ଭାରତରତ୍ନ ମୋରାର୍‌ଜୀ ଦେଶାଇ


କୌଶଳୀ କୁଟନୀତିଜ୍ଞ, ରାଷ୍ଟ୍ରପ୍ରେମୀ ରାଜନୀତିଜ୍ଞ, ରୁକ୍ମାଭ ରାଷ୍ଟ୍ରନୀତିଜ୍ଞ, ସାଞ୍ଜୁଆଳ ସ୍ୱାଧୀନତା ସଂଗ୍ରାମୀ, ଅହିଂସାର ପ୍ରବକ୍ତା, ଗୁଣଗ୍ରାହୀ ଗାନ୍ଧିବାଦୀ, ଦର୍ଶତ୍ୟୟ ଦେଶପ୍ରେମୀ, ଗୁରୁଟାଣ ଗଣତନ୍ତ୍ରବାଦୀ, ପ୍ରବାଦ ପୁରୁଷ, ଭାରତରତ୍ନ ମୋରାର୍‌ଜୀ ଦେଶାଇ ତା ୨୯.୦୨.୧୮୯୬ରିଖରେ ତତ୍କାଳୀନ ବମ୍ବେ ପ୍ରଦେଶ ତଥା ବର୍ତ୍ତମାନର ଗୁଜୁରାଟ ରାଜ୍ୟର ବଳସାର ଜିଲ୍ଲା ଅନ୍ତର୍ଗତ ଭାଦେଲି ଗ୍ରାମରେ କରିଥିଲେ ଜନ୍ମ ଗ୍ରହଣ । ତାଙ୍କ ପିତା ଥିଲେ ଜଣେ ବିଦ୍ୟାନୁରାଗି ଯଶସ୍ୱୀ କର୍ମପ୍ରବଣ ଶିକ୍ଷକ । ପିତାଙ୍କ ନିଷ୍ଠାପର ଉଦ୍ୟମ ଓ ଉତ୍ତମ ଶିକ୍ଷାଦାନ ଦ୍ୱାରା ବାଲ୍ୟକାଳରୁ ତାଙ୍କର ଜୀବନ ଶୈଳୀ ସୁ-ସଂସ୍କୃତି ସଂପନ୍ନ ଓ ମାର୍ଜିତ ହୋଇଥିଲା । ଆଠଭାଇ ଓ ଭଉଣୀ ମଧ୍ୟରେ ସେ ଜ୍ୟେଷ୍ଠ ଥିବାରୁ ନିଜର ଦୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଦା ସର୍ବଦା ଥିଲେ ସଚେତନ । ସୌରାଷ୍ଟ୍ର ଅନ୍ତର୍ଗତ ସଭର କୁଣ୍ଡଳାଇ କୁନ୍ଦଲା ପ୍ରାଥମିକ ବିଦ୍ୟାଳୟରୁ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରି ଅଧିକ ପଢ଼ିବା ପାଇଁ ବଲସାଡର ଆଭାବାଇ ଉଚ୍ଚ ବିଦ୍ୟାଳୟରେ ଲେଖାଇଥିଲେ ନିଜର ନାମ । ଏଠାରେ ପଢୁଥିବା ସମୟରେ ସେ ସବୁଦିନ ପାଇଁ ହରାଇ ବସିଥିଲେ ନିଜର ପିତାଙ୍କୁ । ମୃତ୍ୟୁ ପୂର୍ବରୁ ତାଙ୍କର ପିତା ତାଙ୍କ ବିବାହ ସ୍ଥିର କରି ସାରିଥିବାରୁ ତାଙ୍କ ଅଜା ପିତାଙ୍କ ଇଚ୍ଛାନୁଯାୟୀ ୧୯୧୧ମସିହାରେ ୧୧ବର୍ଷର କନ୍ୟା ଗୁଜରା ବେନ୍‌ଙ୍କ ସହିତ ବିବାହ କରାଇଥିଲେ ସମ୍ପନ୍ନ । ଏହି ବିବାହ ପରେ ମଧ୍ୟ ସେ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ନିଷ୍ଠାର ସହିତ ଚାଲୁ ରଖିଥିଲେ ନିଜର ପାଠପଢ଼ା । ପିତାଙ୍କ ମୃତ୍ୟୁପରେ ଜ୍ୟେଷ୍ଠ ପୁତ୍ର ହିସାବରେ ସେ ବହନ କରିଥିଲେ ଘରର ଭଲ ମନ୍ଦ ଦାୟିତ୍ୱ । ତଥାପି କଠୋର ପରିଶ୍ରମ କରି ସେ କୃତିତ୍ୱର ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମାପ୍ତ କରିଥିଲେ ନିଜର ବିଦ୍ୟାଳୟସ୍ତରୀୟ ଶୀର୍ଷ ଅଧ୍ୟୟନ । ଏହି ପାଠପଢ଼ା ସମୟରେ ସେ ଗୋଟିଏ ଦିନ ପାଇଁ ମଧ୍ୟ ବିଦ୍ୟାଳୟରେ ନଥିଲେ ଅନୁପସ୍ଥିତ । ନିଜ ପିତାଙ୍କ ପ୍ରଭାବରେ ସେ ସବୁ ସମୟରେ ଧୋତି, କୋଟ୍ ଓ ପଗଡି କରୁଥିଲେ ପରିଧାନ । ଏହାପରେ ସେ ଜଣେ ମେଧାବୀ ଛାତ୍ରରୂପେ ମାସିକ ଦଶ ଟଙ୍କା ଛାତ୍ରବୃତ୍ତି ପାଇ ଉଚ୍ଚ ଶିକ୍ଷା ନିମିତ୍ତ ବମ୍ବେର ୱିଲସନ ମହାବିଦ୍ୟାଳୟରେ ଚାଲୁ ରଖିଥିଲେ ନିଜର ଅଧ୍ୟୟନ । ଛାତ୍ରାବାସରେ ତାଙ୍କର ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥାଥିବାରୁ ସେ ମାସିକ ପାଉଥିବା ଦଶ ଟଙ୍କା ବୃତ୍ତିରୁ ଅଳ୍ପ ଅର୍ଥ ନିଜର ଖର୍ଚ୍ଚ ପାଇଁ ରଖି ଅଧି ପରିମାଣର ଅର୍ଥ ପ୍ରତ୍ୟେକ ମାସରେ ଘର ଖର୍ଚ୍ଚ ପାଇଁ ଦେଉଥିଲେ ନିଜର ଜନ୍ମଦାତ୍ରୀ ମାତାଙ୍କୁ । କଠିନ ଅଧ୍ୟବସାୟ ଦ୍ୱାରା ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ହାସଲ କରିଥିଲେ ନିଜର ସ୍ୱାତକ ଉପାଧି । ପଚାଶ ଟଙ୍କା ବୃତ୍ତି ପାଇ ଜଣେ ବିଜ୍ଞାନ ଅଧ୍ୟାପକ ହେବା ଳକ୍ଷ୍ୟରେ ସେ ଚାଲୁ ରଖିଥିଲେ ନିଜର ଛାତ୍ର ଜୀବନ । ମାତ୍ର ନିଜର ବିଜ୍ଞତା ଓ ଯୋଗ୍ୟତା ବଳରେ ୧୯୧୮ମସିହା ମେ ମାସରେ ବମ୍ବେ ପ୍ରଦେଶର ପ୍ରାନ୍ତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଗୋଧ୍ରା ଠାରେ ଜଣେ ଡେପୁଟି କଲେକ୍ଟର ରୂପେ ଯୋଗଦାନ କରି ଜନ ସେବାରେ ନିଜକୁ କରିଥିଲେ ନିୟୋଜିତ । ଏହି ଚାକିରିରେ ଯୋଗଦାନ କରି କୈଳାସ ଚନ୍ଦ୍ର ଜେନା,ଆଡ୍‌ଭୋକେଟ୍ ସେ ମର୍ମେ ମର୍ମେ ବୁଝିଥିଲେ ସମାଜରେ ଅସହାୟ ଜନତାଙ୍କ ନାନା ପ୍ରକାର ସମସ୍ୟା । ଏହି ସମୟ ମଧ୍ୟରେ ସେ ଗୋପାଳକୃଷ୍ଣ ଗୋଖଲେ, ଲୋକମାନ୍ୟ ତିଳକ, ସରୋଜିନୀ ନାଇଡୁ ଓ ମହତ୍ମାଗାନ୍ଧି ପ୍ରମୁଖ ଦେଶଭକ୍ତଙ୍କର ଓଜସ୍ୱି ବକ୍ତବ୍ୟମାନ ବିଭିନ୍ନ ସଭାସମିତିରେ ଶୁଣି ଦେଶ ସ୍ୱାଧୀନତା ପାଇଁ ବ୍ୟାକୁଳିତ ହେଉଥିଲା ତାଙ୍କର ମନ, ପ୍ରାଣ ଓ ହୃଦୟ । ୧୯୨୭- ୨୮ମସିହା ଦଙ୍ଗାପାଇଁ ଇଂରେଜ ପ୍ରଶାସନ ସହିତ ମତ ପାର୍ଥକ୍ୟ ହେବା ଦ୍ୱାରା ସେ ୧୯୩୦ମସିହାରେ ନିଜର ଚାକିରିରୁ ଇସ୍ତଫା ଦେଇ ଦେଶ ସ୍ୱାଧୀନତା ଅନ୍ଦୋଳନରେ କରିଥିଲେ ଯୋଗଦାନ । ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ନିଜର ଓଜସ୍ୱି ବକ୍ତବ୍ୟ ଓ ସାଂଗଠନିକ ଦକ୍ଷତା ଦ୍ୱାରା ସଭିଁ ଭାରତୀୟମାନଙ୍କ ମନରେ ସେ ଜାଳୁଥିଲେ ବିପ୍ଲବର ନିଆଁ । ଭାରତ ମାତା ହାତରୁ ପରାଧୀନତାର ଶୃଙ୍ଖଳ ଖୋଲି ତା’ମୁହଁରେ ହସ ଦେଖିବା ପାଇଁ ସଦା ସର୍ବଦା ବ୍ୟାକୁଳିତ ହେଉଥିଲା ତାଙ୍କ ମନ, ପ୍ରାଣ ଓ ହୃଦୟ । ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରି ସେ ଭୋଗିଥିଲେ କାରାବାସ । ୧୯୩୧ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରି ସ୍ୱାଧୀନତା ଆନ୍ଦୋଳନକୁ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ବହୁ ନିଷ୍ଠା ଓ ଗୁରୁତ୍ୱ ସହିତ ସଂପାଦନ କରୁଥିଲେ ନିଜର କର୍ତ୍ତବ୍ୟ । ସେ ଦୀର୍ଘ ସାତବର୍ଷ କାଳ ଗୁଜୁରାଟ କଂଗ୍ରେସ କମିଟିର ସଂପାଦକ ରହି କଂଗ୍ରେସ ଦଳକୁ କରାଇଥିଲେ ସୁ-ସଂଗଠିତ । ୧୯୩୫ମସିହା ଇଣ୍ଡିଆ ଆକ୍ଟ ଅନୁଯାୟୀ ୧୯୩୭ମସିହାରେ ଅନୁଷ୍ଠିତ ପ୍ରାଦେଶିକ ନିର୍ବାଚନରେ ସେ ବରସାତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ରୂପେ ବମ୍ବେ ବିଧାନ ସଭାକୁ ନର୍ବାଚିତ ହୋଇ ଗୃହ ଓ ରାଜସ୍ୱମନ୍ତ୍ରୀ ରୂପେ ନିଜର ନିଷ୍ଠାପର କର୍ମ ଦ୍ୱାରା ଅର୍ଜନ କରିଥିଲେ ବହୁ ଯଶ ଓ ଗୌରବ । ୧୯୪୨ମସିହାରେ ଭାରତଛାଡ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ଗିରଫ ପରେ ଭୋଗ କରିଥିଲେ ଯନ୍ତ୍ରଣା ଦାୟକ ବନ୍ଦୀ ଜୀବନ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରବର୍ତ୍ତି ସମୟରେ ୧୯୪୬ମସିହା ପ୍ରାଦେଶିକ ନିର୍ବାଚନରେ ସେ ପୁନଶ୍ଚ ବମ୍ବେ ବିଧାନ ସଭାକୁ ନିର୍ବାଚିତ ହୋଇ ବହନ କରିଥିଲେ ଗୃହ ଓ ରାଜସ୍ୱ ବିଭାଗର ମନ୍ତ୍ରୀପଦ । ଏହି ସମୟରେ ପ୍ରକୃତ ଚାଷୀଙ୍କୁ ଜମିର ସତ୍ୱ ପ୍ରଦାନ ପାଇଁ ସେ ଗ୍ରହଣ କରିଥିଲେ ବହୁ ବଳିଷ୍ଠ ପଦକ୍ଷେପ । ସେ ମଧ୍ୟ ଆରକ୍ଷୀ ପ୍ରଶାସନକୁ ଜନତାଙ୍କ ସେବକ ରୂପେ କାର୍ଯ୍ୟ କରି ସୋମାନଙ୍କ ନିକଟତର ହେବା ପାଇଁ ଦେଇଥିଲେ ପରାମର୍ଶ । ତାଙ୍କର ଏହି ପରାମର୍ଶ ଅନେକାଂଶରେ ମଧ୍ୟ ହୋଇ ଥିଲା ସଫଳ । ୧୯୫୨ମସିହା ନିର୍ବାଚନରେ ସେ ବିଜୟୀ ହୋଇ ବମ୍ବେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ କରିଥିଲେ ଅକଙ୍କୃତ । ନିଜର ଦର୍ଶନ, ସିଦ୍ଧାନ୍ତ ଓ ପ୍ରଶାସନିକ ଦକ୍ଷତା ଦ୍ୱାରା ଅବହେଳିତ ଓ ଅନଗ୍ରସର ଜନତାଙ୍କ ନିମିତ୍ତ ଅନେକ ଜନମଙ୍ଗଳକାରୀ ଯୋଜନା ସେ କରାଇଥିଲେ କାର୍ଯ୍ୟକାରୀ । ଭୂ-ସଂସ୍କାର ଓ ନିଶାନିବାରଣ ପାଇଁ ସେ ଗ୍ରହଣ କରିଥିଲେ ଅନେକ ଦୃଢ଼ ପଦକ୍ଷେପ । ଏହାବାଦ୍ ମଧ୍ୟ ହିନ୍ଦୁମାନଙ୍କର ଏକାଧିକ ବିବାହକୁ ବିରୋଧ କରି ସେ ଦୃଢ଼ତା ଓ ସାହସର ସହିତ ପ୍ରଣୟନ କରିଥିଲେ ଆଇନ୍ । ୧୯୫୬ମସିହାରେ ଭାଷା ଭିତିରେ ବମ୍ବେ ପ୍ରଦେଶ ଦୁଇ ଭାଗ ହୋଇ ମହାରାଷ୍ଟ୍ର ଓ ଗୁଜୁରାଟ ନାମରେ ଦୁଇରାଜ୍ୟ ହୋଇଥିଲା ସୃଷ୍ଟି । ବମ୍ବେ ପ୍ରଦେଶର ବିଭାଜନ ପରେ ସେ ରାଜ୍ୟ ରାଜନୀତିରୁ ଅବ୍ୟାହତ ନେଇ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ ତା ୧୩.୩.୧୯୫୮ରେ ଶକ୍ତି ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ରୂପେ କରିଥିଲେ ଯୋଗଦାନ । ୧୯୫୮ମସିହା ମାର୍ଚ୍ଚମାସ ୨୨ତାରିଖରେ ସେ ଆମ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ଦେଶର ଆର୍ଥୀକ ବିକାଶ ନିମିତ୍ତ ଗ୍ରହଣ କରିଥିଲେ ବହୁ ଦୃଢ଼ ପଦକ୍ଷେପ । ଏହି ସମୟରେ ଚଳଚିତ୍ର ମାନଙ୍କରେ ଚୁମ୍ବନ ଦୃଶ୍ୟ ଯେଭଳି ପ୍ରଦର୍ଶନ କରାନଯିବ ସେଥିପାଇଁ ସେ ଦେଇଥିଲେ ଦୃଢ଼ ନିର୍ଦ୍ଦେଶ । ଏହା ବ୍ୟତିତ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ମୁକ୍ତ ବାଣିଜ୍ୟ କାରବାର କରାଇବାରେ ସେ ଆଣିଥିଲେ ଅନେକ ସଂସ୍କାର । କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ କାମରାଜଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନାନୁଯାୟୀ ସେ ତା ୨୯.୮.୧୯୬୩ରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଜକୁ କରିଥିଲେ ସମର୍ପିତ । ୧୯୬୪ମସିହାରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦେହାନ୍ତ ପରେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଦଳ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ରୂପେ ଶ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଜୀ ପିନ୍ଧିଥିଲେ ବିଜୟ ମୁକୁଟ । ତଥାପି ସେ ହତୋତ୍ସାହିତ ନହୋଇ ନିଷ୍ଠାର ସହିତ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦିବା ରାତ୍ର ଥିଲେ ଯତ୍ନଶୀଳ । ୧୯୬୬ମସିହାରେ ଶାନ୍ତିଦୂତ ଶାସ୍ତ୍ରୀଜୀ ଇହଲୀଳା ସମ୍ବରଣ କରିବା ଦ୍ୱାରା ପୁନଶ୍ଚ ଏହି ପ୍ରବାଦ ପୁରୁଷଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଆସିଥିଲେ ମଧ୍ୟ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ରୂପେ ଲୌହମାନବୀ ଇନ୍ଦିରାଗାନ୍ଧି ହୋଇଥିଲେ ଉପବିଷ୍ଟ । ୧୯୬୭ମସିହାରେ ସେ ସୁରତରୁ ଲୋକସଭାକୁ ନିର୍ବାଚିତ ହୋଇ ତା ୧୩.୩.୧୯୬୭ରିଖରୁ ତା ୧୬.୭.୧୯୬୯ରିଖ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରୀ ମଣ୍ଡଳରେ ଉପ-ପ୍ରଧାନମନ୍ତ୍ରୀ ପଦ ସହିତ ଅର୍ଥବିଭାଗର ମନ୍ତ୍ରୀ ରୂପେ ବହନ କରିଥିଲେ ଗୁରୁ ଦାୟିତ୍ୱ । ଇନ୍ଦିରା ଗାନ୍ଧିଙ୍କ ସହିତ ମତାନ୍ତର ଘଟିବାରୁ ସେ ମନ୍ତ୍ରୀମଣ୍ଡଳରୁ ଦେଇଥିଲେ ନିଜର ତ୍ୟାଗପତ୍ର । ୧୯୬୯ମସିହାର ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ନୀଲମ ସଂଜୀବ ରେଡ୍ଡିଙ୍କୁ ପ୍ରାର୍ଥୀ ରୂପେ କରାଯାଇଥିଲା ମନୋନୀତ । ମାତ୍ର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ବିରୋଧରେ ଭି.ଭି.ଗିରିଙ୍କୁ ସ୍ୱାଧୀନ ପ୍ରାର୍ଥୀରୂପେ ନିଜର ସମର୍ଥନ ଦେଇ ପ୍ରତିଦ୍ୱନ୍ଦିତା କରାଇଦେବା ଦ୍ୱାରା ଭାରତୀୟ ଜାତୀୟ କଂଗ୍ରେସ ଦଳରେ ବିଭାଜନ ଘଟି ଦୁଇଗୋଟି ଦଳରେ ହୋଇଥିଲେ ବିଭକ୍ତ । ଗୋଟିଏ ଗୋଷ୍ଠୀ କଂଗ୍ରେସ (ଇନ୍ଦିରା) ଓ ଅନ୍ୟ ଗୋଷ୍ଠୀଟି କଂଗ୍ରେସ (ସଂଗଠନ) ନାମରେ ଲାଭ କରିଥିଲେ ସ୍ୱୀକୃତି । ଏହି ଯଶସ୍ୱୀ ରାଜନେତା ୧୯୬୯ମସିହା ଠାରୁ ୧୯୭୭ମସିହା ପର୍ଯ୍ୟନ୍ତ କଂଗ୍ରେସ (ସଂ)ର ସଭାପତି ଦାୟିତ୍ୱ ବହନ କରି