ଇତିହାସର ଗୋଟିଏ ଫର୍ଦ୍ଦ – ‘ଗୋପାଳ ଦା


କ୍ଷମତା ଓ ଅର୍ଥ ବଳରେ ସତ୍ୟକୁ ସାମୟିକ ଭାବେ ଚାପି ଦିଆଯାଇପାରେ । ସତ୍ୟ କେବେ ହେଲେ ଲୁଚି ରହେ ନାହିଁ । ଅନୁଧ୍ୟାନ କଲେ ଜଣାଯାଏ ଯେ, ଦେଶ ବିଭାଜନ ତଥା ସ୍ୱାଧୀନତା ଆନ୍ଦୋଳନ ସମୟର ଅନେକ କିଛି ଘଟଣା ବର୍ତ୍ତମାନ ମଧ୍ୟ ଲୁଚି ରହିଛି କିମ୍ବା କେବଳ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ବା ବ୍ୟକ୍ତିତ୍ୱଙ୍କର ସ୍ୱାର୍ଥ ପାଇଁ ଜାଣିଶୁଣି ଚାପି ଦିଆଯାଇଛି । ଦେଶ ବିଭାଜନ ସମୟରେ ଏଭଳି ଏକ ଘଟଣାର ଇତିହାସ ପୃଷ୍ଠାକୁ ଚିରି ଫୋପାଡି ଦିଆଯିବାର ପ୍ରୟାସ କରାଯାଇଥିଲା ଏବଂ ସେ ପୃଷ୍ଠାର ନାମ ହେଲା ‘ଗୋପାଳ ଚନ୍ଦ୍ର ମୁଖାର୍ଜୀ’, ବା ‘ଗୋପାଳ ପାଠା’, ବା ‘ଗୋପାଳ ଦା’ । ବ୍ରିଟିଶମାନେ ଭାରତବର୍ଷରେ ପାଦ ଦେବା ପରେ ନିଜ ସ୍ୱାର୍ଥ ଓ ଆଧିପତ୍ୟ ହାସଲ ପାଇଁ ବଙ୍ଗଳା ରାଜ୍ୟକୁ ପ୍ରଥମେ ବ୍ୟବହାର କରିଥିଲେ । ତତ୍କାଳୀନ କଲିକାତା ଏବଂ ବର୍ତ୍ତମାନର କୋଲକାତା ସହର ଥିଲା ସେମାନଙ୍କ ମୁଖ୍ୟ ବ୍ୟବସାୟସ୍ଥଳୀ । ଏହି ସ୍ଥାନରୁ ବ୍ରିଟିଶମାନେ ସମଗ୍ର ଦେଶରେ ତାଙ୍କ ସାମ୍ରାଜ୍ୟ ବିସ୍ତାର ଆରମ୍ଭ କରିଥିଲେ । ଦେଶ ବିଭାଜନ ସମୟରେ ଷଡଯନ୍ତ୍ର କରାଯାଇ ସଂପୂର୍ଣ୍ଣ ବଙ୍ଗଳାକୁ ଭାରତବର୍ଷରୁ ଅଲଗା କରିବାର ଚକ୍ରାନ୍ତ ହୋଇଥିଲା । ୧୯୪୬ ମସିହା ଅଗଷ୍ଟ ୧୬ତାରିଖ ଦିନ ଅଲ୍ ଇଣ୍ଡିଆ ମୁସଲିମ ଲିଗ “ଡାଇରେକ୍ଟ ଆକ୍ସନ”ର ଆହ୍ୱାନ ଦେଇ ନୂତନ ପାକିସ୍ଥାନ ଗଠନ ପାଇଁ କଲିକାତାଠାରେ ମୁସଲିମ ର‌୍ୟାଲିର ଡାକରା ଦେଇଥିଲା । ସେତେବେଳେ ବଙ୍ଗଳା ରାଜ୍ୟର ରାଜଧାନୀ କଲିକାତା ଥିଲା ଏବଂ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ ରାଜ୍ୟ ସରକାର ଅଗଷ୍ଟ ୧୬ ତାରିଖକୁ ଛୁଟି ଘୋଷଣା କରିଥିଲେ । ଏହି ର‌୍ୟାଲି ପାଇଁ ଏକ ପୂର୍ବ ନିର୍ଦ୍ଧାରିତ ଖସଡା ପ୍ରସ୍ତୁତ କରାଯାଇଥିଲା । ସେହି ଦିନ କଲିକାତାର ବିଭିନ୍ନ ସ୍ଥାନରେ ହାତରେ ଖଣ୍ଡା ଧରିଥିବା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଥିବା ହୋର୍ଡିଂମାନ ପ୍ରଦର୍ଶିତ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ତତ୍କାଳୀନ ବଙ୍ଗଳା ରାଜ୍ୟ ମୁଖ୍ୟମନ୍ତ୍ରୀ ହୁସେନ ଶାହିଦ ସୁହରାବର୍ଦ୍ଦି । ସେ ନିଜ କ୍ଷମତା ଓ ପ୍ରଶାସନକୁ ଅପବ୍ୟବହାର କରି ଉଦ୍ଦେଶ୍ୟମୁଳକ ଭାବେ କଲିକାତା ସହରରେ ଥିବା ସମସ୍ତ ଥାନାରେ କାର୍ଯ୍ୟରତ ହିନ୍ଦୁ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ପ୍ରଦାନ କରିଥିଲେ । ବର୍ତ୍ତମାନର ହାଓଡା ପୋଲର ସେପାଖକୁ ପାକିସ୍ଥାନରେ ସାମିଲ କରାଯିବାର ଚକ୍ରାନ୍ତ ହୋଇଥିଲା । ଅର୍ଥାତ କଲିକତା ସହର ବିଭାଜନ ପରେ ପାକିସ୍ଥାନ (ପୂର୍ବ ପାକିସ୍ଥାନ ଏବଂ ବର୍ତ୍ତମାନର ବାଂଲାଦେଶ)ରେ ରହିବ । ଅଗଷ୍ଟ ୧୬ ତାରିଖ ସକାଳ ସମୟରୁ ମୁସଲିମମାନେ ସଂଗଠିତ ହୋଇ କଲିକତା ସହରର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏହି ହିଂସାକାଣ୍ଡରେ କମ୍ୟୁନିଷ୍ଟ ଦଳ ମଧ୍ୟ ଭାଗୀଦାର ଥିଲା । ର‌୍ୟାଲି ଏବଂ ହିଂସାକାଣ୍ଡ ସଂପର୍କରେ ଅବଗତ ହେବା ପାଇଁ ସହରର ପ୍ରଗତିଶୀଳ ଓ ଧର୍ମନିରପେକ୍ଷ ବୁଦ୍ଧିଜୀବୀମାନେ ସଭାସ୍ଥାନ ମନୁମେଂଟ ପଡିଆଠାରେ ପହଂଚିଥିଲେ । ସେମାନେ ଦେଖିଲେ ଯେ, ଏହି ସଭାସ୍ଥଳରେ ଅର୍ଦ୍ଧଚନ୍ଦ୍ର ତାରକା ବିଶିଷ୍ଟ ସବୁଜ ପତକା ଏବଂ କମ୍ୟୁନିଷ୍ଟମାନଙ୍କ ଲାଲ ପତାକା ଶୋଭା ପାଉଥିଲା । ସେଠାରେ ଉପସ୍ଥିତ ଥିଲେ କମ୍ରେଡ ଜ୍ୟୋତି ବସୁ, ଯୋଗେନ ମଣ୍ଡଳ, ହୁସେନ ଶାହିଦ ସୁହରାବର୍ଦ୍ଦି, ଖ୍ୱାଜା ନଜିମୁଦ୍ଦିନ ପ୍ରମୁଖ ନେତୃବୃନ୍ଦ । ସଭାସ୍ଥଳରେ ସ୍ଲୋଗାନ ଥିଲା ‘ପ୍ରଥମେ ପାକିସ୍ଥାନ ଗଠନ, ତାପରେ ଭାରତ ସ୍ୱାଧୀନତା’, ‘ଲଢ୍‌କେ ଲେଙ୍ଗେ ପାକିସ୍ଥାନ’ । ଏ ସମସ୍ତ ଦୃଶ୍ୟ ଦେଖି ଉପସ୍ଥିତ ବୁଦ୍ଧିଜୀବୀବୃନ୍ଦ ଭାଙ୍ଗି ପଡିଥିଲେ ଏବଂ ନିଜକୁ ଅସହାୟ ମନେ କରିଥିଲେ । ସଭା ସମାପ୍ତ ହେବା ପରେ ଉତ୍ତେଜିତ ମୁସଲମାନମାନେ ସହରର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ପୁଣି ଆକ୍ରମଣ ଆରମ୍ଭ କରିବା ସହ ହିନ୍ଦୁମାନଙ୍କ ଦୋକାନ ଓ ଘର ଭାଙ୍ଗିବା ଆରମ୍ଭ କରିଦେଇଥିଲେ । କେବଳ ମାରପିଟ ନୁହେଁ, ବରଂ ଘରେ ପଶି ଆକ୍ରମଣ କରିବା ସହ ହତ୍ୟା ମଧ୍ୟ ଆରମ୍ଭ କରି ଦେଇଥିଲେ । ହିନ୍ଦୁମାନଙ୍କ ଘରେ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ସହ ଦୁର୍ବବ୍ୟହାର ଓ ଦୁଷ୍କର୍ମ କରିଥିଲେ । ହଜାର ହଜାର ହିନ୍ଦୁମାନଙ୍କୁ ହତ୍ୟା କରାଯାଇ ରକ୍ତରେ ହୋଲି ଖେଳ ହୋଇଥିଲା । ସମଗ୍ର ସହରରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା । କ୍ରମଶଃ ଏହି ଆତଙ୍କ ଭୟଙ୍କର ରୂପ ଧାରଣ କରିସାରିଥାଏ । ଏଭଳି ହିଂସାକାଣ୍ଡକୁ ରୋକିବା ପାଇଁ କେହି ହେଲେ ଜଣେ ନେତୃସ୍ଥାନୀୟ ବ୍ୟକ୍ତି ସାମ୍ନାକୁ ଆସିନଥିଲେ । ଦିଲ୍ଲୀରେ ଥିବା କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କଠୁ ଆରମ୍ଭ କରି ରାଜ୍ୟ ନେତୃବୃନ୍ଦ ଏ ଘଟଣା ବିଷୟରେ ଜାଣିବା ପରେ ସୁଦ୍ଧା ନୀରବଦ୍ରଷ୍ଟା ସାଜିଥିଲେ । ମୁସଲିମ ଲିଗ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଆଧୁନିକ ଇତିହାସର ଏହି ନାରକୀୟ ଓ ଆମାନବୀୟ ହିଂସାକାଣ୍ଡ ଅଗଷ୍ଟ ୧୬, ୧୭ ଓ ୧୮ ତିନି ଦିନ ଧରି ଲାଗି ରହିଥିଲା । ଏଭଳି ଅମାନବୀୟ ହିଂସାକାଣ୍ଡ, ମହିଳାମାନଙ୍କୁ ଆକ୍ରମଣକୁ ସହ୍ୟ କରିନପାରି ସେ ସମୟରେ ସହରର ବୋଉବଜାର ଅଂଚଳର ଜଣେ ହିନ୍ଦୁ ଯୁବକ ସାହସର ସହିତ ବାହାରି