍ରାନ୍ତକର ଗୁଜବରେ ପ୍ରଭାବିତ ହୋଇ ଅନେକ ଲୋକ ବର୍ତ୍ତମାନ ‘ଜିନ୍ନା ବାଲି ଆଜାଦୀ’ର ନାରାବାଜି କରୁଛନ୍ତି । ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ । ଭାରତ ବର୍ଷ ସମସ୍ତଙ୍କ ଦେଶ ଅଟେ । ଏଠାରେ କାହାରିକୁ ଧର୍ମ, ବର୍ଣ୍ଣ, ଜାତି ଆଧାରରେ ଭେଦଭାବ କରାଯାଏ ନାହିଁ । ଯଦିଓ ବି ବତ୍ତର୍ମାନ ଦେଶରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହେଉଛି ଏବଂ ନିଯୁକ୍ତି ହାର ଖସିଛି ତେବେ ଏହାକୁ କିଭଳି ଭାବେ ମୁକାବିଲା କରାଯିବ ସେଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରୟାସ କରିବା ଉଚିତ । କିନ୍ତୁ ବିରୋଧୀ ଦଳଗୁଡ଼ିକ ନିଆଁରେ ଘିଅ ଢମାିବା ପରି ଏହି ପ୍ରସଙ୍ଗକୁ ତେଜାଇ ଲୋକଙ୍କୁ ସରକାର ଓ ରାଷ୍ଟ୍ର ବିରୋଧୀ ହେବାକୁ ଉସ୍‌କାଉଛନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଆହୁରି ମଧ୍ୟ ସେ ଦେଶର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା କୌଣସି ଏକ ବୋମା ଠାରୁ କମ୍ ଭୟଙ୍କର ନୁହେଁ । ଆମେ ଏବେଠାରୁ ଏଥିପ୍ରତି ସଚେତନ ହୋଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଉଚିତ ନଚେତ ଆଗକୁ ଏହାର ଭୟଙ୍କର ପରିଣାମ ଆମେ ଓ ଆମର ଉତ୍ତରାଧୀକାରୀମାନେ ଭୋଗିବେ ବୋଲି ବାବା ରାମଦେବ ସର୍ତକ କରାଇ ଦେଇଛନ୍ତି ।

Comments