ଆଶାସାଥୀ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର


ବାଲେଶ୍ୱର,୧୧ା୨: ବିଭିନ୍ନ ଦାବି ନେଇ ଓଡ଼ିଶା ଆଶାସାଥୀ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସାମ୍ପ୍ରତିକ ସ୍ଥିତିରେ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ୨୦୦୬ ମସିହାରୁ ଆଶା ଓ ୨୦୧୮ ମସିହାରୁ ଆଶାସାଥୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ମଧ୍ୟରେ ଭତ୍ତା ପ୍ରଦାନ ଜନିତ ଅସଙ୍ଗତି କ୍ରମଶଃ ଜଟିଳ ହେବାରେ ଲାଗିଛି ବୋଲି ସେମାନେ ଆରୋପ କରିଛନ୍ତି । ଆଶାମାନଙ୍କ ଭତ୍ତା ୫ ହଜାରରୁ ବୃଦ୍ଧି ପାଇ ୬ ହଜାରରେ ପହଞ୍ଚିଥିବା ବେଳେ ଆଶାସାଥୀମାନଙ୍କୁ ପୂର୍ବଭଳି ୩ ହଜାର ଟଙ୍କା ପ୍ରଦାନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଦାବି ହେଉଥିଲେ ବି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆଶା ସାଥୀଙ୍କୁ ଉଚିତ ନ୍ୟାୟ ମିଳୁନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ କହିଥିଲେ । ଆଶା ସାଥୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମାସିକ ଭତ୍ତା ୬ ହଜାର ଟଙ୍କା ପ୍ରଦାନ କରିବା, ସମସ୍ତଙ୍କୁ ଡ୍ରେସ୍ ପ୍ରଦାନ କରିବା, ସମସ୍ତ ଆଶାସାଥୀଙ୍କୁ ଟ୍ରେନିଂ ଦେବା, ୧୩ ବର୍ଷ ଧରିକାର୍ଯ୍ୟ କରି ଆସୁଥିବା ଆଶା ଓ ଆଶ।।ଥୀଙ୍କୁ ବୀମାଭୁକ୍ତ ପାଇଁ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ପୃଥ୍ୱୀରାଗ ପଣ୍ଡା, ସଭାନତ୍ରୀ କଳ୍ପନା ଦାସ, ଶକୁନ୍ତଳା ଗୋଚ୍ଛାୟତ, ସମ୍ବାଦିକା ବନୀତା ଦାସ, ବନୀତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments