ଡାମାସକସ୍,୯/୨ : ବିଶ୍ୱର ଅନେକ ମୁସଲିମ ରାଷ୍ଟ୍ରରେ ଇସ୍ଲାମୀୟ ମୌଳବାଦୀମାନେ ‘ଜେହାଦ’ ବା ଧର୍ମଯୁଦ୍ଧ ନାମରେ ଯୁବପୀଢ଼ିକୁ ବାଟବଣା କରୁଛନ୍ତି । ଜେହାଦ ପାଇଁ ଅନ୍ୟର ରକ୍ତପାତ କରିବା, ହତ୍ୟା କରିବାକୁ ସେମାନେ ଯୁବପୀଢ଼ିଙ୍କୁ ପ୍ରବର୍ତ୍ତାଉଛନ୍ତି । ଏଭଳି କଲେ ‘ଆହ୍ଲା’ ତାଙ୍କ ଉପରେ ଖୁସି ହେବେ ଏବଂ ମୃତ୍ୟୁ ପରେ ସେମାନଙ୍କୁ ସ୍ୱର୍ଗରେ ରହିବାକୁ ସ୍ଥାନ ମିଳିବ ବୋଲଇ କୁହାଯାଉଛି । ତେବେ ଇସ୍ଲାମୀୟ ଧର୍ମରେ ‘ମୃତ୍ୟୁ ପରେ ଜୀବନ....’ ଏହି କଥାକୁ ତଥାକଥିତ ମୁଲ୍ଲା ଓ ମୌଲବୀମାନେ ନୂହଲୀ ବୟସ ବା ୧୪ରୁ ୧୫ ବର୍ଷର କିଶୋର କିଶୋରୀମାନଙ୍କ ମୁଣ୍ଡରେ ଭର୍ତ୍ତି କରାଇ ସେମାନଙ୍କୁ ନିଜ ଫାସରେ ଫସାଇ ମୌଳବାଦ ଚିନ୍ତାଧାରାରେ ପ୍ରଭାବିତ କରି ସେମାନଙ୍କ ହାତରେ ବହିବସ୍ତାନୀ ପରିବର୍ତ୍ତେ ବନ୍ଧୁକ ଓ ବୋମା ଧରାଉଛନ୍ତି । ମାତ୍ର ପରେ ‘ଜେହାଦ’ ମାୟାରେ ପଡ଼ି ବାୟା ହୋଇ ନିଜର ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଜେହାଦୀ ଗୋଷ୍ଠୀରେ ଯୋଗ ଦେଇଥିବା ଏହି କିଶୋର କିଶୋରୀମାନେ ଆଉ ପଛକୁ ଫେରିନପାରି ପଶ୍ଚାତାପ କରୁଛନ୍ତି । ଏହିଭଳି ଜଣେ କିଶୋରୀ ହେଉଛନ୍ତି ରେଶମା । ବ୍ରିଟେନର ସ୍କୁଲ୍ରେ ପାଠ ପଢୁଥିବା ରେଶମା ପରେ ଇସ୍ଲାମୀୟ ମୌଳବାଦୀଙ୍କ କଥାରେ ପଡ଼ି ‘ଜେହାଦ’ ପାଇଁ ନିଜର ପରିବାର ଓ ପାଠପଢ଼ାକୁ ଛାଡ଼ି ଦେଇ ସିରିୟା ଚାଲି ଯାଇଥିଲେ । ସେଠାରେ ସେ ଇସ୍ଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ ସିରିୟା (ଆଇଏସ୍ଆଇଏସ୍)ର ଜଣେ ଆତଙ୍କବାଦୀକୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଜୀବନର ମୋଡ଼ ବଦଳିଯାଇଥିଲା । ରୂଢ଼ୀବାଦୀ ଇସ୍ଲାମୀୟ କଠୋରପନ୍ଥୀମାନେ ତାଙ୍କୁ କେବଳ ଏକ ଭୋଗ୍ୟବସ୍ତୁ ରୂପେ ପରିଗଣନା କରି ତାଙ୍କ ମନ ଓ ଶରୀର ସହିତ ଖେଳିଚାଲିଲେ । ଫଳରେ ମାତ୍ର ୧୫ ବର୍ଷ ବୟସରେ ସେ ତିନି ତିନି ଥର ମା’ ହୋଇସାରିଛନ୍ତି । ଏବେ ରେଶମାକୁ ୨୦ ବର୍ଷ । ସେ ଆଜି ଜୀବନର ଦୋଛକିରେ ଛିଡ଼ା ହୋଇଛନ୍ତି । ଗୋଟିଏ ପଟେ ଆଇଏସ୍ଆଇଏସ୍ ଓ ଅନ୍ୟପଟେ ବ୍ରିଟେନରେ ରହୁଥିବା ନିଜର ପରିବାର । ସେ ନିଜର ଭୁଲ୍ ବୁଝିସାରିଛନ୍ତି । ଜେହାଦ ନାମରେ ଆତଙ୍କୀ ଶିବିରରେ କିଶୋରୀ ଓ ଯୁବତୀମାନଙ୍କ ସହିତ କିଭଳି କ୍ରୀତଦାସୀଙ୍କ ଭଳି ବ୍ୟବହାର କରି ସେମାନଙ୍କ ଶରୀର ସହିତ ଖେଳାଯାଏ ତାହା ସେ ଠିକ୍ ଭାବେ ବୁଝିପାରିଛନ୍ତି । କିନ୍ତୁ ନେଡ଼ି ଗୁଡ଼ କହୁଣୀକୁ ବୋହିସାରିଲା ଭଳି ଯେଉଁ କିଶୋରୀମାନେ ଇସ୍ଲାମୀୟ ମୌଳବାଦୀଙ୍କ ଆହ୍ୱାନକ୍ରମେ ‘ଜେହାଦ’ ବା ‘ଧର୍ମଯୁଦ୍ଧ’ରେ ଯୋଗ ଦେବା ଲାଗି ଆତଙ୍କୀ ସଂଗଠନରେ ଯୋଗ ଦେଉଛନ୍ତି ପରବର୍ତ୍ତୀ ସମୟରେ ସେମାନେ କେବଳ ଆତଙ୍କବାଦୀଙ୍କ ଭୋଗ୍ୟବସ୍ତୁ ହୋଇ ରହିଯାଉଛନ୍ତି । ଏବେ ରେଶମା ବେଗମ ଆତଙ୍କବାଦର ରାସ୍ତା ଛାଡ଼ି ବ୍ରିଟେନ୍ ଫେରିବାକୁ ଚାହୁଁଛନ୍ତି ମାତ୍ର ତାଙ୍କୁ ଏବେ ବ୍ରିଟେନ୍ ସରକାର ଏଥିପାଇଁ ଅନୁମତି ଦେବେ କି ନାହିଁ ତାହାକୁ ନେଇ ସେ ସଂଶୟରେ ପଡ଼ିଯାଇଛନ୍ତି ।
Comments
Post a Comment