ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ ଅନୁଷ୍ଠିତ


ରାଉରକେଲା : ଭାରତୀୟ ଚିନ୍ତା ଓ ଚେତନା ବିଶ୍ୱରେ ଶ୍ରେଷ୍ଠ । ଭାରତର ପ୍ରତିଟି ଶୀଳା ଏଠାରେ ଶାଳଗ୍ରାମ ବୋଲି ରାଷ୍ଟ୍ରଦୀପ ପାଠକ ସମ୍ମିଳନୀରେ ମୁଖ୍ୟବକ୍ତା ଜଗବନ୍ଧୁ ମିଶ୍ର କହିଛନ୍ତି । ରାଷ୍ଟ୍ର ପ୍ରତି ସମର୍ପିତ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ ରାଉରକେଲାର ସେକ୍ଟର-୪ ସ୍ଥିତ ବିଶ୍ୱକର୍ମା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରଦୀପର ମୁଖ୍ୟ ପରିଚାଳକ ଧ୍ରୁବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜର୍ଣ୍ଣାଲିଷ୍ଟ ଆସୋସି ଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ସଂପାଦକ ଜଗବନ୍ଧୁ ମିଶ୍ର ମୁଖ୍ୟବକ୍ତା, ରାଷ୍ଟ୍ରଦୀପର ସଂପାଦକ ଚିତ୍ତରଂଜନ ମହାପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରାରମ୍ଭରେ ସତ୍ୟ ନାରାୟଣ ଦାସ ମଂଚ ସଂଯୋଜନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ଏହି ଅବସରରେ କହିଲେ ଯେ ପୁସ୍ତକ କେବଳ ଜ୍ଞାନର ଭଣ୍ଡାର ନୁହେଁ ଏହା ପ୍ରତ୍ୟେକ ମଣିଷର ଆଭ୍ୟନ୍ତରଣ ସ୍ତରକୁ ପରିମାର୍ଜିତ କରାଏ । ରାଷ୍ଟ୍ରଦୀପ ଏପରି ଏକ ପତ୍ରିକା ଯାହା ଚରିତ୍ର ସଙ୍ଗେ ସମାଜ ଗଠନରେ ଏକ ପ୍ରମୁଖ ଭୂମିକା ରଖିଛି । ସମ୍ମାନୀତ ଅତିଥି ରାଷ୍ଟ୍ରଦୀପର ବିଚାରଧାରା ଓ ସିଏଏ ସଂପର୍କରେ ମତ ଉପସ୍ଥାପନା କରିଥିଲେ । ଏହି ପତ୍ରିକା କେବଳ ଓଡିଶାର ନୁହେଁ ସମଗ୍ର ଭାରତବର୍ଷର ଚିନ୍ତନ ପତ୍ରିକା । ଏହାର ଲେଖନୀ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିଛି । ମୁଖ୍ୟବକ୍ତା ଶ୍ରୀ ମିଶ୍ର କହିଲେ ଯେ ରାଷ୍ଟ୍ର ଭିତରେ ଭାରତ ଓ ରାଜ୍ୟ ଭିତରେ ଉତ୍କଳ ଶ୍ରେଷ୍ଠ । ରାଷ୍ଟ୍ର ହେଉଛି ଏକ ସାଂସ୍କୃତିକ ଚେତନା । ସଂସ୍କୃତି ହେଉଛି ରାଷ୍ଟ୍ରର ଆତ୍ମା । ସେହିପରି ମନୁଷ୍ୟ ମଧ୍ୟରେ ମା’ ହେଉଛି ଶ୍ରେଷ୍ଠ । ସେ ହେଉଛି ମମତାର ସ୍ନିଗ୍ଧ ‘ଲଗୁଧାରା । ଦୁନିଆରେ କୁପୁତ୍ର ଜନ୍ମ ହୋଇପାରେ କିନ୍ତୁ କୁମାତା କେବେ ଜନ୍ମ ହୁଏ ନାହିଁ । ଆମର ଐତିହ୍ୟ ସଂସ୍କୃତି ମହାନ୍ । ମାତ୍ର ଆମେ ଦୀର୍ଘ ଦିନ ଧରି ପରାଧିନ ରହିବା ପରେ ଆତ୍ମବିଶ୍ୱାସ ହରାଇଦେଇଛୁ । ପାଶ୍ଚାତ ଶିକ୍ଷାକୁ ଆପଣାଇ ଆମେ ନିଜର ମହିମାନି୍ୱତ ଅତୀତକୁ ନିନ୍ଦା କରିବା ଆମର ଏବେ ସଂସ୍କୃତି ପାଲଟିଛି । ସଂପ୍ରତି ଆମେ ଆତ୍ମଲାଞ୍ôଚତ ଇତିହାସ ପାଠ ପଢୁଛୁ । ତେଣୁ ଯେଉଁ ଜାତି ନିଜ ବିଷୟରେ ଜାଣେ ନାହିଁ ତା’ର ଭବିଷ୍ୟତର ସ୍ୱପ୍ନ କେଉଁଠୁ ଆସିବ? ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍ ରାମଚନ୍ଦ୍ର ଷଡଙ୍ଗୀ,ଶିକ୍ଷାବିତ୍ ରଘୁନାଥ ସାହୁ,ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶିବଚରଣ ମିଶ୍ର ଓ ସୁବେଦାର ଧନେଶ୍ୱର ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବ୍ୟଙ୍ଗକବି ରାଧୁ ମିଶ୍ର,ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଅଧ୍ୟାପକ ଡଃ ସନାତନ ପ୍ରଧାନ ପାଠକୀୟ ମତ ଉପସ୍ଥାପନା କରିଥିଲେ । ପ୍ରାରମ୍ଭରେ ଦିଲୀପ ପତି ଓ ବିକ୍ରମ କୁମାର ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ପରିଚାଳନାରେ ସର୍ବଶ୍ରୀ ଶ୍ରୀମାନ ଚକ୍ରବର୍ତ୍ତୀ,ବିଜୟ ରାୟ,ଭାସ୍କର ସିଂ,ଲଳିତ ଜେନା,ଗୁରୁଚରଣ ମହାନ୍ତି,ସତ୍ୟାନନ୍ଦ ଦାସ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶ୍ରୀ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଆଇନ୍‌ଜୀବୀ ନୃସିଂହ ଜେନା, ହିମାଂଶୁ ବଳ,ଅଶୋକ ରାଉତ,ଚକ୍ରାନ୍ତ ଜେନାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments