ମହାରାଷ୍ଟ୍ରରେ ମୁସଲମାନଙ୍କୁ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ


ମୁମ୍ବାଇ,୨୮ା୨: ମହାରାଷ୍ଟ୍ର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ । ଏନେଇ ଏକ ନୂତନ ବିଲ୍ ଖୁବ୍ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି । ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି । ଏନ୍‌ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ସେମାନେ ଚାକିରିରେ ମଧ୍ୟ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ଆଇନଗତ ପରାମର୍ଶ ଲୋଡୁଥିବା ସେ ସୂଚନା ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବର ସରକାର ସଂରକ୍ଷଣ ବ୍ୟବସ୍ଥା କରାଇନଥିଲେ ବୋଲି ସେ କହିଛନ୍ତି । ସୂଚନାଥାଉ କି, ପୂର୍ବର ମେଣ୍ଟ ସରକାରରେ ବର୍ତ୍ତମାନ ଏନ୍‌ସିପିର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ଏକ ଅଙ୍ଗ ଥିଲା । ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟ ୫୦%ରୁ ଅଧିକ ସଂରକ୍ଷଣ ଉପରେ କଟକଣା ଲଗାଇଛନ୍ତି । ଗତବର୍ଷ ମରାଠାଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦେବାପରେ ବର୍ତ୍ତମାନ ମହାରାଷ୍ଟ୍ରରେ ୫୦%ରୁ ଅଧିକ ସଂରକ୍ଷଣ ଥିବାରୁ ଏଥିରେ ହିଁ ପୁଣି ୫% ଯୋଡିବା କାଠିକର ପାଠ ହେବ । ତେବେ ଉଦ୍ଧବଙ୍କ ସରକାର ଏହି ବିଷୟରେ ଏଯାଏ କହିନାହାନ୍ତି । ମରାଠା ଗୋଷ୍ଠୀଙ୍କୁ ସଂରକ୍ଷଣ ଦେବା ନେଇ ହୋଇଥିବା ଆବେଦନକୁ ଗତବର୍ଷ ଜୁନ୍‌ରେ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ । କିନ୍ତୁ ଏହାର ପରିମାଣ ୧୬%ରୁ ଖସାଇଥିଲେ । ଫଳରେ ଏହା ସୁପ୍ରିମ୍‌କୋର୍ଟଙ୍କ ନିୟମ ଅନୁଯାୟୀ ୫୦%ରେ ସୀମିତ ରହିଥିଲା ।

Comments