ଜେଏନ୍‌ୟୁରେ ଜିନ୍ନା ପୋଷ୍ଟର


ନୂଆଦିଲ୍ଲୀ,୧୭ା୩ : ବିବାଦରେ ପୁଣି ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) । ରବିବାର ଜେଏନ୍‌ୟୁ ପରିସରରେ ପୂର୍ବାଞ୍ଚଳ ଆଡକୁ ଯାଉଥିବା ଏକ ରାସ୍ତାର ନାମ ସବରକରଙ୍କ ନାମରେ ନାମିତ ହୋଇ ଫଳକ ଲାଗିଥିଲା । ତେବେ କେତେକ ଦୁର୍ବୃତ୍ତ ଏହି ଫଳକ ଉପରେ କାଳି ବୋଳିଦେବା ସହ ଏଠାରେ ମହମ୍ମଦ ଅଲ୍ଲୀ ଜିନ୍ନା ମାର୍ଗ ନାମରେ ଏକ ଲିଫ୍‌ଲେଟ୍ ମଧ୍ୟ ଲଗାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ନଭେମ୍ବରରେ ସ୍ୱାମୀ ବିବେକାନନ୍ଦଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ ହେବା ପୂର୍ବରୁ ଜେଏନ୍‌ୟୁରେ ଏହାକୁ ବିକୃତ କରି ଦିଆଯାଇଥିଲା । ଅନ୍ୟପଟେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ ଛାତ୍ର ଓ ଅଧ୍ୟାପକ ସଂଘ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି । ଅପରପଟେ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସଭାନେତ୍ରୀ ଆଇସି ଘୋଷ ଟ୍ୱିଟ୍ କରି କହିଛନ୍ତି ଯେ, ବ୍ରିଟିଶ ମାନଙ୍କ ନିକଟରେ କ୍ଷମା ଭିକ୍ଷା କରିଥିବା ବ୍ୟକ୍ତିଙ୍କୁ ଆମେ ଗ୍ରହଣ କରିପାରିବୁନି । ତେଣୁ ଏହି ରାସ୍ତାର ନାମ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ନାମରେ ନାମିତ କରାଯାଉ । ଅପରପଟେ ଜେଏନ୍‌ୟୁର ଏବିଭିପି ଶାଖା ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଏଭଳି ହୀନ ଉଦ୍ୟମ ଓ ଷଡଯନ୍ତ୍ର ରଚିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତେବେ ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବା ଲକ୍ଷ୍ୟ କରାଯାଇଛି ।

Comments