(ତା ୨୮.୨.୨୦୨୦ - ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ)
-ଜଗବନ୍ଧୁ ମିଶ୍ର
ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୧୦ ତାରିଖ ରବିବାର ରାତ୍ରିର ଅନ୍ତିମ ପ୍ରହରରେ ଶ୍ରୀ ହରିହର ନନ୍ଦ ଭୁବନେଶ୍ୱର ସ୍ଥିତ ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ତିମ ଶ୍ୱାସ ତ୍ୟାଗ କରିଥିଲେ । ୧୯୩୭ ମସିହା ଜୁଲାଇ ମାସ ୧୭ ତାରିଖରେ ଉତ୍ତର ବାଲେଶ୍ୱର ସ୍ଥିତ ଲଙ୍ଗଳେଶ୍ୱର ଅଞ୍ଚଳରେ ନାଇକୁଡି ନାମକ ଗ୍ରାମରେ ଏକ ସମ୍ଭ୍ରାନ୍ତ ଜମିଦାର ବଂଶରେ ସେ ଜନ୍ମଗ୍ରହଣ କରିଥିଲେ । କଲିକତାରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରି ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ଅବିବାହିତ ଥିଲେ । ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବପ୍ରଥମ ଆଜୀବନ ଓଡ଼ିଆ ପ୍ରଚାରକ ଜଣଙ୍କର ଦେହାବସାନ ଘଟିଗଲା । ସେ କେବଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାର ଆନ୍ଦୋଳନର ଉତ୍କଳ ପ୍ରଦେଶର ଦୀର୍ଘ ଷଷ୍ଠ ଦଶକ ଧରି ମଙ୍ଗୁଆଳ ନଥିଲେ, ସେ ଥିଲେ ଉତ୍କଳୀୟ ବୌଦ୍ଧିକ ଜଗତର ଜଣେ ପ୍ରଚଣ୍ଡ ପ୍ରତିଭାଧର ।
ବାଲ୍ୟକାଳରୁ ସଂଘର ସଂସ୍ପର୍ଶରେ ଆସିଥିବା ନିଜର ପ୍ରଚଣ୍ଡ ପ୍ରାରବ୍ଧ ଓ କ୍ରିୟମାଣ ସଂସ୍କାର ସମ୍ମିଶ୍ରଣରେ ନିଜ ମାତୃଭୂମି ପ୍ରତି ଅଜସ୍ର ଶ୍ରଦ୍ଧାଭକ୍ତି ମମତା ଓ ଆବେଗ ଉଚ୍ଛ୍ୱାସ ତାଙ୍କୁ ଆଦ୍ୟ କୌଶୋରରେ ମାତୃ ବନ୍ଦନାମାନ ଲେଖି ଗାଇବାରେ ଅନୁପ୍ରେରିତ କରାଇଥିଲା । ଆଉ ସେହି ଦିନରୁ ସେ ଯେ କଲମ ଧରିଥିଲେ ତାହା ତାଙ୍କ ଜୀବନର ଅନ୍ତିମ ସୋପାନ ଯାଏଁ ଆଉ ହାତରୁ ଖସି ନଥିଲା । ସାଙ୍ଗଠନିକ କର୍ମଜଞ୍ଜାଳ ହେଉ କିମ୍ବା ଜୀବନର ଅପରାହ୍ଣରେ ବାର୍ଦ୍ଧକ୍ୟବ୍ୟାଧି ଜନିତ ଜଟିଳ ସମସ୍ୟା ଗୁଡ଼ିକ ହେଉ, କଲମ ତାଙ୍କ ହାତରୁ ଅଲଗା ହୋଇ ନଥିଲା । ଏପରିକି ଶେଷ ପର୍ଯ୍ୟନ୍ତ ସେ ଲେଖୁଥିବା ‘ନର୍ମଦା ପରିକ୍ରମା’ ପୁସ୍ତକଟି ଆତ୍ମପ୍ରକାଶ କରିବା ପୂର୍ବରୁ ସେ ଚାଲିଗଲେ । ଓଡ଼ିଶାରେ ସଂଘ ବିଚାର ପରିବାର ପରିସରରୁ ବାହାରକୁ ଯାଇ ଆଜି ଖୋଲାଆକାଶର ଧୀର ସମୀରଣ ଭିତରେ ଗୁଞ୍ଜନ ତୋଳୁଥିବା ଅଜସ୍ର ଦେଶାତ୍ମବୋଧକ କବିତାର ସେ ଥିଲେ ଆଦ୍ୟ ସ୍ରଷ୍ଟା । ସେ କେବଳ ଜଣେ କବି ନଥିଲେ, ସେ ଥିଲେ ଲେଖକ, ସାହିତ୍ୟିକ, ସାମ୍ବାଦିକ, ଅନୁବାଦକ, ପରିବ୍ରାଜକ, ଚମତ୍କାର ବାଗ୍ମୀ ଓ କୁଶଳୀ ସଙ୍ଗଠକ ।
୧୦ ବର୍ଷ କାଳ ସାପ୍ତାହିକ ରାଷ୍ଟ୍ରଦୀପର ସମ୍ପାଦକ ରହିବା ପରେ ଦୀର୍ଘ ପାଞ୍ଚ ଦଶକରୁ ଊର୍ଦ୍ଧ୍ୱକାଳ ସେ ତାଙ୍କ ସାରସ୍ୱତ ସାଧନାର ନିଦର୍ଶନ ସ୍ୱରୂପ ଅନେକ ଅନୁବାଦ ପୁସ୍ତକ, ସଙ୍କଳନ, ସ୍ୱକୀୟ ମୌଳିକ ରଚନା ସ୍ୱରୂପ ଅଜସ୍ର ଭ୍ରମଣକାହାଣୀ ଉତ୍କଳ ଭାରତୀଙ୍କ କରକମଳରେ ଅର୍ପଣ କରିଦେଇ ଯାଇଛନ୍ତି ।
କୌଣସି ପୁରସ୍କାର, ସମ୍ମାନ, ମାନପତ୍ର ଓ ତଥାକଥିତ ସାହିତ୍ୟର ବଡପଣ୍ଡାମାନଙ୍କ ଦ୍ୱାରା ସାମାଜିକ ସ୍ୱୀକୃତିର ପ୍ରତ୍ୟାଶା ନରଖି ସେ ନିରଳସ ଅତନ୍ଦ୍ର ସାହିତ୍ୟ ସାଧନାରେ ମଗ୍ନ ଥିଲେ । ତାଙ୍କ ସାହିତ୍ୟ ସାଧନାର ମୂଳ ଉଦ୍ଦେଶ୍ୟ ଥିଲା ସୁପ୍ତ ସମାଜର ପ୍ରତି ଛତ୍ରେ ଛତ୍ରେ ଗଭୀର ସ୍ୱଦେଶପ୍ରୀତି ଓ ପ୍ରଚଣ୍ଡ ସ୍ୱାଭିମାନ ଭାବନା ଭରିଦେଇ ସମାଜରେ ପୌରୁଷ ପରାକ୍ରମର ଅପାର ଜାଗରଣ ସୃଷ୍ଟି କରାଇବା ।