ଆଦରି ନେଇଥିଲେ ବିରୋଧିଦଳର ଆସନ । ୧୯୭୫ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ପ୍ରଦାନ କରି ଶ୍ରୀମତୀ ଗାନ୍ଧିଙ୍କ ନିର୍ବାଚନକୁ କରିଥିଲେ ଅସିଦ୍ଧ ଘୋଷଣା । ଉକ୍ତ ଘଟଣା ପରେ ଶ୍ରୀମତୀ ଗାନ୍ଧି ନିଜର ପଦବୀ ବଞ୍ଚାଇ ରଖିବା ନିମିତ୍ତ ଆମ ଦେଶରେ ଲାଗୁ କରିଥିଲେ ଆଭ୍ୟାନ୍ତରୀଣ ଜରୁରୀ କାଳିନ ପରିସ୍ଥିତି । ଏହା ପରେ ଇନ୍ଦିରା ଗାନ୍ଧିଙ୍କୁ ପଦଚ୍ୟୁତ କରିବା ପାଇଁ ସମଗ୍ର ଭାରତ ବର୍ଷରେ ଶୁଭିଥିଲା ପ୍ରତିବାଦର ସ୍ୱର । ଜନ ସଂଘ, ଲୋକଦଳ, ସମାଜବାଦୀ ପାର୍ଟି ଓ ସଂଗଠନ କଂଗ୍ରେସ ଏକତ୍ର ମିଶି କଂଗ୍ରେସର ବିକଳ୍ପ ରୂପେ ଗଠନ କରିଥିଲେ ଜନତାପାର୍ଟି ନାମରେ ଏକ ନୂତନ ରାଜନୈତିକ ଦଳ । ସମଗ୍ର ଦେଶରେ ଜଳିଥିଲା ବିପ୍ଲବର ନିଆଁ । ଜୟ ପ୍ରକାଶ ନାରାୟଣ, ମଧୁଦଣ୍ଡବତେ, ରାଜ ନାରାୟଣ, ଅଟଳ ବିହାରୀ ବାଜପେୟୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ଅନ୍ୟାନ୍ୟ ବହୁ ଅଗ୍ରଣୀ ନେତାଙ୍କ ସହିତ ଏହି ସ୍ୱାଧୀନଚେତା କର୍ମଯୋଗୀ ଗିରଫ ହୋଇ କାଟିଥିଲେ ବନ୍ଦୀ ଜୀବନ । ପରିସ୍ଥିତିର ଚାପରେ ୧୯୭୭ମସିହାରେ ଅନୁଷ୍ଠିତ ହେଲା ଆମ ଦେଶ ପାଇଁ ଲୋକସଭାର ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ନବଗଠିତ ଜନତାପାର୍ଟି ବିପୁଳ ବିଜୟ ହାସଲ କରି ଏହି ବିଚକ୍ଷଣ ରାଜନେତା ଭାରତ ବର୍ଷର ଚତୁର୍ଥ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ରୂପେ ହୋଇଥିଲେ ପଦାସୀନ । ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ ପରେ ସେ କହିଥିଲେ, ‘ଦେଶର ପ୍ରଚଳିତ ଆଇନ୍ ଠାରୁ ପ୍ରଧାନମନ୍ତ୍ରୀ ଉର୍ଦ୍ଧ୍ୱରେ ନୁହନ୍ତି” । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ଚୀନ୍ ଓ ପାକିସ୍ଥାନ ରାଷ୍ଟ୍ର ସହିତ ପୁନଃ ପ୍ରତିଷ୍ଠା କରାଇଥିଲେ ଉତ୍ତମ ସଂପର୍କ । ଏସିଆ ମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଆମ୍ଭ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟୟଭାର ହ୍ରାସ କରିବା ସହିତ ପରମାଣୁ ପରୀକ୍ଷଣକୁ ସ୍ଥଗିତ କରିବା ପାଇଁ ଗ୍ରହଣ କରିଥିଲେ କଠୋର ନିଷ୍ପତ୍ତି । ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ ସେବା ଓ ପ୍ରଶାସନିକ ସଂସ୍କାର ପାଇଁ ନିଷ୍ଠା ଓ ଏକାଗ୍ରତାର ସହିତ ସେ ପ୍ରଣୟନ କରିଥିଲେ ଅନେକ ଯୋଜନା । ଆମ ରାଷ୍ଟ୍ରର ଆର୍ଥୀକ ବିକାଶ ସହିତ ବିଭିନ୍ନ ବିଦେଶ ରାଷ୍ଟ ଭ୍ରମଣ କରି ନିଜର କୁଟନୀତି ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଯଶ, ଗୌରବ ଓ କୀର୍ତ୍ତି ବୃଦ୍ଧି କରାଇବାରେ ସେ ହୋଇଥିଲେ ସକ୍ଷମ । ଅହିଂସାମନ୍ତ୍ରରେ ଦୀକ୍ଷିତ ଏହି ଗାନ୍ଧୀବାଦୀ ନେତା ନାରୀ ଶିକ୍ଷାର ବିକାଶ ସହିତ ଅସ୍ପୃଶ୍ୟତା ନିବାରଣ ପାଇଁ ସଦା ସର୍ବଦାଥିଲେ କର୍ମତତ୍ପର । ତା ୨୪.୩.୧୯୭୭ରିଖରେ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଏହି ସତ୍ୟନିଷ୍ଠ ରାଜନେତା ଜନତାପାର୍ଟି ମଧ୍ୟରେ ମନାନ୍ତର, ମତାନ୍ତର ଓ ବିରୋଧାଭାଷ ସୃଷ୍ଟି ହେବାରୁ ଚୌଧୁରୀ ଚରଣ ସିଂହଙ୍କ ପାଇଁ ପଥ ପରିଷ୍କାର କରି ତା ୨୭.୭.୧୯୭୯ରେ କରିଥିଲେ ପଦତ୍ୟାଗ । ଏହାପରେ ୧୯୮୦ମସିହାର ସାଧାରଣ ନିର୍ବାଚନରେ ସେ ଲୋକ ସଭାର ସଦସ୍ୟ ହେବା ପାଇଁ କରିନଥିଲେ ପ୍ରତିଦ୍ୱନ୍ଦିତା । ୧୯୮୮ମସିହାରେ ନୂତନ ଭାବେ ଗଠିତ ଜନତାଦଳରେ ସେ କରିଥିଲେ ଯୋଗଦାନ । ତାଙ୍କର ସଫଳ ବୈଦେଶିକ ନୀତିଦ୍ୱାରା ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା କରାଇଥିବାରୁ ୧୯୯୦ରେ ପାକିସ୍ଥାନର ତତ୍କାଳୀନ ରାଷ୍ଟ୍ରପତି ଗୁଲାମ ଇସାକ ଖାଁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପାକିସ୍ଥାନର ସର୍ବୋଚ୍ଚ ବେସାମରିକ ଉପାଧି ‘ନିସାଇ-ଇ-ପାକିସ୍ଥାନ’ ପ୍ରଦାନ କରି ସମଗ୍ର ବିଶ୍ୱରେ ତାଙ୍କର ଯଶ, ଗୌରବ ଓ ଖ୍ୟାତିକୁ କରାଇଥିଲେ ମହିମା ମଣ୍ଡିତ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗୁଜୁରାଟ ବିଦ୍ୟାପୀଠର ସେ ନିଜର ଶେଷ ସମୟ ପର୍ଯ୍ୟନ୍ତ ଥିଲେ କୁଳାଧିପତି । ପ୍ରଧାନମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ଅନେକ ସମୟ ଏହି