ପାକିସ୍ତାନରେ ହିନ୍ଦୁମାନେ ମୃତ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରିପାରୁ ନଥିବାରୁ ଭାରତରେ ପ୍ରବାହିତ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ଚାହୁଁଛନ୍ତି



ଇସଲାମାବାଦ, ୩୦/୧ : ପାକିସ୍ତାନରେ ଏବେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ସମୁଦାୟ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେଠାରେ ନିୟମିତ ସମୟ ବ୍ୟବଧାନରେ ହିନ୍ଦୁ ନାବାଳିକା ଓ ଯୁବତୀଙ୍କୁ ଅପହରଣ କରିନିଆଯାଇ ବନ୍ଧୁକ ମୁନରେ ସେମାନଙ୍କୁ ଇସଲାମ ଧର୍ମରେ ଧର୍ମାନ୍ତରୀକରଣ କରାଯିବା ସହ ମୁସଲିମ ଯୁବକଙ୍କ ସହିତ ବିବାହ କରିଦିଆଯାଉଛି । ଖାଲି ସେତିକି ନୁହେଁ ସେଠାରେ ରହୁଥିବା ହିନ୍ଦୁ ଓ ଶିଖ ସମୁଦାୟର ଲୋକଙ୍କୁ ପାକ୍ ପ୍ରଶାସନ ଓ ଇସ୍‌ଲାମୀୟ ମୌଳବାଦୀମାନେ ଧର୍ମୀୟ ପ୍ରତାଡ଼ନା ମଧ୍ୟ କରୁଛନ୍ତି । ହିନ୍ଦୁ ଧର୍ମାନୁସାରେ, ଜଣକଙ୍କ ମୃତ୍ୟୁ ପରେ ତା’ର ଶବକୁ ଦାହ କରିବାର ନୀତି ରହିଥିଲାବେଳେ ପାକିସ୍ତାନରେ ରହୁଥିବା ହିନ୍ନଦୁମାନଙ୍କୁ ସେମାନଙ୍କ ଆତ୍ମୀୟମାନକଙ୍କ ଶବକୁ ଦାହ ବଦଳରେ ପୋତି ଦେବାକୁ ବାଧ୍ୟ କରାଯାଉଛି । ଫଳରେ ଅଧିକାଂଶ ସଂଖ୍ୟାଲଘୁ ହିନ୍ଦୁମାନେ ତାଙ୍କ ଆତ୍ମୀୟସ୍ୱଜନଙ୍କ ଅସ୍ଥିକୁ ବିସର୍ଜନ ମଧ୍ୟ କରିପାରୁନାହାନ୍ତି । ତେବେ ଅଳ୍ପକେତେକ ସବର୍ଣ୍ଣ ହିନ୍ଦୁ ସେମାନଙ୍କ ଆତ୍ମୀୟମାନକଙ୍କର ଶବକୁ ହିନ୍ଦୁ ରୀତିନୀତି ଅନୁସାରେ ଦାହ କରିପାରୁଛନ୍ତି । ମାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ଓ ସିଏଏ ପ୍ରସଙ୍ଗରେ ବିବାଦ ଲାଗି ରହିଥିବାରୁ ଏବଂ ଉଭୟ ଦେଶ ମଧ୍ୟରେ ଶତ୍ରୁତା ରହିଆସିଥିବାରୁ ପାକିସ୍ତାନରେ ରହୁଥିବା କୌଣସି ବ୍ୟକ୍ତି ଭାରତ ଆସିବାକୁ ହେଲେ ତାଙ୍କୁ ଭାରତ ସରକାରଙ୍କ ଅନୁମତି ଓ ଭିସାର ଆବଶ୍ୟକତା ପଡ଼ିଥାଏ । ଭାରତ ସରକାରଙ୍କ ବିନା ଭିସା ଓ ଅନୁମତିରେ ସେହି ବ୍ୟକ୍ତି ବିଶେଷ ଭାରତ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ତେଣେ ଜମ୍ମୁ-କାଶ୍ମୀରକୁ ନେଇ ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ଉତ୍ତେଜନା ଦେଖାଦେବାରୁ ଭାରତ ସରକାର ପାକ୍ ନାଗରିକଙ୍କୁ ଭିସା ଦେବା ଉପରେ କଠୋର କଟକଣା ଲାଗୁ କରିଦେଇଛନ୍ତି । ସେପଟେ ପାକିସ୍ତାନରେ ରହୁଥିବା ଅନେକ ହିନ୍ଦୁ ସେମାନଙ୍କ ଆତ୍ମୀୟସ୍ୱୂଜନଙ୍କ ମୃତ୍ୟୁପରେ ତା’ର ଦାହସଂସ୍କାର କରି ଅସ୍ଥିକୁ ଭାରତରେ ପ୍ରବାହିତ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ଚାହୁଁଚନ୍ତି । କିନ୍ତୁ ଭାରତ ସରକାର ସେମାନଙ୍କୁ ଏନେଇ ଭିସା ଦେଉନଥବାରୁ ସେମାନେ ତାଙ୍କର ଆତ୍ମୀୟ ସ୍ୱଜନଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିପାରୁନାହାନ୍ତି । ଏଣୁ ନିଜର ଆତ୍ମୀୟମାନକଙ୍କ ଅସ୍ଥିକୁ ଗଙ୍ଗାରେ ବିସଜର୍ନ କରିବା ନିମନ୍ତେ ସେମାନେ ଏଲାଗି ଭିସାର ଆବଶ୍ୟକତା ଥିବା ଦର୍ଶାଇ ଏଥିପାଇଁ ଭାରତ ସରକାରଙ୍କୁ ଆବେଗ ଭରା ଅନୁରୋଧ କରିଛନ୍ତି । ପ୍ରକାଶ୍ୟ ଯେ, ଏବେ ପାକିସ୍ତାନରେ ୮୦ରୁ ୯୦ ଲକ୍ଷ ହିନ୍ଦୁ ବସବାସ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ୮୦% ଦନଳିତ ଅଛନ୍ତି । ଯେଉଁମାନଙ୍କୁ ସେମାନଙ୍କ ଆତ୍ମୀୟଙ୍କ ଶବକୁ ପୋଡ଼ିବା ପରିବର୍ତ୍ତେ ପୋତିଦେବା ଲାଗି ପାକ୍ ସରକାର ବାଧ୍ୟ କରୁଛନ୍ତି ।

Comments