ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟରେ

ପ୍ୟାରିସ,୨୧ା୨: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଓ ବନ୍ଧୁ ଚୀନ୍‌ର କୌଣସି ଯୋଜନା କାମ ଦେଇନାହିଁ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନକୁ କୌଣସି ଆଶ୍ୱସ୍ତି ମିଳିନାହିଁ । ପୂର୍ବଭଳି ପାକିସ୍ତାନକୁ ଏଫ୍‌ଏଟିଏଫ୍ ତା’ର ଗ୍ରେ ଲିଷ୍ଟରେ ରଖିଛି । ଏଥିରୁ ମୁକୁଳିବା ପାଇଁ ପାକିସ୍ତାନ ଚୀନ୍ ସହାୟତାରେ ଏକାଧିକ ଚାପ ସୃଷ୍ଟି କରିଥିଲା । ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟ କରୁଛି ବୋଲି ବିଶ୍ୱବାସୀଙ୍କୁ ଜଣାଇବା ପାଇଁ କୁଖ୍ୟାତ ଆତଙ୍କୀ ହାଫଜି ସୟଦିକୁ ଗିରଫ କରିଥିଲା । ହେଲେ ଏହି ଲୋକଦେଖାଣିଆ କାମ ଏଫ୍‌ଏଟିଏଫ୍ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଜୁନ୍ ମାସ ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳି ପାରିବ ନାହିଁ ବୋଲି ଏଫ୍‌ଏଟିଏଫ୍ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫ୍‌ଏଟିଏଫ୍ ପାକିସ୍ତାନକୁ ଆଉ ଏକ ସୁଯୋଗ ଦେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ୪ମାସ ମଧ୍ୟରେ ଆତଙ୍କବାଦ

ବିରୋଧରେ କାର୍ଯ୍ୟକରନ୍ତୁ ବୋଲି ଏଫ୍‌ଏଟିଏଫ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସଂଗଠନ ୮ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛି । ପୂର୍ବରୁ ପାକିସ୍ତାନ ପାଇଁ ଏଫ୍‌ଏଟିଏଫ୍ ୨୭ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଥିଲା । ଯଦି ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରି ନଥାଆନ୍ତା, ତା’ହେଲେ ଇସଲାମାବାଦକୁ ଏଫ୍‌ଏଟିଏଫ୍ କଳାତାଲିକା ଭୁକ୍ତ କରିବ ବୋଲି ଧମକ ଦେଇଥିଲା । ଆଜି ପ୍ରାରିସ ଠାରେ ବସିଥିବା ଏଫ୍‌ଏଟିଏଫ୍ ବୈଠକରେ ପାକିସ୍ତାନ ପ୍ରସଙ୍ଗ ଉଠିଥିଲା । ପାକିସ୍ତାନ ସମ୍ପୂର୍ଣ୍ଣ

ଭାବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ସଫଳତା ପାଇ ନଥିବା ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ପାକିସ୍ତାନକୁ ଏଫ୍‌ଏଟିଏଫ୍ କଡା ଚେତାବନୀ ଦେଇଛି । ଟେରର ଫଣ୍ଡିଂକୁ ପାକିସ୍ତାନ ସରକାର ଆସନ୍ତା ୪ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ନଚେତ ସଂଗଠନ ବାଧ୍ୟ ହୋଇ ଇସଲାମାବାଦକୁ କଳା ତାଲିକା ଭୁକ୍ତ କରିବ ବୋଲି ବୈଠକରେ କୁହାଯାଇଛି ।

Comments