ଆସିଥିଲେ ହିନ୍ଦୁମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ । ସେ ହେଲେ ଆମ ଦେଶର ଇତିହାସ ବିସ୍ମୃତ ଗୋପାଳ ଚନ୍ଦ୍ର ମୁଖାର୍ଜୀ ବା ‘ଗୋପାଳ ଦା’ । ୧୮୯୦ ମସିହାରେ ‘ଗୋପାଳ ଦା’ଙ୍କ ପୂର୍ବଜ ପୂର୍ବ ବଙ୍ଗଳାରୁ (ବର୍ତ୍ତମାନ ବାଂଲାଦେଶ) କଲିକତା ସହରକୁ ଆସି କୈାଳିକ ଛେଳି ବ୍ୟବସାୟ କରୁଥିବାରୁ ଗୋପାଳ ଚନ୍ଦ୍ର ମୁଖାର୍ଜୀ ସେ ଅଂଚଳରେ ‘ଗୋପାଳ ପାଠା’ ନାମରେ ପରିଚିତ ଥିଲେ । ବ୍ୟବସାୟ କାରଣରୁ ତାଙ୍କର ମୁସଲମାନମାନଙ୍କ ସହ ଭଲ ସଂପର୍କ ଥିଲା । ମାତ୍ର ଅଗଷ୍ଟ ୧୬ର ଏହି ଅମାନବୀୟ ଘଟଣା ‘ଗୋପାଳ ଦା’ଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ସେଦିନ ସକାଳେ ‘ଗୋପାଳ ଦା’ ନିଜ ଦୋକାନକୁ ଯାଉଥିବାବେଳେ ସହରରେ ହିଂସା ହେଉଥିବାର ସୂଚନା ପାଇ ନିଜ ଘରକୁ ଫେରି ଆସିଥିଲେ । ନିଜ ଅଂଚଳରେ ‘ଲଢ୍‌କେ ଲେଙ୍ଗେ ପାକିସ୍ଥାନ’ର ନାରା ଦେଇ ମୁସଲିମ ଲିଗ କାର୍ଯ୍ୟକର୍ତ୍ତାଙ୍କ ହିଂସାକାଣ୍ଡ ଭିଆଉଥିବାର ଦେଖି ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡିଥିଲେ ଏବଂ ଆତଙ୍କକୁ ପ୍ରତିରୋଧ କରିବାର ନିଷ୍ପତ୍ତି ନେଇଥିଲେ । ତାଙ୍କ ନିର୍ଦ୍ଦେଶରେ ହିନ୍ଦୁମାନଙ୍କ ପ୍ରତିଆକ୍ରମଣ ଯୋଗୁ ମୁସଲିମ୍ ଲିଗ ସଂପୂର୍ଣ୍ଣ ଭୟଭୀତ ହୋଇପଡିଥିଲା । ସମୟକ୍ରମେ ମୁସଲିମ ଲିଗ ଅନୁଭବ କରିସାରିଥିଲା ଯେ, ଏହି ଅମାନବୀୟ ଘଟଣାରେ ହିନ୍ଦୁମାନଙ୍କ ଅପେକ୍ଷା ମୁସଲମାନଙ୍କର ଅଧିକ କ୍ଷତି ହୋଇସାରିଛି । ବାଧ୍ୟ ହୋଇ ମୁସଲିମ ଲିଗ ଏବଂ କମ୍ୟୁନିଷ୍ଟ ନେତୃବୃନ୍ଦ ଗୋପାଳ ଦାଙ୍କ ସହ ବୁଝାମଣା ପାଇଁ ପ୍ରସ୍ତାବ ଦେଲେ । ମୁସଲିମ ନ୍ୟାସନାଲ ଗାର୍ଡର ସଦସ୍ୟ ତଥା ପରବର୍ତ୍ତୀ ସମୟରେ ବାଂଲାଦେଶ ରାଷ୍ଟ୍ରପତି ଶେଖ୍ ମୁଜିବର ରହେମନ ଏବଂ ଅଲ୍ ଇଣ୍ଡିଆ ମୁସଲିମ ଲିଗ ଛାତ୍ର ସଂଗଠନ ତତ୍କାଳୀନ ମୁଖ୍ୟ ଜିଜି ଆଜମେରୀ ପ୍ରତିନିଧି ହୋଇ ଗୋପାଳ ଦାଙ୍କୁ ରକ୍ତପାତ ବନ୍ଦ କରିବାକୁ କରହସ୍ତ ନିବେଦନ କରିଥିଲେ । ଶେଷରେ ବନ୍ଦ ହୋଇଥିଲା ନୃଶଂସ ହତ୍ୟାକାଣ୍ଡ ଓ ରକ୍ତପାତ । ମୁସଲିମ ଲିଗ ଓ କମ୍ୟୁନିଷ୍ଟମାନଙ୍କର ଚକ୍ରାନ୍ତ ସଫଳ ହେଲା ନାହିଁ । ପରିଶେଷରେ କଲିକତା ଭାରତବର୍ଷର ଅଂଗ ହୋଇ ରହିଲା । ଆଜି ସେହି କଲିକତା (ବର୍ତ୍ତମାନର କୋଲକାତା) ସହର ପୂର୍ବ ଭାରତର ମୁଖ୍ୟ ସହର ଏବଂ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସାଜିଛି । ଧନ୍ୟ ଗୋପାଳ ଦା । ଆପଣଙ୍କୁ ଶତ ଶତ ପ୍ରଣାମ । ଆପଣଙ୍କ ସେଦିନର ଧୈର୍ଯ୍ୟ, ଅସୀମ ସାହସ ଏବଂ ସଠିକ୍ ନିଷ୍ପତ୍ତି କାରଣରୁ ଆଜି ଆମେ କଲିକତା (କୋଲକାତା)କୁ ଭାରତବର୍ଷର ପ୍ରମୁଖ ଅଙ୍ଗ ଭାବେ ଦେଖିବାକୁ ପାଉଛୁ । ମାତ୍ର କିଛି ଚକ୍ରାନ୍ତକାରୀଙ୍କ ପାଇଁ ଆଜି ଆପଣ ଆମ ଦେଶର ଇତିହାସରେ ସ୍ଥାନ ପାଇବାରୁ ବଂଚିତ ହୋଇଛନ୍ତି । ୨୦୦୫ ମସିହା ଫେବୃଆରୀ ୧୦ ତାରିଖ ଦିନ ନିଜ କୋଲକାତାସ୍ଥିତ ବାସଭବନରେ ୯୨ ବର୍ଷରେ ମୃତ୍ୟୁବରଣ କରିଥିବା ‘ଗୋପାଳ ଦା’ ବର୍ତ୍ତମାନର ଯୁବସମାଜ ପାଇଁ ଇତିହାସ ହୋଇ ଯାଇଛନ୍ତି । ଦୁଃଖର ବିଷୟ, ବର୍ତ୍ତମାନ ସୁଦ୍ଧା ଏଭଳି ଜଣେ ଦେଶଭକ୍ତଙ୍କୁ କୈାଣସି ମାନ୍ୟତା ବା ସମ୍ମାନ ପ୍ରଦାନ କରାଯାଇନାହିଁ । ଅନ୍ୟ ପଟେ ଦେଶ ବିଭାଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତତ୍କାଳୀନ ବଙ୍ଗଳା ରାଜ୍ୟ ମୁଖ୍ୟମନ୍ତ୍ରୀ ହୁସେନ ଶାହିଦ ସୁହରାବର୍ଦ୍ଦିଙ୍କ ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର ଜିଲ୍ଲାରେ ଥିବା ପୈତୃକ ଗୃହକୁ ସ୍ମାରକୀର ଆଖ୍ୟା ଦିଆଯିବା ପ୍ରସଙ୍ଗଟି ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି !

Comments