ତାଙ୍କର ଭାଷଣ ଶୁଣିବାକୁ ସଂଘ ବିଚାର ପରିବାରର ଅଜସ୍ର କିଶୋର, ଯୁବକ, ପ୍ରୌଢ଼, ସଂଘ ବିଚାର ପ୍ରତି ସମର୍ଥନ ସହାନୁଭୂତି ରଖୁଥିବା ବହୁ ବିଦ୍ୱାନ, ଗୁଣବାନ୍ ବ୍ୟକ୍ତି ଏବଂ ସଂଘର ବିଚାର ସହ ସହମତ ଥିବା ଅନେକେ ବୁଦ୍ଧିଜୀବୀ ମଧ୍ୟ ଆନନ୍ଦ ଉତ୍କଣ୍ଠାରେ ଆକର୍ଷିତ ହୋଇ ଆସନ୍ତି । ପ୍ରଚଣ୍ଡ ତାର୍କିକ ସ୍ୱର୍ଗତ ହରିହର ନନ୍ଦ ଜୀବନରେ କେବେ କାହାଠାରୁ ତର୍କରେ ପରାସ୍ତ ହୋଇ ନାହାନ୍ତି ।
କିନ୍ତୁ ଏସବୁ ସତ୍ତ୍ୱେ ସେ ଥିଲେ ଲୋକପ୍ରସିଦ୍ଧି-ବିମୁଖ, ସମାଜ ସମର୍ପିତ ଆଚରଣସିଦ୍ଧ ବ୍ୟବହାର କୁଶଳ, ମମତା ପାଗଳ ଏକ କର୍ମସିଦ୍ଧ ଯୋଗୀ । ଲୋକସଂଗ୍ରହ ଥିଲା ତାଙ୍କ ସଂସ୍କାର ସୁରଭିତ ନିଶା । ଓଡ଼ିଶା ସାରା ବହୁ ବୁଦ୍ଧିଜୀବୀ ଜ୍ଞାନୀଗୁଣୀ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ସାମାଜିକ କର୍ମୀ, ସାଧୁସନ୍ଥ ସନ୍ନ୍ୟାସୀ, ସାହିତ୍ୟିକ, ସାମ୍ବାଦିକ, ସ୍ତମ୍ଭଲେଖକ, ସମ୍ପାଦକ ଆଦିମାନଙ୍କ ସହ ତାଙ୍କର ସୌଜନ୍ୟ-ସ୍ପନ୍ଦିତ-ମଧୁର ସମ୍ପର୍କ ଥିଲା ଅତି ନିବିଡ । ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ସରଳା ଦେବୀ, ହରିହର ପଟେଲ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ପବିତ୍ର ମୋହନ ପ୍ରଧାନ, ଜାନକୀ ବଲ୍ଲଭ ପଟ୍ଟନାୟକ ଆଦିଙ୍କ ସହ ତାଙ୍କର ନମ୍ର ବିନୀତ- ସମ୍ବନ୍ଧ ଥିଲାବେଳେ ଦୁର୍ମୁଖର ସମ୍ପାଦକ ପଣ୍ଡିତ ଅଚ୍ୟୁତାନନ୍ଦ କର, ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରି ମହତାବଙ୍କ ସହ ଅଧିକାରବୋଧରସାଣିତ ସମ୍ବନ୍ଧ ଥିଲା । ସାରା ଓଡ଼ିଶା କେବଳ ନୁହେଁ; ଓଡ଼ିଶା ବାହାରେ ସ୍ୱର୍ଗତ ହରିହର ନନ୍ଦ ନିଜ ଗସ୍ତ କାଳରେ ସଦାସର୍ବଦା ପରିବାରମାନଙ୍କରେ ହିଁ ରହୁଥିଲେ । ହୋଟେଲ୍ କିମ୍ବା ଅତିଥିଶାଳାରେ ରହିବାକୁ ସେ ପସନ୍ଦ କରୁନଥିଲେ । ଘରମାନଙ୍କରେ ସେ ନିଜର ସାଦାସିଧା ରହଣି ଚଳଣି ବ୍ୟତିରେକେ ପରିବାରର ସଦସ୍ୟମାନଙ୍କୁ ଆବଶ୍ୟକ ନୀତିସିଦ୍ଧ ସରଳ ଉପଦେଶ ଆଦେଶ ମଧ୍ୟ ଦେଉଥିଲେ ।
