ରାଜ୍ୟପାଳଙ୍କ ଦ୍ୱାରା ଷ୍ଟାଟସ ଅଫ୍ ଉଇମେନ୍ ଇନ୍ ଇଣ୍ଡିଆ ଉନ୍ମୋଚିତ


ନାରୀ ଶକ୍ତିର ବିକାଶ ବିନା ସଭ୍ୟତାର ଅଗ୍ରଗତି ସମ୍ଭବ ନୁହେଁ - ରାଜ୍ୟପାଳ
ଭୁବନେଶ୍ୱର,୨୪ ଫେବୃଆରୀ- ଜନନୀ, ଭାରତ ଜନନୀ ଓ ଜଗତ ଜନନୀ ହେଉଛନ୍ତି ଏକ ଓ ଅଭିନ୍ନ । ଏହା ହିଁ ହେଉଛି ଭାରତୀୟ ତତ୍ୱ ଓ ଦର୍ଶନ । ନାରୀଶକ୍ତିର ବିକାଶ ବିନା ସଭ୍ୟତାର ଅଗ୍ରଗତି ସମ୍ଭବ ନୁହେଁ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିି ।
ଆଜି ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର ଏବଂ ମହିଳା ସମନ୍ୱୟ, ଓଡ଼ିଶା ପକ୍ଷରୁ ପ୍ରକାଶିତ ଷ୍ଟାଟସ୍ ଅଫ୍ ଉଇମେନ ଇନ ଇଣ୍ଡିଆକୁ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଉନ୍ମୋଚନ କରି ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଭାରତର ଇତିହାସ ଓ ପୁରାଣରେ ନାରୀ ଶକ୍ତିର ପରାକାଷ୍ଠାର ବହୁ ଦୃଷ୍ଟାନ୍ତ ରହିଛି । ସମୟର ଆବଶ୍ୟକତା ଓ ଆହ୍ୱାନା ଅନୁସାରେ ନାରୀମାନେ ନିଜ ସମାର୍ଥ୍ୟର ପ୍ରମାଣ ଦେଇଛନ୍ତି । ନାରୀ ଶକ୍ତିର ସଫଳ ଉପଯୋଗ ବିନା କୌଣସି ଜାତି ଆଗକୁ ଯାଇପାରିବ ନାହିଁ ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି ।
ମାନ୍ୟବର ରାଜ୍ୟପାଳ ପୁଣି କହିଥିଲେ ନାରୀ ହେଉଛନ୍ତି ଜନନୀ । ବୟସରେ ଛୋଟ ହୁଅନ୍ତୁ ବା ବଡ ହୁଅନ୍ତୁ ସେମାନେ ହେଉଛନ୍ତି ଜନନୀର ପ୍ରତୀକ । ସେ ଜଣେ ମହାପୁରୁଷଙ୍କ ଉଦାହରଣ ଦେଇ କହିଲେ ଯେ, ଜଣେ ମା ତାଙ୍କର ତିନି ବର୍ଷର ଝିଅକୁ ମହାପୁରୁଷଙ୍କ ସାମନାରେ ପ୍ରଣାମ କରି ଆର୍ଶୀବାଦ ଭିକ୍ଷା କରିବାକୁ କହିଲେ । ଝିଅଟି ମୁଣ୍ଡିଆ ମାରିବା ପୂର୍ବରୁ ସେହି ମହାପୁରୁଷ ଜଣଙ୍କ ତାଙ୍କର ପାଦ ଛୁଇଁ ପ୍ରମାଣ କଲେ ଏବଂ କହିଲେ ସେ ହେଉଛନ୍ତି ଜନନୀ ମୁଁ ତାଙ୍କୁ ମୁଣ୍ଡିଆ ମାରିବି, ସେ କଣ ମୋତେ ମୁଣ୍ଡିଆ ମାରବେ ।
ଏହି ଉନ୍ମୋଚନ ଉତ୍ସବରେ ଡ. ଅଞ୍ଜଳି ଦେଶପାଣ୍ଡେ ସମ୍ମାନୀତ ଅତିଥିରୂପେ ଯୋଗଦେଇ କହିଲେ ଯେ, ଭାରତର ନାରୀମାନଙ୍କର ସ୍ଥିତି ସମ୍ବନ୍ଧରେ ଅଧ୍ୟୟନ କରାଯାଇ ପୁସ୍ତକଟି ରଚନା କରାଯାଇଛି । ଯାହାକି ଭବିଷ୍ୟତରେ ମହିଳା ସଶକ୍ତିକରଣ କାର୍ଯ୍ୟରେ ସହାୟକ ହେବ ।
 ମୁଖ୍ୟବକ୍ତ ସୁଶ୍ରୀ ଗୀତା ଗୁଣ୍ଡେ ଭାରତରେ ମହିଳାମାନଙ୍କ ସ୍ଥିତି ଓ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନା କରି ନାରୀମାନେ ରାଜନୀତି ଠାରୁ ଆରମ୍ଭ କରି ବିଜ୍ଞାନ ଆଦି ସବୁ କ୍ଷେତ୍ରରେ ନିଜର ଉତ୍ସକତାକୁ ପ୍ରମାଣିତ  କରିଛନ୍ତି ବୋଲି ପ୍ରକାଶ କରିଥିଲେ ।
ପ୍ରଜ୍ଞା ପରମିତା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୀତା ଗୋଖଲେ ପ୍ରମୁଖ ମଂଚାସୀନ ଥିଲେ ।  ଅଧ୍ୟୟନର ଏହି ଭାଗରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାରକୁ ଆଧାର କରି ମହିଳାମାନଙ୍କ ସ୍ଥିତିର ସମୀକ୍ଷା କରାଯାଇଛି ।
ଗୋଲଖ ଚନ୍ଦ୍ର ଦାସ

Comments