ବିଦ୍ୟାପୀଠରେ ଅତିବାହିତ କରି ପାଉଥିଲେ ଅସୀମ ଆନନ୍ଦ ଓ ମାନସିକ ଶାନ୍ତି । ତାଙ୍କର ଦେଶଭକ୍ତି, ଆଦର୍ଶ ଜୀବନ ଓ ଆମ ଦେଶର ବିକାଶ ନିମିତ୍ତ ସେ କରିଥିବା କାମକୁ ବିଚାରକୁ ନେଇ ଭାରତର ମହାମହିମ ରାଷ୍ଟ୍ରପତି ତାଙ୍କୁ ୧୯୯୧ମସିହାରେ ‘ଭାରତରତ୍ନ’ ସମ୍ମାନରେ କରିଥିଲେ ଭୂଷିତ । କଠୋର ନିୟମରେ ବନ୍ଧାଥିଲା ତାଙ୍କର ଜୀବନ । ଆଳସ୍ୟତା ଠାରୁ ସଦା ସର୍ବଦା ଦୂରରେ ରହି ଏହି ନୀତିବାଦୀ ମହାନାୟକଙ୍କ ଜୀବନଶୈଳୀ ଥିଲା ବହୁ ସରଳ ଓ ନିରାଡମ୍ବର । ପ୍ରତିଦିନ ପ୍ରତ୍ୟୁଷରୁ ସେ ଶଯ୍ୟା ତ୍ୟାଗ କରି ଯୋଗାସନ ଅନ୍ତେ ପ୍ରଭୁଙ୍କ ପଦାରବିନ୍ଦରେ ନିଜକୁ କରୁଥିଲେ ସମର୍ପିତ । ଗାନ୍ଧିଜୀଙ୍କ ବାଣୀକୁ ଗୁରୁମନ୍ତ୍ର ରୂପେ ଗ୍ରହଣ କରି ଏହି ଅହିଂସା ପ୍ରବକ୍ତା ଚରଖାରେ ସୁତା କାଟି ନିଜ ପିନ୍ଧାବାସ ପ୍ରସ୍ତୁତ କରି ପାଉଥିଲେ ଅକଳ୍ପନୀୟ ଆନନ୍ଦ । ଚା, କଫି ଇତ୍ୟାଦିକୁ ସଂପୂର୍ଣ୍ଣ ପରିତ୍ୟାଗ କରି ଦିନକୁ ଥରେ ମାତ୍ର ସେ ଖାଉଥିଲେ ନିରାମିଶ ଭୋଜନ । ଆମିଷକୁ ସଂପୂର୍ଣ୍ଣ ବର୍ଜନ କରି ଖିର, ଦହି, ଛେନା, ଘିଅ, ସବୁଜ ପନିପରିବା ଓ ନାନାଦି ସ୍ୱାଦିଷ୍ଟ ତଟକା ଫଳକୁ ଆଦରି ନେଇଥିଲେ ନିଜର ପ୍ରିୟ ଖାଦ୍ୟ ରୂପରେ । ଆୟୁର୍ବେଦୀୟ ଚିକିତ୍ସାକୁ ଆନ୍ତରିକତାର ସହିତ ଆପଣେଇ ନେଇ ଡାକ୍ତରୀ ଔଷଧ ବ୍ୟବହାରର ସେ ଥିଲେ ପ୍ରଚଣ୍ଡ ବିରୋଧୀ । ନିଜର ଅନୁଭୂତିକୁ ନେଇ ନିଜର ମୁତ୍ର ବ୍ୟବହାର ଦ୍ୱାରା ଜଣେ କିପରି ବିଭିନ୍ନ ରୋଗରୁ ସୁସ୍ଥ ହୋଇ ମୁକ୍ତ ହୋଇପାରିବ ସେ ବିଷୟରେ ସେ ସଭିଁଙ୍କୁ ସୁ-ପରାମର୍ଶ ଦେଇ ପାଲଟି ଯାଇଥିଲେ ମୁତ୍ର ଚିକିତ୍ସା ପ୍ରଣାଳୀରେ ଅନ୍ୟତମ ଶ୍ରେଷ୍ଠ ପ୍ରବକ୍ତା । ମାତ୍ର ଗୋଟିଏ ବର୍ଷର ଅଭାବ ପାଇଁ ଶତାୟୁ ପୁରୁଷରୁ ବଞ୍ôଚତ ହୋଇ ୯୯ବର୍ଷ ବୟସରେ ତା ୧୦.୪.୧୯୯୫ରିଖରେ ସଭିଁ ଭାରତୀୟଙ୍କ ନୟନରେ ଲୋତକର ଝରଣା ସୃଷ୍ଟି କରି ସେ ଶୋଇଯାଇଥିଲେ ଚିରନିଦ୍ରାରେ । ଆସ, ଆଜି ତାଙ୍କର ପବିତ୍ର ଜନ୍ମ ଦିବସ ପାଳନ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପରି ଜଣେ ଦେଶଭକ୍ତ ହେବାପାଇଁ ଆମ୍ଭେମାନେ ଯତ୍ନଶୀଳ ହେବା ।

Comments