ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ


କଟକ, ୯/୨ ସ୍ଥାନୀୟ ସାରଳା ଭବନରେ ରାଷ୍ଟ୍ରଦୀପର ସପ୍ତବିଂଶତମ ବସନ୍ତ ମିଳନ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ନରସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ସଂଘମିତ୍ରା ମହାନ୍ତି ଯୋଗଦେଇ ଭାରତର ଭାଇଚାରା ସଂସ୍କୃତି ଓ ଏକତା ବିଶ୍ୱରେ ଅନନ୍ୟ ବୋଲି ବର୍ଣ୍ଣନା କରିଥିଲେ । ଭାରତର ଅତୀତ ଅତ୍ୟନ୍ତ ଗୌରବମୟ ଥିଲା । ବିଶ୍ୱ ଆଜି ଭାରତକୁ ଅନୁକରଣ କରୁଛି । ଆମକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଏବଂ ଗବେଷଣା ଭିତ୍ତିଭୂମିର ବିକାଶ କରିବାକୁ ହେବ । ରାଷ୍ଟ୍ରଦୀପ ନିରନ୍ତର ଏପରି ବିଚାରକୁ ପ୍ରସାରିତ କରି ଆସୁଥିବା କାରଣରୁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ, ରାଷ୍ଟ୍ର ଆଜି ଯେଉଁ ସଂକଟ ଦେଇ ଗତି କରୁଛି ଏପରି ସ୍ଥିତିରେ ରାଷ୍ଟ୍ରବାଦୀ ବିଚାର ଆବଶ୍ୟକ । ରାଷ୍ଟ୍ରଦୀପ ଦୀର୍ଘ ବର୍ଷଧରି ଏହି କାର୍ଯ୍ୟ ନିରବଛିନ୍ନ ରୂପେ କରିଆସୁଛି । ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଅଦ୍ୱୈତ ଚରଣ ଦତ୍ତ କହିଥିଲେ ଯେ ସମାଜରେ ଆଜି ହିଂସା ଆତଙ୍କବାଦ ଓ ଜେହାଦୀ ମାନସିକତା ବୃଦ୍ଧି ପାଇବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରାଷ୍ଟ୍ରବାଦ ବିଚାରର ଅଧିକ ପ୍ରଚାର ପ୍ରସାର ହେଲେ ଏଭଳିମାନସିକତାରେ ପରିବର୍ତ୍ତନ ଆସି ପାରିବ । ଶ୍ରେଷ୍ଠ ସାହିତ୍ୟକ ହିସାବରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଓ ଶ୍ରେଷ୍ଠ ସାମ୍ବାଦିକତା ପାଇଁ ମିହିର ରନ ଆଚାର୍ଯ୍ୟ, ଶ୍ରେଷ୍ଠ ପ୍ରାବନ୍ଧିକ ପାଇଁ ଦିବ୍ୟଜ୍ୟୋତି ପାଣି, କବିତାରେ ବଳରାମ ପୂଜାରୀ, ଯୁବମାନସ ପାଇଁ ଡମ୍ବରୁଧର ବାଗ୍‌, ମହିଳାଜଗତ ପାଇଁ ସୁଷମା ପରିଜା, ଶ୍ରେଷ୍ଠ ବ୍ୟଙ୍ଗ କବି ମାଧବ ଚନ୍ଦ୍ର ସ୍ୱାଇଁ, ବାଲ୍ ବିଭାଗରେ ଚିତ୍ତରଞ୍ଜନ ପଟ୍ଟନାୟକ, ସମ୍ବାଦଦାତା ସୁଦର୍ଶନ ସେନାପତି, କେଦାର ନାଥ ସାହୁ, ପ୍ରସାରକ ରୂପେଶ୍ ପଟେଲ ଓ ରଞ୍ଜନ କୁମାର ମୁଦୁଲିଙ୍କୁ ସସ୍ୱର୍ଦ୍ଧନା କରାଯାଇଥିଲା । । ସଂପାଦକ ଚିତ୍ତରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଷ୍ଟ୍ରଦୀପ ପ୍ରକାଶନର ସଂପାଦକ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Comments