ମୋଦି ଓ ଯୋଗୀଙ୍କ ଅମଳରେ ହିଁ ରାମମନ୍ଦିର ନିର୍ମିତ ହେବ : ନୃତ୍ୟ ଗୋପାଳ ଦାସ



ଅଯୋଧ୍ୟା,୨୦/୨  : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଶାସନ ଅମଳରେ ହିଁ ଅଯୋଧ୍ୟାରେ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମିତ ହେବ ବୋଲି ରାମ ଜନ୍ମଭୂମି ନ୍ୟାସର ପ୍ରମୁଖ ତଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ଭବ୍ୟ ମନ୍ଦିର ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁଯାୟୀ ନିର୍ମିତ ହେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ମାସେ ବା ୨ ମାସ ମଧ୍ୟରେ ଆରମ୍ଭ ହୋଇଯିବ । ରାମ ମନ୍ଦିର ନିର୍ମାଣ ଲାଗି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପ୍ରଦତ୍ତ ଶିଳାଗୁଡ଼ିକୁ ସାଇତା କରି ବହୁ ପୂର୍ବରୁ ରଖାଯାଇଛି । ଯଦି ଏହାବାଦ୍ ଆହୁରି ଶିଳାର ଆବଶ୍ୟକତା ପଡ଼ିବ ସେଗୁଡ଼ିକର ଯଥାଶୀଘ୍ର ଯୋଗାଡ଼ କରାଯିବ ବୋଲି ନୃତ୍ୟ ଗୋପାଳ ଦାସଜୀ କହିଛନ୍ତି । ପ୍ରକାଶ୍ୟ ଯେ, ବିଗତ ୫ ଦଶନ୍ଧି ଧରି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ଚାଲିଥିବା ଅଭଯାନର ମହନ୍ତ ନୃତ୍ୟ ଗୋପାଳ ଦାସଜୀ ମହାରାଜ ନେତୃତ୍ୱ ନେଇଆସୁଛନ୍ତି । ତାଙ୍କରି ନେତୃତ୍ୱରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଦେଶ ତଥା ବିଦେଶରୁ ଭକ୍ତମାନଙ୍କ ଠାରୁ ଚାନ୍ଦା ସଂଗ୍ରହ କରାଯାଉଛି । ଏତଦ୍‌ବ୍ୟତୀତ ବିଗତ ୫୦ ବର୍ଷ ଧରି ଅଯୋଧ୍ୟାର ବିବାଦୀୟ ଜମିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିମ୍ନ ଅଦାଲତରୁ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଚାଲିଥିବା ଅଦାଲତି ମାମଲାରେ ମଧ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଜୀ ପକ୍ଷଭୁକ୍ତ ରହିସାରିଛନ୍ତି ।

Comments