ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମୟର ଉପଲବ୍ଧତା ଅନୁସାରେ ନିଜର ରୁଚି ଏବଂ କ୍ଷମତା ଆଦି ବିଷୟକୁ ନେଇ ସ୍ୱୟଂସେବକମାନଙ୍କ ମଧ୍ୟରେ ଏକ ସର୍ଭେ କରିଥିଲା । ଏଥିରେ ୩୦ ବର୍ଷରୁ ଅଧିକ ବୟସର ୧୫ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂସେବକମାନଙ୍କ ସହିତ ଚର୍ଚ୍ଚା ହୋଇଥିଲା । ଏହି ସମସ୍ତ ସ୍ୱୟଂସେବକ ସମାଜରେ ସକରାତ୍ମକ ପରିବର୍ତ୍ତନ ତଥା ସମାଜର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ସକ୍ରିୟ ଭୂମିକା ତୁଲାଇବା ପାଇଁ ଇଛୁକ । ସଂଘ ଏହି ସ୍ୱୟଂସେବକମାନଙ୍କୁ ସମାଜର ଆବଶ୍ୟକତା ଅନୁସାରେ କାର୍ଯ୍ୟରେ ଲଗାଇବ ବୋଲି ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ଅରୁଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ମାର୍ଚ୍ଚ ୧୫ରୁ ୧୭ ପର୍ଯ୍ୟନ୍ତ ବାଙ୍ଗାଲୋରର ଜନସେବା ବିଦ୍ୟାକେନ୍ଦ୍ର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଅନୁଷ୍ଠିତ ହେବାର ଥିଲା । କରୋନା ଭାଇରସ ଯୋଗୁଁ ଏହି ପ୍ରତିନିଧି ସଭା ସ୍ଥଗିତ ରହିଛି । ଏଠାରେ ମାର୍ଚ୍ଚ ୧୩ ତାରିଖ ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ କୁମାର କହିଥିଲେ ଯେ, ଏହି ବିଷୟରେ ପ୍ରତିନିଧି ସଭାରେ ଆଲୋଚନା ହେବା ସହିତ ଅନେକ ସମସାମୟିକ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇ ପ୍ରସ୍ତାବ ପାରିତ ହେବାର ଥିଲା । ଏହି ପ୍ରତିନିଧି ସଭା ସଂଘର ନିର୍ଣ୍ଣୟ ନେଉଥିବା ସର୍ବୋଚ୍ଚ ଅନୁ୍ଷ୍ଠାନ । ଯାହାର ବୈଠକ ବର୍ଷକୁ ଗୋଟିଏ ଥର ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ତିନି ବର୍ଷରେ ଏହି ବୈଠକ ନାଗପୁରରେ ଅନୁଷ୍ଠିତ ହୁଏ । ଏଥିରେ ସରକାର୍ଯ୍ୟବାହଙ୍କ ନିର୍ବାଚନ ହୋଇଥାଏ । ପ୍ରତିନିଧି ସଭା ବୈଠକରେ ଗତ ବର୍ଷର କାର୍ଯ୍ୟ ବିଷୟରେ ସମୀକ୍ଷା କରାଯିବା ସହିତ ଆଗାମୀ ବର୍ଷର ଯୋଜନା ବିଷୟରେ ଚର୍ଚ୍ଚା ହୋଇ ଯୋଜନା ପ୍ରସ୍ତୁତ ହୋଇଥାଏ ।
ଏହି ପ୍ରତିନିଧି ସଭା ପାଇଁ ୧୫୦୦ କାର୍ଯ୍ୟକର୍ତ୍ତା ଭାଗ ନେବାର ଥିଲା । ଦେଶର ୪୪ଟି ପ୍ରାନ୍ତରୁ ନିର୍ବାଚିତ ପ୍ରତିନିଧି, ବିଶେଷ ଆମନ୍ତ୍ରିତ ସଦସ୍ୟ, ରାଷ୍ଟ୍ରସେବିକା ସମିତିର କାର୍ଯ୍ୟକର୍ତ୍ତାଙ୍କ ସମେତ ଭିଏଚେପିର ଅଧ୍ୟକ୍ଷ ଜଷ୍ଟିସ ବିଏସ୍ କୋକଜେ, କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଆଲୋକ କୁମାର, ବିଦ୍ୟାର୍ଥି ପରିଷଦର ଅଧ୍ୟକ୍ଷ, ଭାରତୀୟ ମଜଦୁର ସଂଘର ଅଧ୍ୟକ୍ଷ ଶ୍ରୀ ସାଜି ନାରାୟଣ, ବିଦ୍ୟାର୍ଥି ଭାରତୀର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ରାଓ, ବନବାସୀ କଲ୍ୟାଣ ଆଶ୍ରମର ଅଧ୍ୟକ୍ଷ ଶ୍ରୀ ଜଗଦେବ ଓରାମ, ବିିଜେପିର ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା, ସକ୍ଷମର ଅଧ୍ୟକ୍ଷ ଶ୍ରୀ ଦୟାଲ ସିଂ ପାୱାରଙ୍କ ସମେତ ୩୫ଟି ଆନୁସଙ୍ଗିକ ସଂଗଠନର ଅଧ୍ୟକ୍ଷ,ମହାସଚିବ ଆମନ୍ତ୍ରିତ ଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର, ଦକ୍ଷିଣ ମଧ୍ୟ କ୍ଷେତ୍ରକାର୍ଯ୍ୟବାହ ତିପ୍ପିସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ ।
Comments
Post a Comment