ଭୁବନେଶ୍ୱର, ତା୨୪ା୨ - କଲେଜଗୁଡିକର ପରିଚାଳନା କମିଟିର ସଭାପତି ପଦରେ ରାଜନେତାଙ୍କ ବଦଳରେ ଶିକ୍ଷାବିତ୍ଙ୍କୁ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ସଙ୍ଗେସଙ୍ଗେ ପରିଚାଳନା କମିଟିଗୁଡ଼ିକୁ ଭାଙ୍ଗିଦେଇ ମଧ୍ୟର୍ବତ୍ତୀ ବ୍ୟବସ୍ଥାରୂପେ ପ୍ରଶାସକମାନଙ୍କୁ ସଭାପତି ଦାୟିତ୍ୱ ଅର୍ପଣ କରିଥିବାରୁ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଏହାକୁ ସ୍ୱାଗତ କରାଯାଉଛି ।
ହାଇଦ୍ରାବାଦଠାରେ ଅନୁଷ୍ଠିତ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ଦୁଇଦିନିଆ ବୈଠକରେ ବିଶେଷ ଆମନ୍ତ୍ରିତ ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଓ ଆଭନ୍ତରୀଣ ସମୀକ୍ଷକ ଡକ୍ଟର ପବିତ୍ର କୁମାର ରଥ ଓଡ଼ିଶା ସରକାରଙ୍କ ଉପରୋକ୍ତ ପଦକ୍ଷେପକୁ ସ୍ୱାଗତ ଜଣାଇ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।
ବୈଠକରେ ଗୃହୀତ ଅନ୍ୟ ଏକ ପ୍ରସ୍ତାବରେ ଅଧ୍ୟାପକମାନେ ପ୍ରତ୍ୟେକ ଦିନ ଖୁବ୍ କମ୍ରେ ସାତଘଂଟା କାର୍ଯ୍ୟ କରିବେ ବୋଲି ଓଡ଼ିଶା ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ୟୁ.ଜି.ସି.ର ନିର୍ଦ୍ଧାରିତ ନୀତି ଅନୁସାରେ ସଂଶୋଧନ କରି ସାଢ଼େ ପାଞ୍ଚଘଣ୍ଟାରେ ସୀମିତ ରଖିବା ପାଇଁ ଦାବି କରାଯାଇଥିଲା ।
ମହାସଂଘର ସଭାପତି ପ୍ରଫେସର ଜେ.ପି. ସିଂଘଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ରାଜ୍ୟର ପ୍ରତିନିଧି ଯୋଗଦେଇଥିଲେ ବୋଲି ଡକ୍ଟର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
Comments
Post a Comment