ସେ କେବେହେଲେ ଆତ୍ମକୈନ୍ଦ୍ରିକ ନଥିଲେ । ନିଜେ ବ୍ୟକ୍ତିକୈନ୍ଦ୍ରିକ ନଥିଲେ, କିମ୍ବା କାହାରିକୁ ତାଙ୍କ ପ୍ରତି ବ୍ୟକ୍ତିକୈନ୍ଦ୍ରିକ ହେବାକୁ ଦେଉ ନଥିଲେ । ତାଙ୍କ ଭାଷଣ କିମ୍ବା ଲେଖାର କେହି କେବେ ପ୍ରଶଂସା କଲେ ସେ ଟାଳି ଦେଉଥିଲେ, ନଚେତ୍ ବିରକ୍ତ ହେଉଥିଲେ । ଥଟ୍ଟାରେ ଥଟ୍ଟାରେ କହୁଥିଲେ, “କାହାର ସର୍ବନାଶ କରିବାର ଥିଲେ, ତାକୁ ଖାଲି ପ୍ରଶଂସା କର, ସେ ଛାଏଁ ଛାଏଁ ନଷ୍ଟ ହୋଇଯିବ; ତୁମର ଆଉ କିଛି କରିବାର ନାହିଁ ।” କିନ୍ତୁ ଏହାକୁ ସେ କେବେ କାହାଠାରେ ପ୍ରୟୋଗ କରି ନାହାନ୍ତି । କାରଣ ତାଙ୍କୁ ପ୍ରଶଂସା କରିବା ଆସେ ନାହିଁ । ଅଧିକାରବୋଧରସାଣିତ ତାଙ୍କ କୃତ୍ରିମ କ୍ରୋଧ ତାଙ୍କ ଲୋକସଂଗ୍ରହୀ ପ୍ରବୃତ୍ତିର ଆଉ ଏକ ବୈଶିଷ୍ଟ୍ୟ । ଆଚରଣସିଦ୍ଧତାର ଅଭାବବୋଧକୁ ସେ ପ୍ରଚଣ୍ଡ ଘୃଣା କରୁଥିଲେ । ଉଦ୍ଦେଶ୍ୟବିହୀନ ଭୋଗପ୍ରମତ୍ତ ଜୀବନକୁ ସେ କଡା ସମାଲୋଚନା କରୁଥିଲେ । କେତେ ଭଲ ପାଇବା ତାଙ୍କ ଭିତରେ ଖୁନ୍ଦି ହୋଇ ରହିଥିଲା କେଜାଣି, ଓଡ଼ିଶା ଓ ଓଡ଼ିଶା ବାହାରେ ସେ ଏତେ ଲୋକଙ୍କୁ ଭଲ ପାଉଥିଲେ ଯେ, ବିନା ପ୍ରତ୍ୟାଶାର ଏହି ନିଷ୍କପଟ ଆତ୍ମୀୟତା ତାଙ୍କୁ ତାଙ୍କ ଅଲକ୍ଷ୍ୟରେ ଗଢ଼ି ଦେଇଥିଲା ଅନନ୍ତ ମମତା ନିର୍ଝରିତ ଏକ ଉତ୍ତୁଙ୍ଗ ଲୋକସଂଗ୍ରହୀ ପୁରୁଷ ଭାବରେ ।
ତାଙ୍କ ମମତା-ସୁରଭିତ ଅଗଣିତ ଯୁବକଙ୍କ ଭିତରୁ ଆଜି ଅନେକେ ଜୀବନର ମଧ୍ୟାହ୍ନ ଓ ଅପରାହ୍ଣରେ ଉପନୀତ ହୋଇ ସାରିଲେଣି ଓ ଆହୁରି ଅନେକେ ଯୌବନର ପହିଲି ସୋପାନରେ । ହେଲେ ଲୋକସଂଗ୍ରହୀ ସେହି ଉତ୍ତୁଙ୍ଗ ବ୍ୟକ୍ତିଙ୍କର ମହନୀୟ ବ୍ୟକ୍ତିତ୍ୱର ଭୁରୁଭୁରୁ ମହକ ପୁଲକିତ କରାଉଥିବ ଏ ରାଜ୍ୟର ଅନେକଙ୍କୁ ଆଗାମୀ ଆହୁରି ବହୁବର୍ଷ ପର୍ଯ୍ୟନ୍ତ ।
-ଠ-

Comments
Post a Comment